ପିକ୍‌ନିକ୍ ଗାଡ଼ି ଦୁର୍ଘଟଣା ରୋକିବାକୁ ପଦକ୍ଷେପ, ସ୍ୱତନ୍ତ୍ର ଏସ୍‌ଓପି ଜାରି କଲା ପରିବହନ ବିଭାଗ

NEWS7
fan-travels-600-km-on-cycle-to-meet-salman-khan-in-guwahati

ଭୁବନେଶ୍ବର ୩୦।୧୨: ସରି ସରି ଆସୁଛି ୨୦୨୫ । ଆଉ ଦିନକ ପରେ ଆସୁଛି ନବବର୍ଷ ୨୦୨୬ । ନୂଆବର୍ଷକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଚାଲିଛି ପିକ୍‌ନିକ୍ । ଏହି ସମୟରେ ବିଭିନ୍ନ ସ୍ଥାନରେ ପିକ୍‌ନିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଥିବା ମଧ୍ୟ ନଜରକୁ ଆସୁଛି । ତେଣୁ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେଇଛି ପରିବହନ ବିଭାଗ । ପିକ୍‌ନିକ୍ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଏସ୍‌ଓପି ।

ପିକ୍‌ନିକ୍ ବେଳେ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ଏସ୍‌ଓପି । ପିକନିକ ଓ ତୀର୍ଥଯାତ୍ରା ପାଇଁ ଯାଉଥିବା ଗାଡି ଗୁଡିକ ପରମିଟ୍ ପାଇଁ ଆରଟିଓଙ୍କ ଅନୁମତି ନେବା ଆବଶ୍ୟକ ବୋଲି ଏସ୍‌ଓପିରେ ଉଲ୍ଲେଖ ରହିଛି । ଏହି ଏସ୍‌ଓପିରେ ୪ଟି ‘ଇ’କୁ ପ୍ରାଧାନ୍ୟ ଦିଆଯାଇଛି । ଏନ୍‌ଫୋର୍ସମେଣ୍ଟ, ଇଞ୍ଜିନିୟରିଂ, ଏଜୁକେସନ ଓ ଏମରଜେନ୍ସିକୁ ଗୁରୁତ୍ବ ଦିଆଯାଇଛି ।

ରାଜ୍ୟର ପ୍ରମୁଖ ବନ ପିକ୍‌ନିକ୍ ସ୍ଥଳରେ ହେବ କଡ଼ା ଚେକିଂ । ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ ହେବ ଚେକିଂ । ମଦ୍ୟପାନ କରି ଗାଡି ଚଳାଇଲେ ଓ ଦ୍ରୁତଗତିରେ ଗାଡ଼ି ଚଳାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମୋଟର ଯାନ ଆଇନକୁ ମାନିବା ପାଇଁ ଏସ୍‌ଓପିରେ ପରାମର୍ଶ ଦିଆଯାଇଛି ।

ପିକ୍‌ନିକ୍‌କୁ ଖୁସିରେ ଯାଇ ସୁରକ୍ଷିତ ଫେରିବା ପାଇଁ ଏହି ଏସ୍‌ଓପି ଜାରି ହୋଇଛି । ଏମ୍‌ଭିଆଇ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ପିକ୍‌ନିକ୍‌ ଗାଡିର ଯାଞ୍ଚ କରାଯାଇଛି । କାଗଜପତ୍ର ଚେକିଂ କଡ଼ାକଡ଼ି କରାଯିବ ବୋଲି ଭୁବନେଶ୍ୱର ୧ ଆରଟିଓ କହିଛନ୍ତି ।