ବନ୍ଧୁ ସାଜିଲେ ବଇରୀ, ରାସ୍ତାରୁ ହଟାଇବା ପାଇଁ କରିଥିଲେ ଭୟଙ୍କର ଷଡ଼ଯନ୍ତ୍ର !

NEWS7
eleventh-brics-summit-start-from-today-at-brazil

ବନ୍ଧୁ ସାଜିଲେ ବଇରୀ। ରାସ୍ତାରୁ ହଟାଇବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର। ମିଛ ଆରୋପ ଆଣିଲେ, ଭିଡ଼କୁ ଠେଲିଦେଲେ। ବିଚରା କେତେ କାକୁତିମିନତୀ ହେଉଥିଲେ… ହାତ ଯୋଡ଼ି କହୁଥିଲେ, ମୋର ଭୁଲ ନାହିଁ ମୋତେ ଫସାଇ ଦେଇଛନ୍ତି। ହେଲେ କେହି ଶୁଣିଲେନି, ଆଖିବୁଜି ପିଟିଚାଲିଲେ, ସେତିକିରେ ମନ ବୁଝିଲାନି। ଉଲଗ୍ନ କରି ଗଛରେ ଟାଙ୍ଗିଦେଲେ, ନିଆଁ ଲଗାଇଦେଲେ। ହୁତୁହୁତୁ ହୋଇ ଜଳୁଥିଲା ଶରୀର, ଖୁସି ମନାଉଥିଲେ ସାଙ୍ଗ। ଆଉ ଦେଖଣାହାରୀ ସାଜିଥିଲା ବାଂଲାଦେଶ ପୋଲିସ। ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ବାଂଲାଦେଶରେ ନିର୍ମମ ହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ବାଂଲାଦେଶରେ ସ୍ଥିତି ଅଣାୟତ୍ତ। ଥମୁନି ହିଂସା। ଚାରିଆଡେ ନିଆଁ। ଭାରତ ବିରୋଧୀ ନାରା। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ। ଆଉ ଏସବୁର କାର୍ପଟଦାର ସାଜିଛି ବାଂଲାଦେଶ ପୋଲିସ। ଭାରତ ବିରୋଧୀ ଯୁବନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଘଟଣା ଆକ୍ସନ ନନେଇ ନିଆଁରେ ଘିଅ ଢ଼ାଳିଥିଲା ପୋଲିସ। ତଦନ୍ତ ନକରି ଚୁପ୍ ହୋଇ ବସିରହିଥିଲା। ଦୋଷ ଢ଼ାଳିଥିଲା ସଂଖ୍ୟାଲଘୁଙ୍କ ଉପରେ। ଆରମ୍ଭ ହୋଇଥିଲା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ଚରମ ନିର୍ଯାତନା।

ଢ଼ାକାରେ ଜାଗିଉଠିଛନ୍ତି ମୌଳବାଦୀ ତତ୍ତ୍ୱ। ଭିଡ଼ ହିଂସାରେ ଚାଲିଗଲା ଜଣେ ହିନ୍ଦୁ ଯୁବକଙ୍କ ଜୀବନ। ଦୁବାଲିଆ ଅଞ୍ଚଳରେ ଭଡ଼ାରେ ରହୁଥିଲେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ। ବୟସ ୨୭ ବର୍ଷ। ମୈମନସିଂ ଜିଲାର ଏକ ପୋଷାକ ଫ୍ରାକ୍ଟିର କର୍ମଚାରୀ ଥିଲେ। ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ତାଙ୍କୁ ପ୍ରଫେଟ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ। ଯଦି କାରଖାନା କର୍ତ୍ତୃପକ୍ଷ ସମୟ ମଧ୍ୟରେ ପୋଲିସକୁ ସୂଚନା ଦେଇଥାନ୍ତେ, ତେବେ ଦୀପୁର ଜୀବନ ରକ୍ଷା ହୋଇପାରିଥାନ୍ତା। ବରଂ ଓଲଟା କାରଖାନା କର୍ତ୍ତୃପକ୍ଷ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ତାଙ୍କୁ କାର୍ଯ୍ୟସ୍ଥଳରୁ ବହିଷ୍କାର କରିଥିଲେ। ହିଂସାତ୍ମକ ଉଗ୍ରବାଦୀଙ୍କୁ ହସ୍ତାନ୍ତର କରିଥିଲେ। ଶେଷରେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ।

ସବୁଠ ବଡ଼ କଥା ହେଲା- ଦୀପୁ ଚନ୍ଦ୍ର ଦାସଙ୍କ ବିରୁଦ୍ଧରେ ଈଶ୍ୱରନିନ୍ଦା ଅଭିଯୋଗର କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ରାପିଡ୍ ଆକ୍ସନ୍ ବାଟାଲିଅନ୍ କମାଣ୍ଡର ନଇମୁଲ ହାସନ କହିଛନ୍ତି ଯେ ଦୀପୁ କ’ଣ କହିଥିଲେ କିମ୍ବା କରିଥିଲେ ଯାହା ବିବାଦ ସୃଷ୍ଟି କରିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତଦନ୍ତରୁ ଜଣାପଡିଛି ଯେ କାରଖାନାର ଫ୍ଲୋର୍ ସୁପରଭାଇଜର ଏବଂ କ୍ୱାଲିଟି ସୁପରଭାଇଜର ଦୀପୁଙ୍କୁ ପୋଲିସକୁ ହସ୍ତାନ୍ତର କରିବା ପରିବର୍ତ୍ତେ ଜନତାଙ୍କୁ ହସ୍ତାନ୍ତର କରିଥିଲେ। ସିସିଟିଭି ଫୁଟେଜ୍ ଏବଂ ଭିଡିଓ ଫୁଟେଜ କରିବା ପରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇଛି। ଯେଉଁଥିରେ କାରଖାନା ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

RAB-୧୪ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଏହି ହତ୍ୟା ହଠାତ୍ ହିଂସାର ପରିଣାମ ନୁହେଁ, କିନ୍ତୁ ସ୍ପଷ୍ଟ ଭାବରେ ପୂର୍ବ ଯୋଜନାବଦ୍ଧ ଯୋଜନାର ସଙ୍କେତ। ବାଧ୍ୟତାମୂଳକ ଇସ୍ତଫା, ପୋଲିସକୁ ସୂଚନା ଦେବାରେ ବିଳମ୍ବ ଏବଂ ଶେଷରେ ଦୀପୁର ଭିଡ଼ ନିକଟରେ ଆତ୍ମସମର୍ପଣ ଏସବୁ ଏକ ପୂର୍ବ ଯୋଜନାବଦ୍ଧ କାର୍ଯ୍ୟକୁ ସୂଚିତ କରେ। ସବୁଠୁ ଦୁଃଖର କଥା ହେଲେ ପୋଲିସ ଥାଇ ବି ଭିଡ଼ ହିଂସାରୁ ଦୀପୁଙ୍କୁ ରକ୍ଷା କରିପାରିଲାନି।

କୁହାଯାଉଛି- କାରଖାନାରେ ପ୍ରମୋସନ ପାଇଥିଲେ ଦୀପୁ, ଯେଉଁଥିପାଇଁ ସଂଖ୍ୟାଲୁଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ପଦୋନ୍ନତିକୁ ସହ୍ୟ କରିପାରିନଥିଲେ କମ୍ପାନିରେ କାମକରୁଥିବା ଦୀପୁଙ୍କ ବନ୍ଧୁ। ଫଳରେ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ମିଥ୍ୟା ଅଭିଯୋଗ ଆଣି ଦୀପୁଙ୍କ ପାଇଁ ମୃତ୍ୟୁର ରାସ୍ତା ଖୋଲିଦେଲେ। ଦୀପୁ ଚନ୍ଦ୍ର ଦାସ ତିନି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦେଢ଼ ବର୍ଷର ଶିଶୁ ଅଛନ୍ତି। ଏବେ ଏମାନେ ଅସହାୟ। ଧର୍ମ ନାଁରେ ଅରାଜକତାର ପରିଣାମ କେତେ ଦୁଃଖ ଏବଂ ଭୟଙ୍କର ହୋଇପାରେ, ତାର ଉଦାହରଣ ବାଂଲାଦେଶରେ ଦେଖିବାକୁ ମିଳିଛି।