LIVE TV

ଆମେରିକା ପାଇଁ ଡାକ ସେବା ପ୍ରତିବନ୍ଧକ ହଟାଇଲା ଭାରତ: ନୂଆ ନିୟମ ଲାଗୁ

NEWS7
farmers-blocked-national-highway-6-by-throwing-rice-bags

ନୂଆଦିଲ୍ଲୀ: ଆମେରିକାକୁ ଅସ୍ଥାୟୀ ଭାବେ ଲଗାଯାଇଥିବା ଡାକ ସେବା ପ୍ରତିବନ୍ଧକକୁ ହଟାଇଲେ ଭାର ସରକାର। ସମସ୍ତ ପ୍ରକାରର ଡାକ ସେବା ଉପରୁ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଆମେରିକାକୁ ଡାକ ସେବା ପୂର୍ବ ପରି ଆରମ୍ଭ ହେବ। ପୂର୍ବରୁ, ଅଗଷ୍ଟ ୨୫ ତାରିଖରେ ଭାରତୀୟ ଡାକ ବିଭାଗ ଡାକ ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ନିୟମ ଯୋଗୁ ଭାରତ ଏହି କଟକଣା ଲଗାଇଥିଲା। ଟ୍ରମ୍ପ ପ୍ରଶାସନ ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଯେଉଁଥିରେ ୮୦୦ ଡଲାର (୭୦,୦୦୦ ଟଙ୍କା) ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କ ଛାଡକୁ ଅଗଷ୍ଟ ୨୯ ତାରିଖରୁ ଶେଷ କରାଯାଇଥିଲା। ଏହାପରେ ଭାରତ ସରକାର ନିଜ ନିୟମରେ ପରିବର୍ତ୍ତନ କରିବା ପାଇଁ ଆମେରିକା ପାଇଁ ଡାକ ସେବା ବନ୍ଦ କରିଦେଇଥିଲେ।

ଏପର୍ଯ୍ୟନ୍ତ, ଆପଣ ଡାକ ମାଧ୍ୟମରେ କୌଣସି ସାମଗ୍ରୀ ଭାରତରୁ ଆମେରିକାକୁ ପଠାଉଥିଲେ ସାମଗ୍ରୀ ପହଞ୍ଚିବା ପରେ ଆମେରିକାକୁ କଷ୍ଟମ୍ ଡ୍ୟୁଟି ଦେବାକୁ ପଡୁଥିଲା। ନୂଆ ବ୍ୟବସ୍ଥା ଅନୁଯାୟୀ, ବୁକିଂ ସମୟରେ (ଭାରତରେ) କଷ୍ଟମ୍ ଡ୍ୟୁଟି ଆଦାୟ କରାଯିବ। ଏହାକୁ DDP (ଡେଲିଭର୍ଡ ଡ୍ୟୁଟି ପେଡ୍) କୁହାଯାଏ। ଏହି ଶୁଳ୍କ ସିଧାସଳଖ ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ପଠାଯିବ। ଏହା ଆମେରିକାରେ ସାମଗ୍ରୀ ନେବା ଲୋକର ଯେକୌଣସି ଅସୁବିଧାକୁ ହ୍ରାସ କରିବ ଏବଂ କଷ୍ଟମ୍ସ କ୍ଲିୟରାନ୍ସକୁ ତ୍ୱରାନ୍ୱିତ କରିବ। ନୂଆ ଡିଡିପି ସୁବିଧା ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଭାରତ ପରେ, ଅନେକ ୟୁରୋପୀୟ ଦେଶ ମଧ୍ୟ ଆମେରିକାକୁ ଡାକ ସେବା ବନ୍ଦ କରିଥିଲେ। ଏଥିରେ ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରିଆ ମଧ୍ୟ ରହିଥିଲେ। ଜର୍ମାନୀର ଡଚ୍ ପୋଷ୍ଟ ଅସ୍ଥାୟୀ ଭାବରେ ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଗ୍ରାହକଙ୍କ ପାଇଁ ପାର୍ସଲ ବନ୍ଦ କରିଥିଲା। ଇଟାଲୀୟ ପୋଷ୍ଟ ଅଗଷ୍ଟ ୨୩ ରୁ ଏହି ସେବା ବନ୍ଦ କରିଥିଲା। ବ୍ରିଟେନର ରୟାଲ ମେଲ୍ ସେବା ଆମେରିକାକୁ ପଠାଯାଉଥିବା ସମସ୍ତ ପ୍ୟାକେଜକୁ ବନ୍ଦ କରିଦେଇଥିଲା।