LIVE TV

ଚୀନ-ପାକିସ୍ତାନ ଛାନିଆ: ସମୁଦ୍ର ତଳେ ବୁଲିବ ସାଇଲେନ୍ସ କିଲର, ନୌସେନାରେ ସାମିଲ ହେଲା INS ମାହେ

NEWS7
elephant-are-damage-in-patna-range-at-keounjhar

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବୁଷ୍ଟର ଡୋଜ୍। ସମୁଦ୍ର ତଳେ ବୁଲିବ ସାଇଲେନ୍ସ କିଲର। ଚୀନ-ପାକିସ୍ତାନ ଛାନିଆ। ନୌସେନାରେ ସାମିଲ ହେଲା INS ମାହେ। ଏହି ନୂତନ ସବମେରିନ୍ ହଣ୍ଟର ଗଭୀର ଜଳରାଶିରେ ଶତ୍ରୁପକ୍ଷର ବୁଡାଜାହାଜକୁ ଧ୍ୱଂସ କରିବାରେ ସକ୍ଷମ। ଆତ୍ମନିର୍ଭର ଭାରତ ଅଧୀନରେ ୮୦% ସ୍ୱଦେଶୀ ଉପାଦାନ ସହିତ ନିର୍ମାଣ ହୋଇଛି ଏହି ବୁଡାଜାହାଜ। 
ଆରବ ସାଗର ଠାରୁ ଭାରତ ମହାସାଗର ପର୍ଯ୍ୟନ୍ତ। ଭାରତର ସାମୁଦ୍ରିକ ସୀମାର ପ୍ରତ୍ୟେକ ଇଞ୍ଚକୁ ସୁରକ୍ଷା ଦେବା ପାଇଁ ନୌସେନାକୁ ମିଳିଛି ବଳ। ନଭେମ୍ବର ୨୪ ତାରିଖ ସକାଳେ ମୁମ୍ବାଇର ନୌସେନା ଡକୟାର୍ଡରେ ଏହି ଅତ୍ୟାଧୁନିକ ASW କ୍ରାଫ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। କୋଚିନ୍ ସିପୟାର୍ଡରେ ନିର୍ମିତ ଏହି ଯୁଦ୍ଧଜାହାଜ କେବଳ ଅତ୍ୟାଧୁନିକ ପ୍ରଯୁକ୍ତି ନୁହେଁ ବରଂ ଭାରତୀୟ ଜ୍ଞାନ କୌଶଳର ପ୍ରତୀକ।
ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ମାହେର କମିଶନିଂ ସ୍ୱଦେଶୀ ଗଭୀର ଜଳରେ ଶତ୍ରୁ ଯୁଦ୍ଧ ଜାହାଜକୁ ଚିହ୍ନିତ କରିବ। ମାହେ-କ୍ଲାସ୍ ଯୁଦ୍ଧଜାହାଜ ଡିଜାଇନ୍ ଏବଂ ନିର୍ମାଣ ଭାରତର କୌଶଳକୁ ପ୍ରଦର୍ଶନ କରିବ। ଏହା ପଶ୍ଚିମ ସମୁଦ୍ରତଟରେ ଏକ 'ନୀରବ ଶିକାରୀ' ଭାବରେ କାର୍ଯ୍ୟ କରିବ।  INS ମାହେ ୭୮ ମିଟର ଲମ୍ବ ଏବଂ ପ୍ରାୟ ୧୧୫୦ ଟନ୍ ଓଜନ। ଏହା ଭାରତର କିଲର୍ ସବମେରିନ। ଆଖି ପିଛୁଳାକେ ପାଣି ତଳେ ବିପଦକୁ ଦୂର କରିବ। ଭାରତୀୟ ନୌସେନା ପାଇଁ ମୋଟ ୧୬ଟି ମାହେ-କ୍ଲାସ୍ ASW ୱାଟରକ୍ରାଫ୍ଟ ନିର୍ମାଣ କରାଯାଉଛି। INS ମାହେ ସିରିଜର ପ୍ରଥମ ଜାହାଜ। ପ୍ରତି ଛଅ ମାସରେ ଏହି କ୍ଲାସର ନୂତନ ଜାହାଜ ନୌସେନାକୁ ପ୍ରଦାନ କରାଯିବ। ଏହାର ସମସ୍ତ ଜାହାଜ ୨୦୨୯ ସୁଦ୍ଧା ସେବାରେ ସାମିଲ ହେବେ। 
INS ମାହେ ଭାରତର ସାମୁଦ୍ରିକ ପ୍ରତିରକ୍ଷାର ମେରୁଦଣ୍ଡ। ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଡୁଆଲ୍-ସୋନାର୍ କ୍ଷମତା। ଗଭୀର ଜଳ ପାଇଁ ଗୋଟିଏ ଏବଂ ଅଗଭୀର ଜଳ ପାଇଁ ଗୋଟିଏ। ଏହାର ଅର୍ଥ ହେଉଛି ଶତ୍ରୁ ପକ୍ଷର ବୁଡ଼ାଜାହାଜ ଗଭୀର ଜଳରେ କିମ୍ବା ଉପକୂଳ ନିକଟରେ ଲୁଚି ରହିଛି କି ନାହିଁ, INS ମାହେ ଏହାକୁ ଚିହ୍ନଟ କରିବାରେ ସକ୍ଷମ। ଏହି ଜାହାଜଟି ଆଧୁନିକ ଚିହ୍ନଟ ପ୍ରଣାଳୀ, ଦୁଇଟି ସୋନାର ଏବଂ ଉନ୍ନତ ସେନ୍ସର ସହିତ ସଜ୍ଜିତ। ବହୁତ କମ ସମୟ ମଧ୍ୟରେ ଯେକୌଣସି ବିପଦକୁ ଟ୍ରାକ୍, ଲକ୍ ଏବଂ ନିକ୍ଷେପ କରିବାରେ ସକ୍ଷମ। 
INS ମାହେ ଅଗଭୀର ଜଳ ଯୁଦ୍ଧ ପାଇଁ ଡିଜାଇନ୍ କରାଯାଇଛି। ଟର୍ପେଡୋ ଏବଂ ରକେଟ୍ କ୍ଷମତା ରହିଛି। କମ୍ ଶବ୍ଦ ବିଶିଷ୍ଟ ଡିଜେଲ୍ ଇଞ୍ଜିନ ଯୋଗୁଁ ଏହା ସିକ୍ରେଟ ମିଶନ କାର୍ଯ୍ୟ କରିବ। 14 ନଟ୍ ବେଗରେ 1,800 ନଟିକାଲ୍ ମାଇଲ୍ ପରିସର ପର୍ଯ୍ୟନ୍ତ ପାଟ୍ରୋଲିଂ କରିବାର କ୍ଷମତା ରହିଛି।  ଭାରତ ମହାସାଗରରେ ଏହାର ମୁତୟନ ଚୀନ୍ ଏବଂ ପାକିସ୍ତାନୀ ଚେତାବନୀ। ଆରବ ସାଗର ହେଉ କି ଦକ୍ଷିଣ-କେନ୍ଦ୍ରୀୟ ସାମୁଦ୍ରିକ ସୀମା, ଭାରତର ଉପକୂଳ ନିକଟତର ହେବାକୁ ଚେଷ୍ଟା କରିବେନି ଶତ୍ରୁପକ୍ଷ। ସାମୁଦ୍ରିକ ସୁରକ୍ଷାରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।