ମାଫିଆଙ୍କ କବଜାରେ ମହାପ୍ରଭୁଙ୍କ ୮ଶହ ଏକର ଜମି, ଜଗନ୍ନାଥଙ୍କ ଭରସାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ

NEWS7
farmers-in-tension-due-to-irregular-monsoon-rain

ବ୍ରହ୍ମପୁର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୮ଶହ ଏକର ଜମିକୁ ହଡ଼ପ କରିଛି କିଏ ? ଖୋର୍ଦ୍ଧା ଓ ପୁରୀ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ମହାପ୍ରଭୁଙ୍କ ଶହ ଶହ ଏକର ଜମି ଏବେ ଜବରଦଖଲକାରୀଙ୍କ କବଜାରେ। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ମହାପ୍ରଭୁଙ୍କ ମୂଲ୍ୟବାନ ଜମି କବଜା କରିନେଇଛନ୍ତି ମାଫିଆ। ତେବେ ଏ ସମ୍ପର୍କରେ ଆମେ ବ୍ରହ୍ମପୁରଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଯାଇ ବୁଝିବାକୁ ଚେଷ୍ଟା କରିଥିଲୁ । ହେଲେ ସେଠାରେ କେବଳ କିଛି ଚପରାସିଙ୍କୁ ଛାଡ଼ି ଦେଲେ ଫାଙ୍କା ପଡ଼ିଥିଲା ସବୁ ଅଧିକାରୀଙ୍କ ଚୌକି । ଏଠି ଜଗନ୍ନାଥଙ୍କ ଜମି ଜଗିବା ଦ ଦୂରର କଥା ଶ୍ରୀମନ୍ଦିର ପ୍ରଶାସନ ଅଫିସକୁ ବି ଜଗନ୍ନାଥଙ୍କ ଭରସାରେ ଛାଡ଼ି ଦେଇଛନ୍ତି ଅଧିକାରୀମାନେ ।

ମାଫିଆଙ୍କ କବଜାରେ ମହାପ୍ରଭୁଙ୍କ ୮ଶହ ଏକର ଜମି । ଜବରଦଖଲ ଜମିର ମୂଲ୍ୟ ୫ ଶହ କୋଟିରୁ ଅଧିକ। ଖୋର୍ଦ୍ଧା ଓ ପୁରୀ ପରେ ଜଗା ଜମି ଜବରଦଖଲରେ ତୃତୀୟ ସ୍ଥାନରେ ଗଞ୍ଜାମ୍ । ଖୋଦ୍ ଜଗନ୍ନାଥଙ୍କ ଭରସାରେ ବ୍ରହ୍ମପୁର ଠାରେ ଥିବା ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟ ।ଖୋର୍ଦ୍ଧା ଓ ପୁରୀରେ ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ସାମ୍ନାକୁ ଆସିଥିଲା । ହେଲେ ଏବେ ଗଞ୍ଜାମ ଜିଲ୍ଲାରୁ ଆସିଛି ସାଂଘାତିକ ସତ ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ମହାପ୍ରଭୁଙ୍କ ଶହ ଶହ ଏକର ଜମି ଏବେ ଜବରଦଖଲକାରୀଙ୍କ କବଜାରେ । ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ମହାପ୍ରଭୁଙ୍କ ମୂଲ୍ୟବାନ ଜମି ହଡ଼ପ କରିନେଇଛନ୍ତି ମାଫିଆ । ତଥାପି ବଡ଼ ବଡ଼ିଆ ବାବୁଙ୍କ ଉପରେ ଏହାର ସାମାନ୍ୟତମ ପ୍ରଭାବ ନାହିଁ । ନିଜ ଜମି ତ ନୁହେଁ, ମହାପ୍ରଭୁଙ୍କ ଜମି ସେଥି ପାଇଁ ବୋଧହୁଏ କାହାର କିଛି ଯାଏ ଆସେ ନାହିଁ । ସେହି ନ୍ୟାୟରେ ଚାଲିଛି ପ୍ରଶାସନ ।

ଓଡ଼ିଶାର ୨୩ଟି ଜିଲ୍ଲାରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୦ ହଜାର ୪୨୬ଏକର ପରିମିତ ଭୂସମ୍ପତ୍ତି ଚିହ୍ନଟ ହୋଇଛି । ଏଥିରୁ ୨୨ହଜାର ୩୬୫ ଏକର ଜମିର ସଂଶୋଧିତ ସତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନର ହାତକୁ ଆସିପାରୁ ନାହିଁ । ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ରହିଛି ୮ଶହ ଏକର ୭୦୧ ଡିସିମିଲ୍ ଜମି । ଗଞ୍ଜାମ ଜିଲ୍ଲାର କେଉଁ ତହସିଲରେ କେତେ ଏକର ଜମି ଜବରଦଖଲ ହୋଇଛି ନା’ ତାର ଆକଳନ କରାଯାଉଛି ନା’ କୌଣସି ତହସିଲଦାର ଏ ସମ୍ପର୍କିତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦେଉଛନ୍ତି ? ମହାପ୍ରଭୁଙ୍କ ଜମି ହଡ଼ପ ହେଉଥିବା ଜାଣି ବି ଆରାମରେ ଶୋଇଛନ୍ତି ବଡ଼ ବଡ଼ିଆ ବାବୁ । ମହାପ୍ରଭୁଙ୍କ ଜମିକୁ ଜବରଦଖଲମୁକ୍ତ କରିବା ଲାଗି ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ନ୍ୟୁଜ୍ 7 ନଜରକୁ ଏ ଘଟଣା ଆସିବା ପରେ ବ୍ରହ୍ମପୁରସ୍ଥିତି ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଆମ ପ୍ରତିନିଧି । ଅଫିସ ତ ଖୋଲା ଥିଲା ହେଲେ ଅଫିସରେ ନଥିଲେ କୌଣସି ଅଧିକାରୀ । ଖାଲି ପଡ଼ିଥିଲା ବାବୁ ଚେୟାର । ଅଫିସରେ ବସିଥିଲେ ଜଣେ ମାତ୍ର ଚପରାସୀ । ଦେଖନ୍ତୁ ଏହି ଦୃଶ୍ୟକୁ । କେମିତି ଖାଁ ଖାଁ ପଡ଼ିଥିଲା ପୂରା କାର୍ଯ୍ୟାଳୟ । ଅଫିସରେ ବାବୁ ସିନା ନଥିଲେ ହେଲେ ଅଫିସ କାନ୍ଥରେ ଲାଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ।ମାନେ ଏଠି ମହାପ୍ରଭୁଙ୍କ ଜମି ଜଗିବାକୁ ଯେଉଁମାନଙ୍କୁ ଦାୟିତ୍ବ ଦିଆଯାଇଛି ସେମାନେ ତାଙ୍କ କାମ ତ କରୁନାହାନ୍ତି, ଅଫିସକୁ ବି ମହାପ୍ରଭୁଙ୍କ ଭରସାରେ ଛାଡ଼ି ଦେଇ ଯିଏ ଯେଝା ବାଟରେ ବୁଲୁଛନ୍ତି ।

ଏଭଳି ପରିସ୍ଥିତିରେ ଯେଉଁମାନେ ବି ନିଜ କାମ ପାଇଁ ବ୍ରହ୍ମପୁରସ୍ଥିତ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟକୁ ଆସୁଛନ୍ତି, ସେମାନଙ୍କୁ ବୁଝାଇ ସୁଝାଇ ଫେରାଇ ଦେଉଛନ୍ତି ଅଫିସରେ ଉପସ୍ଥିତ ଥିବା ଚପରାସି । ଲୋକେ ବି ନିଜ କାମ କରିନପାରି ନିରାଶ ହୋଇ ଫେରୁଛନ୍ତି । ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଶ୍ରୀମନ୍ଦିର ପ୍ରଶାସନର ଏହି ଶାଖା କାର୍ଯ୍ୟାଳୟ । ତାହା ପୁଣି ଜଣେ ଚପରାସୀଙ୍କ ଭରସାରେ ଚାଲୁଛି । ତେଣୁ ରାଜଭାଗ ଠାରୁ ଜମି ଲୁଟ୍ ଯାଏଁ, ଜିଲ୍ଲାରେ କେଉଁଠି କ’ଣ ଚାଲିଛି ତାହା ଜାଣିବା ମୁସ୍କିଲ୍ । ଏଠି ଦିଅଁଙ୍କୁ ଖାଇ ଖଟୁଲି ଖାଇବା ନୀତିରେ ଚାଲିଛନ୍ତି ଉଭୟ ପ୍ରଶାସନର ଅଧିକାରୀ ଓ ଜମି ମାଫିଆ ।