Live Live
LIVE

ଏଲପିଜି ସିଲିଣ୍ଡର ଅଭାବ; ମୁମ୍ବାଇ ଓ ବେଙ୍ଗାଲୁରୁରେ ବନ୍ଦ ହୋଇପାରେ ହୋଟେଲ ଶିଳ୍ପ, ସରକାର କହିଲେ...

NEWS7
england-t20-series-will-be-selected-by-world-cup-team-batting-coach-vikram-rathore-said-big-thing

ନୂଆଦିଲ୍ଲୀ: ହଠାତ୍ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଯୋଗାଣ ବନ୍ଦ ହୋଇଯିବାରୁ କେବଳ ବେଙ୍ଗୁଲୁରୁ ନୁହେଁ, ସାରା ଭାରତରେ ଏବେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି। ଯଦି ଗ୍ୟାସ୍ ଯୋଗାଣ ଆରମ୍ଭ ନ ହେଲା ତେବେ କିଛିଦିନ ମଧ୍ୟରେ ହୋଟେଲଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ମୁମ୍ବାଇ ଓ କର୍ଣ୍ଣାଟର ରେଷ୍ଟୁରାଣ୍ଟ ଆସୋସିଏସନ ଚେତାବନୀ ଦେଇଛି।

ହୋଟେଲ ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଗ୍ୟାସ୍ ଯୋଗାଣ ବନ୍ଦ ଯୋଗୁ ମୁମ୍ବାଇ ଓ ବେଙ୍ଗାଲୁରୁ ସେବା ପ୍ରଭାବିତ ହେଲାଣି। ଯଦି ଆଉକିଛି ଦିନ ଏଭଳି ସ୍ଥିତି ଜାରି ରହେ ତାହାଲେ ହସ୍ପିଟାଲିଟି ସେକ୍ଟର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି। ଆମେରିକା, ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ କରିବା ପରେ ସେଠାରେ ଯୁଦ୍ଧ ଜାରି ରହିଛି। ପଶ୍ଚିମ ଏସିଆରେ ଅସ୍ଥିରତା ଯୋଗୁ ଯୋଗାଣ ବନ୍ଦ ହୋଇଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ରେଷ୍ଟୁରାଣ୍ଟ ବନ୍ଦ ହେବା ନେଇ ଦେଲେ ଚେତାବନୀ

ଇଣ୍ଡିଆ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟର ସଂଘର ସଭାପତି ବିଜୟ ଶେଟ୍ଟି କହିଛନ୍ତି ଗ୍ୟାସ୍ ଯୋଗାଣ ଦ୍ରୁତ ଗତିରେ କମୁଛି। ଖୁବ୍‌ଶୀଘ୍ର ହୋଟେଲ୍ ଶିଳ୍ପରେ ଅଚାଳବସ୍ଥା ଦେଖାଯିବ। ଯଦି ଏଭଳି ସ୍ଥିତି ଲାଗି ରହିଲା ତେବେ ମୁମ୍ବାଇର ସବୁ ରେଷ୍ଟୁରାଣ୍ଟ ଆସନ୍ତା ଦୁଇଦିନ ମଧ୍ୟରେ ବନ୍ଦ ହୋଇଯିବ। ସେଟ୍ଟି କହିଛନ୍ତି ଯେ ସଂଘ ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛି। ଏବଂ ମହାରାଷ୍ଟ୍ର ସିଭିଲ ଯୋଗାଣ ମନ୍ତ୍ରୀ ଛଗନ ଭୁଜବଳଙ୍କ ସହ ଯୋଗାଯୋଗରେ ଅଛି। ଆଜି ସୁଦ୍ଧା, ଆମର ୧୦-୨୦ ପ୍ରତିଶତ ସଦସ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଆସନ୍ତାକାଲି ସୁଦ୍ଧା ଏହା ୬୦ ପ୍ରତିଶତ ହୋଇଯିବ। ପରଦିନ ସୁଦ୍ଧା, ଏହା ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ୧୦୦ ପ୍ରତିଶତ ପ୍ରଭାବ ପକାଇବ, ଫଳରେ ଏଗୁଡ଼ିକ ବନ୍ଦ ହେବାକୁ ବାଧ୍ୟ ହେବେ। ରେଷ୍ଟୁରାଣ୍ଟ ମାଲିକମାନେ କହିଛନ୍ତି ଯେ ରବିବାର ଠାରୁ ବାଣିଜ୍ୟିକ ଏଲପିଜି ଯୋଗାଣ ପ୍ରାୟତଃ ବନ୍ଦ ହୋଇଯାଇଛି, ଯେତେବେଳେ ଘରୋଇ ସିଲିଣ୍ଡର ବୁକିଂ ପରେ ଦୁଇରୁ ଆଠ ଦିନ ପର୍ଯ୍ୟନ୍ତ ଡେଲିଭରି ବିଳମ୍ବ ହେଉଛି।

ମୁଲୁଣ୍ଡରେ ହୋଟେଲ ସାଗର ଚଳାଉଥିବା ଅନ୍ନୁ ଶେଟ୍ଟି କହିଛନ୍ତି ଯେ ବାଣିଜ୍ୟିକ ସିଲିଣ୍ଡର ଖୋଜିବା କଷ୍ଟକର ହୋଇଗଲାଣି। ଆମେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ପାଉ ନାହୁଁ। କିଛି ସ୍ଥାନରେ ଯଦିଓ ଏହା ଉପଲବ୍ଧ ରହିଛି କିନ୍ତୁ ୧,୭୫୦ ଟଙ୍କାର ସିଲିଣ୍ଡର ୧,୯୫୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ମାର୍କେଟ୍ ମହଙ୍ଗା ହେଇଯାଉଛି ବୋଲି ସେ କହିଛନ୍ତି।

ଘରୋଇ ଡିମାଣ୍ଡ ବଢ଼ାଉଛି ଚାପ

ଯୋଗାଣ ସଙ୍କଟ ପରିବାର ମଧ୍ୟରେ ଭୟ ସୃଷ୍ଟି କରିଛି। ଦୁଇଟି ଘରୋଇ ସଂଯୋଗ ଥିବା ଗ୍ରାହକମାନେ ରିଫିଲ୍ ବୁକ୍ କରିବାକୁ ମାର୍କେଟ୍ରେ ଲମ୍ବା ଲାଇନ ଲଗାଇଛନ୍ତି। ଫଳରେ ଡିଲର ଆଉଟଲେଟରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଡିଲରମାନେ କହିଛନ୍ତି ଯେ ଏଭଳି ଅଭାବ ଲାଗି ରହିଲେ କିଛି ଲୋକେ ସବସିଜି ଯୁକ୍ତ କମର୍ସିଆଲ୍ ସିଲିଣ୍ଡରକୁ ବ୍ଲାକରେ ବିକ୍ରି କରି ଲାଭ ଅର୍ଜନ କରିବେ। ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଡିଲରମାନେ ଚେତାବନୀ ଦେଇଛନ୍ତି।

ଘରୋଇ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି ସରକାର

ସରକାରୀ ସୂତ୍ର ଅନୁଯାୟୀ, ଯୋଗାଣ ସଙ୍କଟ ମଧ୍ୟରେ ଘରୋଇ ରନ୍ଧନ ଗ୍ୟାସ ଯୋଗାଣକୁ ପ୍ରାଥମିକତା ଦେବାକୁ ତୈଳ ବିପଣନ କମ୍ପାନୀଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଇଣ୍ଡିଆନ ଅଏଲ୍ କର୍ପୋରେସନ, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଆଦି ଘରୋଇ କମ୍ପାନୀ ଗ୍ୟାସ୍ ଯୋଗାଣ କାର୍ଯ୍ୟରେ ଲାଗିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଏଲ୍ପିଜି ଡେଲିଭରି ପିରିୟଡ ଏବେ ୧୫ ଦିନରୁ ୨୫ ଦିନ ହୋଇଗଲାଣି। ଗ୍ୟାସ୍ ଡେଲିଭରି ୧୦ ଦିନ ବିଳମ୍ବ ହେଉଛି। ତେବେ ଭାରତରେ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ନହେବାକୁ ସରକାର ଅନ୍ୟ ଦେଶରୁ ଗ୍ୟାସ୍ ଆମଦାନୀ କରିବାକୁ ବିକଳ୍ପ ଖୋଜୁଛନ୍ତି। ଭାରତ ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା ଏବଂ ନରୱେରୁ ଆମଦାନୀ କରିବାକୁ ଯୋଜନା ଚଳାଇଛି।

ଯୋଗାଣ ବାଧାପ୍ରାପ୍ତ ହେବା ପରେ ସରକାରଙ୍କ ପଦକ୍ଷେପ

ହସ୍ପିଟାଲିଟି ଶିଳ୍ପର ବଢ଼ୁଥିବା ଚିନ୍ତା ମଧ୍ୟରେ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ ବିଶ୍ୱ ଭୂରାଜନୈତିକ ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ବାଧା ପରେ ଏଲପିଜି ଯୋଗାଣକୁ ସ୍ଥିର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ତୈଳ ବିଶୋଧନାଗାରଗୁଡ଼ିକୁ ଏଲପିଜି ଉତ୍ପାଦନ ବୃଦ୍ଧି କରିବା ଏବଂ ଅତିରିକ୍ତ ଉତ୍ପାଦନକୁ ଘରୋଇ ବ୍ୟବହାର ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି "ଇନ୍ଧନ ଯୋଗାଣରେ ବର୍ତ୍ତମାନର ଭୂରାଜନୈତିକ ବାଧା ଏବଂ ଏଲପିଜି ଯୋଗାଣରେ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି, ମନ୍ତ୍ରଣାଳୟ ତୈଳ ବିଶୋଧନାଗାରଗୁଡ଼ିକୁ ଅଧିକ ଏଲପିଜି ଉତ୍ପାଦନ ଏବଂ ଘରୋଇ ଏଲପିଜି ବ୍ୟବହାର ପାଇଁ ଅତିରିକ୍ତ ଉତ୍ପାଦନ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି।"