ଲାଇନ୍ ପଡ଼ା ଘାଟିରୁ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ଘଟଣା, ଗୁଣି ସନ୍ଦେହରେ ହତ୍ୟା କରିଥିବା ତିନି ଅଭିଯୁକ୍ତ ଗିରଫ

NEWS7
family-sitting-in-front-of-sub-collector-office-demanding-justice-in-anandapur

ଚକାପାଦ/ଟିକାବାଲି: ଚକାପାଦ ବ୍ଲକ୍ ଅନ୍ତର୍ଗତ ଲାଇନ୍ ପଡ଼ା - ପସରା ଘାଟି ରାସ୍ତାର ଲାଇନ୍ ପଡ଼ାଠାରୁ ପାଞ୍ଚ କିମି ଦୂର ସୁଉଚ୍ଚ ଚୂନ ଘାଟି ରାସ୍ତା ପାର୍ଶ୍ବରେ ଜନୈକ ଯୁବକକୁ ହତ୍ୟାକରି ପୋଡ଼ି ଦିଆଯାଇଥିବା ଅଭିଯୋଗରେ ଟିକାବାଲି ପୋଲିସ ତିନି ଅଭିଯୁକ୍ତଙ୍କୁ ତ୍ୱରିତ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖଲିବେରେଣା ଗ୍ରାମର ଦୁଇ ଭାଇ ପ୍ରକାଶ ହଂସ (୨୩) ଓ ମୁକେଶ ହଂସ (୨୭) ଏବଂ ଜିତେନ୍ଦ୍ର ଗୁରୁ(୨୫)।

ସୂଚନା ଅନୁଯାୟୀ, ଖଜୁରୀପଡ଼ା ଥାନା ଅନ୍ତର୍ଗତ ଖଲିବେରେଣା ଗ୍ରାମର ଦାଶରଥି ବଗର୍ତ୍ତୀଙ୍କ ପୁଅ ଦୁର୍ଯ୍ୟୋଧନ ବଗର୍ତ୍ତୀ(୩୫) ରବିବାର ସନ୍ଧ୍ୟା ବେଳେ ନିଜ ଘରୁ ନୂଆଗାଁକୁ ଚିକେନ୍ ଆଣିବାକୁ ଯାଇ ଫେରିନଥିଲେ। ଏନେଇ ଖଜୁରୀପଡ଼ା ଥାନାରେ ମଙ୍ଗଳବାର ଦିନ ନିଖୋଜ ମାମଲା ରୁଜୁ ହୋଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବୁଧବାର ଦିନ ଉକ୍ତ ଘାଟି ରାସ୍ତା ପାର୍ଶ୍ବରେ ଦୁର୍ଯ୍ୟୋଧନଙ୍କ ଅର୍ଦ୍ଧଦଗ୍ଧ ଶବକୁ ଦେଖିଥିଲେ। ଏହାପରେ ବାପା ଦାଶରଥି ବଗର୍ତ୍ତୀ ଟିକାବାଲି ଥାନାରେ ଏତାଲା ଦେଇଥିଲେ।

ଏସମ୍ପର୍କରେ ଜି ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ସବିଶେଷ ତଥ୍ୟ ରଖିଛନ୍ତି। ପ୍ରକାଶଯୋଗ୍ୟ, ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ହଂସଙ୍କ ଭାଇ ମାନସ ହଂସଙ୍କ ସାତ ମାସ ପୂର୍ବରୁ ମୃତ୍ୟୁ ହୋଇଛି। ମାନସଙ୍କୁ ଦୁର୍ଯୋଧନ ଗୁଣି ଗାରେଡ଼ି କରି ମାରିଥିବା ପରିବାର ଲୋକଙ୍କ ମନରେ ସନ୍ଦେହ ହେବା ପରେ ଏନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ପ୍ରତିହିଂସା ପରାୟଣ ହୋଇ ଗତ ରବିବାର ସନ୍ଧ୍ୟାରେ ଗାଁ ଠାରୁ ତିନି କିମି ଦୂର ଆର୍.ନୂଆଗାଁକୁ ଚିକେନ ମାଂସ ଆଣିବାକୁ ଯାଇଥିବା ଦୁର୍ଯ୍ୟୋଧନର ଫେରନ୍ତା ସମୟକୁ ଚାହିଁ ବସିଥିଲେ ଅଭିଯୁକ୍ତମାନେ। ରାତି ପ୍ରାୟ ପ୍ରାୟ ୯ଟା ବେଳେ ମାଂସ ନେଇ ଫେରୁଥିବା ଦୁର୍ଯ୍ୟୋଧନକୁ ଘର ଠାରୁ ୫୦୦ ମିଟର ଦୂରରେ ଅଭିଯୁକ୍ତ ପ୍ରକାଶ ଏକ କାଠ ଫାଳିଆରେ ମୁଣ୍ଡକୁ ଆକ୍ରମଣ କରିଥିଲା। ସଙ୍ଗେ ସଙ୍ଗେ ତଳେ ପଡ଼ି ଛଟପଟ ହେଉଥିବା ଦୁର୍ଯ୍ୟୋଧନକୁ ସହଯୋଗୀ ଅଭିଯୁକ୍ତ ଜିତେନ୍ଦ୍ର (୨୫) ସହିତ ମିଶି ନିକଟରେ ଥିବା ଏକ ବୁଦାମୂଳକୁ ଟାଣି ନେଇଥିଲା । ସେଠାରେ ମୃତକ ଜଣକ କାଳେ ବଞ୍ଚିଯିବ ଭାବି ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ।

ପରେ ପରେ ଅଭିଯୁକ୍ତ ପ୍ରକାଶ ତାର ବଡ଼ ଭାଇ ମୁକେଶକୁ ଫୋନ୍ କରି ଡାକିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଖଲିବେରେଣାରୁ ମୋଟର ସାଇକେଲରେ ଶବଟିକୁ ରଖି ଲାଇନ୍ ପଡ଼ା - ପସରା ଘାଟି ରାସ୍ତାକୁ ଆସିଥିଲେ। ଶବଟିକୁ ରାସ୍ତା କଡ଼ରେ ଥିବା ବୁଦା ମୂଳେ ରଖି ଗାଡ଼ିରୁ ପେଟ୍ରୋଲ ବାହାର କରି ପୋଡ଼ି ଦେଇ ଚାଲି ଯାଇଥିଲେ। ଏ ସମ୍ପର୍କରେ ଟିକାବାଲି ଥାନାରେ ୦୫/୨୦୨୬ ରେ ହତ୍ୟା ମାମଲା ରୁଜୁ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କାଠ, ପଥର ଓ ମୋଟର ସାଇକେଲ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ଜି ଉଦୟଗିରି କୋର୍ଟ ଚାଲାଣ କରାଯିବ ବୋଲି ଟିକାବାଲି ଥାନା ଅଧିକାରୀ ପ୍ରଜ୍ଞା ରୀତାମ୍ଭରା କର ସୂଚନା ଦେଇଛନ୍ତି।