Happy Holi : ଆସ ରଙ୍ଗେଇ ହେବା ରଙ୍ଗରେ, କେଉଁଠି ଲାଠିରେ ପ୍ରହାର ତ କେଉଁଠି ପାଉଁଶରେ ହୁଏ ଖେଳ

NEWS7
farmers-protest-in-front-of-cooperative-society-in-soro

ନୂଆଦିଲ୍ଲୀ :ଭାରତ ହେଉଛି ପର୍ବପର୍ବାଣିର ଦେଶ। ହୋଲି ବା ରଙ୍ଗର ପର୍ବ ଏହାର ଅନ୍ୟତମ ମୁଖ୍ୟ ଆକର୍ଷଣ । ବସନ୍ତ ଋତୁର ଆଗମନରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠେ । ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା, କିମ୍ବଦନ୍ତୀ ଏବଂ ରୀତିନୀତି ଅନୁସାରେ ହୋଲି ପାଳନ କରାଯାଏ। କେଉଁଠି ଲାଠିରେ ପ୍ରହାର କରି ହୋଲି ଖେଳାଯାଏ ତ କେଉଁଠି ପାଉଁଶ ବ୍ୟବହାର କରାଯାଏ। ଭିନ୍ନ ସ୍ଥାନ ଭିନ୍ନ ହୋଲି । ଦକ୍ଷିଣ ଭାରତରେ ହୋଲିର ପର୍ବ ଉତ୍ତର ଭାରତ ପରି ଏତେଟା ନଥିଲେ ମଧ୍ୟ କେରଳର କୋକଣୀ ସମ୍ପ୍ରଦାୟ ଏହାକୁ ପାଳନ କରନ୍ତି। କେଉଁଠି କେମିତି ପାଳନ ହୁଏ ହୋଲି ଆସନ୍ତୁ ଜାଣିବା।

ଲଠମାର ହୋଲି- ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ବରସାନା ଏବଂ ନନ୍ଦଗାଓଁରେ ଲଠମାର ହୋଲି ବିଶ୍ବପ୍ରସିଦ୍ଧ । ପରମ୍ପରା ଅନୁସାରେ ନନ୍ଦଗାଓଁ ପୁରୁଷମାନେ ବରସାନାକୁ ହୋଲି ଖେଳିବାକୁ ଆସନ୍ତି ଏବଂ ସେଠାକାର ମହିଳାମାନେ ସେମାନଙ୍କୁ ଲାଠି ବା ବାଡ଼ିରେ ପ୍ରହାର କରନ୍ତି । ପୁରୁଷମାନେ ନିଜକୁ ଏକ ଜାଲ ସାହାଯ୍ୟରେ ରକ୍ଷା କରନ୍ତି। ଏହା ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ମଧ୍ୟରେ ଥିବା ପ୍ରେମ ଓ ଅଟ୍ଟା ତାମସାର ଏକ ପ୍ରତୀକ ଭାବେ ପାଳିତ ହୁଏ ।

ହୋଲାମୋହଲା- ଶିଖ୍ ସମ୍ପ୍ରଦାୟ ଦ୍ବାରା ପାଳିତ ହେଉଥିବା ଏହି ଉତ୍ସବ ହୋଲିର ପରଦିନ ଅନୁଷ୍ଠିତ ହୁଏ । ଏହା ରଙ୍ଗ ଅପେକ୍ଷା ବୀରତ୍ୱର ପର୍ବ ଅଟେ । ଏଠାରେ ନିହାଙ୍ଗ ଶିଖ୍ ମାନେ ନିଜର ସାମରିକ କଳା କୌଶଳ ପ୍ରଦର୍ଶନ କରିଛନ୍ତି । ଘୋଡ଼ସବାରୀ, କୁସ୍ତି ଭଳି ପ୍ରଦର୍ଶନ ଦେଖିବାକୁ ମିଳେ । ଏହାର ଉଦ୍ଦେଶ୍ୟ ହେଉଛି ସମାଜରେ ଶୈର୍ଯ୍ୟ ଓ ସାହସ ବଜାୟରଖୁବା ।

ଶିଗମୋ ଉତ୍ସବ - ଗୋଆରେ ହୋଲିକୁ ‘ଶିଗମୋ’ କୁହାଯାଏ। ଏହା ମୁଖ୍ୟତଃ କୃଷକମାନଙ୍କର ଏକ ପର୍ବ। ଏଠାରେ ଲୋକମାନେ ପାରମ୍ପରିକ ପୋଷାକ ପିନ୍ଧି ରାସ୍ତାରେ ନୃତ୍ୟ କରନ୍ତି ଏବଂ ବିଭିନ୍ନ ପ୍ରକାରର ସାଂସ୍କୃତିକ ଶୋଭାଯାତ୍ରା ବାହାରେ। ଗ୍ରାମାଞ୍ଚଳରେ ଲୋକମାନେ ଢୋଲ ବଜାଇ ଗୀତ ଗାଈ ରଙ୍ଗ ଖେଳନ୍ତି, ଯାହା ଗୋଆର ଲୋକକଳାକୁ ପ୍ରତିଫଳିତ କରେ।

ଭାଙ୍ଗୋରିଆ ହୋଲି- ଏହା ମୁଖ୍ୟତଃ ଭିଲ୍ ଏବଂ ଭିଲାଲା ଆଦିବାସୀ ସମ୍ପ୍ରଦାୟର ଏକ ଅନନ୍ୟ ପର୍ବ । ଏହି ସମୟରେ ଏକ ବଡ଼ ହାଟ ବା ବଜାର ବସେ । ଏହା କେବଳ ରଙ୍ଗ ଖେଳ ନୁହେଁ, ବରଂ ଏହା ଯୁବକ- ଯୁବତୁୀମାନଙ୍କ ପାଇଁ ନିଜ ଜୀବନସାଥୀ ବାଛିବାର ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ । ଲୋକମାନେ ନିଜର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ନୃତ୍ୟ କରନ୍ତି ।

ରଙ୍ଗପଞ୍ଚମୀ- ହୋଲି ପୂର୍ଣ୍ଣିମାର ପାଞ୍ଚ ଦିନ ପରେ ରଙ୍ଗପଞ୍ଚମୀ ପାଳନ କରାଯାଏ । ବିଶେଷ କରି ଉନ୍ଦୋର ଭଳି ସହରରେ ରଙ୍ଗପଞ୍ଚମୀ ଦିନ ବିରାଟ ଜନସମାଗମ ହୁଏ । ବଡ଼ ବଡ଼ ପାଣି ଟାଙ୍କର ସାହାଯ୍ୟରେ ଆକାଶରୁ ରଙ୍ଗୀନ ପାଣି ବର୍ଷା କରାଯାଏ | ଲୋକମାନେ ଏହାକୁ ଭଗବାନଙ୍କର ଆଶୀର୍ବାଦ ମନେ କରି ଏଥିରେ ସ୍ନାନ କରନ୍ତି ।

ମଞ୍ଜଳ କୁଳି- କେରଳରେ ଦୋଳିକୁ ‘ମଞ୍ଜଳ କୁଳି’ ବା ଉକୁଳି କୁହାଯାଏ। ଦକ୍ଷିଣ ଭାରତରେ ହୋଲିର ପ୍ରଭାବ ଉତ୍ତର ଭାରତ ପରି ଏତେଟା ନଥିଲେ ମଧ୍ୟ କେରଳର କୋଙ୍କଣୀ ସମ୍ପ୍ରଦାୟ ଏହାକୁ ପାଳନ କରନ୍ତି। ଏଠାରେ କୁତ୍ରିମ ରଙ୍ଗ ବଦଳରେ ହଳଦୀ ପାଣି ବ୍ୟବହାର କରାଯାଏ। ଏହା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ।