ସୋଆ କୃଷି ମହାବିଦ୍ୟାଳୟ ଦ୍ୱାରା ଆଂଟି ନାର୍କୋଟିକ୍ସ କର୍ମଶାଳା ଅନୁଷ୍ଠିତ, ନାଟକ ମାଧ୍ୟମରେ ବି ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନତା

NEWS7
excise-raid-at-athagarh-4

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ଜାତୀୟ ସେବା ସଂସ୍ଥା (ଏନ୍ଏସ୍ଏସ୍) ୟୁନିଟ ପକ୍ଷରୁ ସୋମବାର ପଣ୍ଡାକୁଦିଆ ବସ୍ତି ଅଂଚଳରେ ଏକ ଆଂଟି ନାର୍କୋଟିକ୍ସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଏନଏସ୍ଏସ୍ ସ୍ୱେଚ୍ଛାସେବୀ ସକ୍ରିୟ ଭାବରେ ଭାଗ ନେଇଥିଲେ ।

ଏହି କର୍ମଶାଳାଟିକୁ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପ୍ରୋଗ୍ରାମ କୋଅର୍ଡିନେଟର ପ୍ରଫେସର କମଳ ଲୋଚନ ମହନ୍ତ ଓ ବରିଷ୍ଠ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ସରୋଜ କୁମାର ମହାନ୍ତି ଉଦଘାଟନ କରି ନିଶା ଓ ମାଦକ ଦ୍ରବ୍ୟର ଅପକାରିତା ଓ ଶରୀର ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାକୁ ବସ୍ତି ବାସିନ୍ଦାମାନଙ୍କୁ ନିବେଦନ କରିଥିଲେ । ଏହି କର୍ମଶାଳାଟିରେ ପଣ୍ଡାକୁଦିଆର ଶତାଧିକ ବସ୍ତି ବାସିନ୍ଦା ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ମଧ୍ୟରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ମାନସ ଦାସଙ୍କ ରଚିତ ପଥପ୍ରାନ୍ତ ନୁକ୍କଡ ନାଟକ “ନିଶାକୁ ନା” ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହି ନାଟକ ମାଧ୍ୟମରେ ମାଦକ ଦ୍ରବ୍ୟ ବ୍ୟବହାର, ତା’ର କୁପରିଣାମ ଏବଂ ଏହାର ଅପକାରିତା ବିଷୟରେ ଅବଗତ କରାଇବା ସହ ଗ୍ରାମବାସୀମାନେ ସମୂହ ଶପଥ ଗ୍ରହଣ କରିଥିଲେ । ଏଥିରେ ସମସ୍ତେ ନିଶାମୁକ୍ତ ସମାଜ ଗଢ଼ିବା ପାଇଁ ପ୍ରତିବଦ୍ଧ ହେବାକୁ ସଂକଳ୍ପ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀମାନେ ପଦଯାତ୍ରା କରି ନିଶା ନିବାରଣର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମନରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ ସମାଜ ଗଠନରେ ଏକ ସାର୍ଥକ ପଦକ୍ଷେପ ସାବ୍ୟସ୍ତ ହୋଇପାରିଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ଡକ୍ଟର ସତ୍ୟ ନାରାୟଣ ଶତପଥୀ, ଡକ୍ଟର ମୁକେଶ କୁମାର ପାତ୍ର ଏବଂ ଡକ୍ଟର ଶ୍ୱେତା ରଥ ପରିଚାଳନା କରିଥିଲେ ।