ପରମାଣୁ ସକ୍ଷମ ଓରେସନିକ ମିସାଇଲ୍ ଆକ୍ଟିଭ କଲା ରୁଷ, ପୁଟିନଙ୍କ ଘର ଉପରେ ଆକ୍ରମଣ ୟୁକ୍ରେନ ପାଇଁ ହୋଇପାରେ କାଳ

NEWS7
elephant-herd-wreaks-havoc-in-champua-range-of-keonjhar

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ପରେ ରୁଷ ବଡ଼ ପଦକ୍ଷେପ ନେଇଛି । ରୁଷ ପ୍ରଥମ ଥର ପାଇଁ ପରମାଣୁ ସକ୍ଷମ ଓରେସନିକ ମିସାଇଲକୁ ଆକ୍ଟିଭ କରିଛି । ମସ୍କୋର ଏହି ପଦକ୍ଷେପ ପରେ ୟୁକ୍ରେନ ଉପରେ ବିନାଶକାରୀ ପରମାଣୁ ଆକ୍ରମଣର ବିପଦ ବଢିଛି । ରୁଷ ସେନା ୟୁକ୍ରେନ ମହାବିନାଶକ ଆକ୍ରମଣ କରିପାରେ ।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ରୁଷର ପରମାଣୁ ସକ୍ଷମ ଓରେସନିକ ମିସାଇଲ ସକ୍ରିୟ ସେବାରେ ସାମିଲ ହୋଇଛି । ଓରେସନିକ ମିସାଇଲକୁ ଏପରି ସମୟରେ ସକ୍ରିୟ ସେବାରେ ସାମିଲ କରାଯାଇଛି, ଯେତେବେଳେ ୟୁକ୍ରେନରେ ମସ୍କୋ ସହ ଯୁଦ୍ଧକୁ ଶେଷ କରିବା ପାଇଁ ଶାନ୍ତି ବାର୍ତ୍ତାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ଲାଗିଛି । ମନ୍ତ୍ରଣାଳୟ କହିଛି, ଏହି ମିସାଇଲକୁ ପଡ଼ୋଶୀ ଦେଶ ବେଲାରୁଷରେ ନିୟୋଜିତ କରାଯାଇଛି । ତେବେ କେତେ ମିସାଇଲ୍ ନିୟୋଜିତ କରାଯାଇଛି ସେ ବାବାଦରେ ବିଶେଷ ସୂଚନା ଦିଆଯାଇନାହିଁ ।

ପୁଟିନଙ୍କ ସରକାରୀ ବାସଭବନ ଉପରେ ଡ୍ରୋନ ଆକ୍ରମଣର ଗୋଟିଏ ଦିନ ପରେ ଏହି କ୍ଷେପଣାସ୍ତ୍ରଗୁଡ଼ିକର ମୁତୟନ କରାଯାଇଛି । ପୁଟିନ ୟୁକ୍ରେନ ଦ୍ୱାରା ଡ୍ରୋନ ଆକ୍ରମଣ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅବଗତ କରାଇଥିଲେ । ଟ୍ରମ୍ପ ୟୁକ୍ରେନର କାର୍ଯ୍ୟକୁ ଅତ୍ୟନ୍ତ ଖରାପ ବୋଲି କହିଥିଲେ । ସେ କହିଥିଲେ, "ଏହା ବହୁତ ବଡ଼ ଭୁଲ । ମୁଁ ଏ ବିଷୟରେ ବହୁତ କ୍ରୋଧିତ ।" ସେ ଏହା ମଧ୍ୟ କହିଥିଲେ ଯେ ଏହା ଶାନ୍ତି ପ୍ରକ୍ରିୟାକୁ ବାଧା ଦେଉଥିବା ପଦକ୍ଷେପ ହୋଇପାରେ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ଆରମ୍ଭରେ କହିଥିଲେ ଯେ ଓରେସନିକ୍ ଏହି ମାସରେ ଯୁଦ୍ଧ ଦାୟିତ୍ୱରେ ଯୋଗଦେବେ ।

ପୁଟିନ ୟୁକ୍ରେନକୁ ଚେତାବନୀ ଦେଇଛନ୍ତି ଯେ ଯଦି କିଭ୍ ଏବଂ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଶାନ୍ତି ଆଲୋଚନାରେ କ୍ରେମଲିନର ଦାବିକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ମସ୍କୋ ୟୁକ୍ରେନରେ ଆଗକୁ ବଢିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ତାଙ୍କ ଫ୍ଲୋରିଡା ରିସର୍ଟରେ ଜେଲେନସ୍କିଙ୍କୁ ଭେଟିଥିଲେ । ସେ ଜୋର ଦେଇ କହିଥିଲେ ଯେ କିଭ୍ ଏବଂ ମସ୍କୋ ଏକ ଶାନ୍ତି ଚୁକ୍ତିର ଅଧିକ ନିକଟତର ଅଛନ୍ତି ।

ଘାତକ କ୍ଷେପଣାସ୍ତ୍ର ଓରେସନିକ୍

ପୁଟିନ ଓରେସନିକର କ୍ଷମତାକୁ ଅନେକ ଥର ପ୍ରଶଂସା କରିସାରିଛନ୍ତି । ସେ କହିଛନ୍ତି ଯେ ଏହାର ବହୁବିଧ ଯୁଦ୍ଧାସ୍ତ୍ର ମାକ୍ ୧୦ ପର୍ଯ୍ୟନ୍ତ ବେଗରେ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିପାରିବ ଏବଂ ଏହାକୁ ଅଟକାଇବା ଅସମ୍ଭବ । ସେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇଥିଲେ ଯେ ମସ୍କୋ ଏହାକୁ ୟୁକ୍ରେନର ନାଟୋ ସହଯୋଗୀଙ୍କ ବିରୁଦ୍ଧରେ ବ୍ୟବହାର କରିପାରିବ । ରୁଷର କ୍ଷେପଣାସ୍ତ୍ର ବାହିନୀ ମୁଖ୍ୟ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଓରେସନିକ୍ ପାରମ୍ପାରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରେ । ଏହାର ରେଞ୍ଜରେ ପୂରା ୟୁରୋପର ରହିଛି । ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ୫୦୦ରୁ ୫,୫୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ ।