ଆଜିଠୁ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ଦେବେ ୫ ଲକ୍ଷ ୪୬ ହଜାର ଛାତ୍ରଛାତ୍ରୀ, କଡା ସୁରକ୍ଷାରେ ପ୍ରଶ୍ନପତ୍ର

NEWS7
farmers-will-be-able-to-sale-of-paddy-in-rabi-season-mandi

ଭୁବନେଶ୍ୱର, ୧୯/୦୨ : ଗୁରୁବାରଠୁ ମାଟ୍ରିକ୍ ପରୀକ୍ଷା । ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସଓଏସ୍) ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ ହେବ । ରାଜ୍ୟର ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ପରୀକ୍ଷା ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଊର୍ଦ୍ଦୁ, ତେଲୁଗୁ) ରହିଛି । ପରୀକ୍ଷାର୍ଥୀମାନଙ୍କୁ ଗେଟ୍ ପାଖରେ ସକାଳ ୭ଟା ୩୦ରେ ଯାଞ୍ଚ୍ କରାଯାଇ ହଲ୍ ଭିତରକୁ ଛଡ଼ାଯିବ । ନୋଡାଲ୍ ସେଣ୍ଟରରେ ଗଚ୍ଛିତ ଥିବା ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟରେ ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ପରୀକ୍ଷା ନିରୀକ୍ଷକମାନେ ହଲ୍ରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ଦେଖାଇବେ । ସେହିପରି ହଲ୍ ଭିତରକୁ କୌଣସି ପରୀକ୍ଷା ନିରୀକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ମୋବାଇଲ୍ ସମ୍ପୂର୍ଣ୍ଣ ବାରଣ ରହିଛି । କେହି ପରୀକ୍ଷା ନିରୀକ୍ଷକ ହଲ୍ରେ ମୋବାଇଲ୍ ରଖିଥିବା ଜଣାପଡ଼ିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅବଗତ କରାଯାଇଛି ।

ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିଛି । ପରୀକ୍ଷା ପରିଚାଳନା ସମୟରେ ସିଧାପ୍ରସାରଣ ହେବାର ଥିବାରୁ ପରୀକ୍ଷା ନିରୀକ୍ଷକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏଥିଲାଗି ବୋର୍ଡରେ ଏକ କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ଏଥର ରାଜ୍ୟରେ ୩ ହଜାର ୯୯୯ ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଉଥିବା ସୂଚନା ମିଳିଛି । ସମ୍ପୃକ୍ତ ପରୀକ୍ଷାର୍ଥୀମାନେ ତଳ ମହଲାରେ ସୁବିଧାରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

'ମୁଁ ଡିପ୍ରେସନରେ ଅଛି...' ଭାରତଠୁ ହାରିଲା ପରେ ପାକିସ୍ତାନ ବୋର୍ଡ ଦେଲା ବଡ ଝଟକା

ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କୁ ପ୍ରତି ପରୀକ୍ଷାରେ ଅଧିକ ୫୦ ମିନିଟ୍ ସମୟ ଦିଆଯିବ । ଗଣିତ ପରୀକ୍ଷାରେ ଅତିରିକ୍ତ ୫୫ ମିନିଟ୍ ସମୟ ଧାର୍ଯ୍ୟ ରହିଛି । ଲେଖିବାରେ ସହାୟତା ନେଉଥିବା ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ନବମ ଶ୍ରେଣୀ କିମ୍ବା ଏହାଠାରୁ କମ୍ ଶିକ୍ଷା ଥିବା ଛାତ୍ର ସହାୟକ ଭାବେ ରହିବେ । ପରୀକ୍ଷା ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ । ଆସନ୍ତା ୨୧ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, ୨୩ରେ ସଂସ୍କୃତ/ହିନ୍ଦୀ, ୨୫ରେ ସାଧାରଣ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ହେବ । ଗଣିତ ପରୀକ୍ଷା ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୪୫ ମିନିଟ୍ରେ ଶେଷ ହେବ । କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରାଯାଇଛି । ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ୭୨ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ସୂଚନା ମିଳିଛି । ୧୨ ହଜାର ୪୧୪ ଜଣ ପ୍ରାର୍ଥୀ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍(ଏସ୍ଓଏସ୍ସି) ପରୀକ୍ଷା ଓ ୨ ହଜାର ୭୪୮ ପ୍ରାର୍ଥୀ ମଧ୍ୟମା ପରୀକ୍ଷା ଦେବେ ।