Economic Survery 2026: ଉଛୁଳିଲା ସେୟାର ବଜାର କିନ୍ତୁ ଡଲାର ପ୍ରଭାବରୁ ମୁକୁଳିଲା ନାହିଁ ଟଙ୍କା

NEWS7
famous-indian-restaurant-ashas-for-tradional-indian-cuisine-in-manchestar

ମୁମ୍ବାଇ ୨୯।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଆର୍ଥିକ ସର୍ଭେକ୍ଷଣ ୨୦୨୬ ଉପସ୍ଥାପନ କରିଛନ୍ତି। ଏହା ୧ ଫେବୃଆରୀ ରବିବାର ସଂସଦରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ ବଜେଟ ନିମନ୍ତେ ମଞ୍ଚ ପ୍ରସ୍ତୁତ କରିଛି। ବଜେଟ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନା କରାଯିବା ଏକ ପରମ୍ପରା। ଏହା ଅର୍ଥ ବ୍ୟବସ୍ଥାର ଝଲକ ଦେଇଥାଏ ଓ କର, ବ୍ୟୟ ଏବଂ ସଂସ୍କାର ଉପରେ ନୀତିଗତ ଘୋଷଣା ପୂର୍ବରୁ ସରକାରଙ୍କ ଆକଳନର ରୂପରେଖ ନିର୍ଦ୍ଧାରଣ କରିଥାଏ।

ତେବେ ସଂସଦରେ ସର୍ଭେକ୍ଷଣ ରିପୋର୍ଟ ୨୦୨୬ ଉପସ୍ଥାପନ ସହ ସୁସ୍ତିଆ ଆରମ୍ଭ ହୋଇଥିବା ସେୟାର ବଜାର ଜୋରଦାର ଉଛୁଳିଛି । ନିବେଶକ ସର୍ଭେକ୍ଷଣ ଦୃଷ୍ଟିକୋଣ ଉପରେ ସକରାତ୍ମକ ପ୍ରତିକ୍ରିୟା ଦେବା ପରେ ବେଞ୍ଚମାର୍କ ସୂଚକାଙ୍କ ଇଣ୍ଟ୍ରାଡେ ନିମ୍ନ ସ୍ତରରୁ ବାହାରି ଅଭିବୃଦ୍ଧି ପ୍ରଦର୍ଶନ କରିଛି। ଏହି ରିପୋର୍ଟରେ ସ୍ଥିର ଆର୍ଥିକ ବିକାଶ, ନିରନ୍ତର ପୁଞ୍ଜିଗତ ବ୍ୟୟ, ମେନୁଫେକ୍ଚରିଂ ଓ ରାଜକୋଷୀୟ ଅନୁଶାସନ ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା ପୁଷ୍ଟି କରାଯାଇଛି। ଫଳରେ ବିଏସଇ ସେନସେକ୍ସ ୮୧,୭୦୭.୯୪ରୁ ୯୦୦ ପଏଣ୍ଟ ବୃଦ୍ଧି ସହ ଉଚ୍ଚତମ ସ୍ତର ୮୨,୬୧୫କୁ ପହଞ୍ଚି ଯାଇଛି।

ସେହିପରି ନିଫ୍ଟି ମଧ୍ୟ ହରାଇଥିବା ଅଭିବୃଦ୍ଧିକୁ ପୁଣି ହାସଲ କରିବା ସହ ୨୫,୪୦୦ରୁ ଉପରକୁ ଉଠି ୯୧.୫୫ ପଏଣ୍ଟ ଅର୍ଥାତ ୦.୩୪ ପ୍ରତିଶତ ବୃଦ୍ଧି ସହ ୨୫,୪୩୩.୬୦ରେ କାରବାର କରିଛି। ତେବେ ମଧ୍ୟାହ୍ନ ପରେ ସେୟାର ବଜାରରେ ଏହି ପରିବର୍ତ୍ତନ ଆସିଛି। ଏହା ପୂର୍ବରୁ ସକାଳେ ବଜାର ଖୋଲିବା ବେଳେ ବିଏସଇ ସେନସେକ୍ସ ନିଜର ସବୁଠୁ ନିମ୍ନ ସ୍ତରକୁ ପହଞ୍ଚି ଯାଇଥିଲା ଓ ନିଫ୍ଟି କିଛି ସମୟ ପାଇଁ ୨୫,୨୦୦ରେ କାରବାର କରିଥିଲା। ହେଲେ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ସମୀକ୍ଷା ପରେ ମଧ୍ୟାହ୍ନ ବେଳକୁ ବଜାରରେ ସକରାତ୍ମକ ପରିବର୍ତ୍ତନ ଦେଖାଯାଇଛି।

ସର୍ଭେକ୍ଷଣରେ ଭିତ୍ତିଭୂମି ଉପରେ ଖର୍ଚ୍ଚ ଏବଂ ଔଦ୍ୟଗିକ ଚାହିଦା ପ୍ରତି ପ୍ରଦର୍ଶିତ କରାଯାଇଥିବା ସକରାତ୍ମକ ପ୍ରତିକ୍ରିୟାରେ ପ୍ରେରିତ ହୋଇ ଧାତୁ ସେୟାର ବଜାରରେ ବୃଦ୍ଧିର ନେତୃତ୍ୱ କରିଛି। ଏଣୁ ବିଏସଇ ମେଟାଲ ଇଣ୍ଡେକ୍ସ ଦେଖୁ ଦେଖୁ ୨.୪୭%ରୁ ବଢି ରେକର୍ଡ ସ୍ତରକୁ ପହଞ୍ଚି ଯାଇଥିଲା। ଏହି ସମୟରେ ହିନ୍ଦୁସ୍ତାନ କପର ୨୦%ର ଅପର ସର୍କିଟକୁ ଛୁଇଁଛି। ସେହିପରି ନାଲକୋ ସେୟାରରେ ୫.୭୫%ର ବୃଦ୍ଧି ଦେଖାଯାଇଛି। ତେବେ ବିଏସଇ ମିଡକ୍ୟାପ୍ ଇଣ୍ଡେକ୍ସ ରେ ୦.୦୫%ସାମାନ୍ୟ ହ୍ରାସ ଦେଖାଯାଇଛି। ଏହି ସମୟରେ ବିଏସଇ ୨୫୦ ସ୍ମଲ କ୍ୟାପସ୍ ଇଣ୍ଡେକ୍ସ ରେ ଦେଖାଯାଇଥିବା ୦.୫%ର ହ୍ରାସ ଜାରି ରହିଛି।

ତେବେ ବୈଦେଶିକ ମୁଦ୍ରା ବିନିମୟ ବଜାର ଗୁରୁବାର ସକାଳେ ଖୋଲିବା ବେଳେ ଡଲାର ତୁଳନାରେ ରେକର୍ଡ ନିମ୍ନ ସ୍ତର ୯୨ଟଙ୍କାକୁ ପହଞ୍ଚି ଯାଇଥିଲା। ଲଗାତାର ଡଲାରର ଚାହିଦା ବଢିବା ଓ ବୈଶ୍ୱିକ ବଜାରରେ ସତର୍କତା କାରଣରୁ ଟଙ୍କା ଉପରେ ଲଗାତାର ଚାପ ପଡିଥିଲା। ମୁଦ୍ରା ବଜାର ବିଶେଷଜ୍ଞଙ୍କ କହିବା କଥା ହେଉଛି ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ବର୍ଷର ପ୍ରଥମ ନୀତିଗତ ନିଷ୍ପତ୍ତି ପରେ ଡଲାର ସୂଚକାଙ୍କରେ ସାଢେ ୪ ବର୍ଷର ନିମ୍ନତମ ସ୍ତରରେ ବୃଦ୍ଧି ପରେ ଟଙ୍କାରେ ଏପରି ଦୁର୍ବଳତା ଦେଖାଯାଇଛି। ଏହା ପୂର୍ବରୁ ୨୮ ଜାନୁୟାରୀ ବୁଧବାର ଟଙ୍କା ଡଲାର ତୁଳନାରେ ୩୧ ପଇସା ହ୍ରାସ ହୋଇ ସର୍ବକାଳୀନ ନିମ୍ନତମ ସ୍ତର ୯୧.୯୯ ଟଙ୍କାରେ ବନ୍ଦ ହୋଇଥିଲା।