ଏଥର ବି ଦୁର୍ଗନ୍ଧରେ ଫାଟିବ ଖଣ୍ଡଗିରି ପାଦଦେଶ ଅଞ୍ଚଳ, ୧୫ ହଜାର ଲୋକଙ୍କୁ ୨୦ ଟଏଲେଟ

NEWS7
elhi-ncr-heavy-rain-strong-winds-and-thunder-of-clouds-temperature-dropped-relief-to-people

ଭୁବନେଶ୍ୱର ୧୪।୦୧ : ଏଥର ବି ଦୁର୍ଗନ୍ଧରେ ଫାଟିବ ଖଣ୍ଡଗିରି ପାଦଦେଶ ଅଞ୍ଚଳ । ଖଣ୍ଡଗିରି ଫ୍ଲାଏଓଭର ତଳ ଓ ଛକରେ ଗୋଡ଼ାଇବ ପରିସ୍ରା ଗନ୍ଧ । ବ୍ୟବସ୍ଥା ଓ ପ୍ରସ୍ତୁତି ଯାହା, ଖଣ୍ଡଗିରି ଯାତ୍ରା ସମୟରେ ପରିମଳ ସ୍ଥିତି ବଦଳିବା ଆଶା କମ୍ । ପ୍ରସ୍ତୁତି ଜୋରଦାର । ଆସନ୍ତା ୨୫ରୁ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା । ୨୭ରୁ ଫେବ୍ରୁଆରୀ ୭ ଯାଏ ଚାଲିବ ପ୍ରସିଦ୍ଧ ଯାତ୍ରା ମହାକୁମ୍ଭ । ଏକାଠି ହେବେ ହଜାର ହଜାର ଲୋକେ । ରାଜ୍ୟର କୋଣ ଅନୁକୋଣରୁ ମାଡ଼ି ଆସିବେ ଯାତ୍ରା ପ୍ରେମୀ । ରଙ୍ଗୀନ ଆଲୁଅର ଚକିମିକିରେ ଝଲସିବ ଓ ନିଶାର୍ଦ୍ଦର ସଂଳାପରେ ଦୁଲୁକିବ ଖଣ୍ଡଗିରି ।

ଚଳିତବର୍ଷ ୭ଟି ମଞ୍ଚରେ ପରିବେଷିତ ହେବ ଯାତ୍ରା । ପ୍ରତି ରାତିରେ ଏକ ସମୟରେ ୭ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ । ଆକଳନ ଅନୁସାରେ ପ୍ରତି ଯାତ୍ରା ପେଣ୍ଡାଲରେ ସର୍ବନିମ୍ନ ୨ ହଜାର ପାଖାପାଖି ସିଟ୍ ବ୍ୟବସ୍ଥା କରାଯାଇଥାଏ । ଅର୍ଥାତ ଗୋଟିଏ ରାତିରେ ଯାତ୍ରା ଦେଖିବାକୁ ପ୍ରାୟ ୧୪ ହଜାରରୁ ୧୫ ହଜାର ଯାତ୍ରା ପ୍ରେମୀ ଆସିଥିବେ । ଏହା ସାଙ୍ଗକୁ ମେଳା ଦେଖିବାକୁ ଦିନରାତି ହଜାର ହଜାର ଲୋକେ ଆସିବେ । ଶତାଧିକ ବ୍ୟବସାୟୀ ରାସ୍ତାର ଏପାଖରୁ ସେପାଖ ବ୍ୟବସାୟ ପସରା ମେଲାଇବେ । ଚିନ୍ତାର ବିଷୟ ହେଲା, ଏତେ ଲୋକେ ପରିସ୍ରା କରିବେ କେଉଁଠି? ବିଏମସି ପକ୍ଷରୁ ସାଧୁସନ୍ଥଙ୍କ ପାଇଁ ଅତିରିକ୍ତ ଶୌଚାଳୟ ବ୍ୟବସ୍ଥା କରାଯାଇଥିବାବେଳେ ଯାତ୍ରା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ୨୦ଟି ମୋବାଇଲ ଟଏଲେଟ ବ୍ୟବସ୍ଥା କରାଯାଇଛି । ୧୦ଟି ପୁରୁଷଙ୍କ ପାଇଁ ଓ ୧୦ଟି ମହିଳାଙ୍କ ପାଇଁ । ଏହାବାଦ୍ ବିଭିନ୍ନ ଯାତ୍ରା ଆୟୋଜକ କମିଟି ପକ୍ଷରୁ ପେଣ୍ଡାଲ ପାଖରେ ୫ଟି ଶୌଚାଳୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନହେଲେ ଏନ୍ଓସି ଦେବାକୁ ମନା କରାଯାଇଛି । ମାତ୍ର ଏହା ପର୍ଯ୍ୟାପ୍ତ ହେବ ତ? ଏଥିରୁ ଅନୁମାନ କରାଯାଇପାରେ, ଯାତ୍ରା ଦେଖିବାକୁ ଆସିଥିବା ହଜାର ହଜାର ଲୋକେ ଏ ବର୍ଷ ବି ଓଭରବ୍ରିଜ ତଳେ, ଟେଣ୍ଟ ପଛ ପଟେ, ରାସ୍ତା ପାଶ୍ୱର୍ରେ ପରିସ୍ରା କରିବେ । ଆଉ ପୂରା ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ିବ । ବିଏମ୍ସି ଦକ୍ଷିଣ-ପୂର୍ବ ଜୋନାଲ କମିଶନର ରାକେଶ ପାତ୍ର କହିଛନ୍ତି, ପରିମଳ ବ୍ୟବସ୍ଥା ନେଇ ବିଏମସି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । ଆବଶ୍ୟକତା ଦେଖି ଶୌଚାଳୟ ସଂଖ୍ୟା ବଢାଯିବ ।