ସ୍ତ୍ରୀ ଚାହୁଥିଲା ପୁରୁଷ ହେବାକୁ, ସ୍ବାମୀ କହିଲା ଦିଅ ଛାଡ଼ପତ୍ର; କୋର୍ଟ ଦେଲେ ଅନୁମତି

NEWS7
election-commissioner-tips-how-add-name-in-voter-list

ନୂଆଦିଲ୍ଲୀ: ଲିଙ୍ଗ ପରିବର୍ତ୍ତନ ଏବେ ଆଉ କିଛି ନୂଆ କଥା ହୋଇ ରହିନାହିଁ। ଧୀରେ ଧୀରେ ଲୋକେ ଏହାକୁ ସ୍ବୀକାର କରିବା ଆରମ୍ଭ କରୁଛନ୍ତି। ଅବଶ୍ୟ ଏବେବି ଅନେକ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଆଉ ଏହି ଲିଙ୍ଗ ପରିବର୍ତ୍ତନ ସହ ଏକ ରୋଚକ ମାମଲା ଇଣ୍ଟରନେଟ୍ରେ ବେଶ୍ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଲିଙ୍ଗ ପରିବର୍ତ୍ତନ ଇଚ୍ଛା ପାଇଁ ଛାଡ଼ପତ୍ର ଅପିଲ କରିଥିଲେ। ଆଉ କୋର୍ଟ ମଧ୍ୟ ଏହି ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଏହି ଘଟଣା ଆୟଲ୍ୟାଣ୍ଡର।

ସୂଚନା ଅନୁସାରେ, ଲାଉଥ ସ୍ଥିତ ଇଷ୍ଟର୍ଣ୍ଣ ସର୍କିଟ କୋର୍ଟରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ ପୁରୁଷ ହେବାକୁ ଚାହୁଛନ୍ତି। ହେଲେ ଏବିଷୟରେ ସେ (ସ୍ବାମୀ) ଅବଗତ ନଥିଲେ। ବ୍ୟକ୍ତି ଜଣକ ଆହୁରି କହିଛନ୍ତି ତାଙ୍କ ପତ୍ନୀଙ୍କୁ ଏଭଳି ଲିଙ୍ଗ ପରିବର୍ତ୍ତନ କରିବାର ଇଚ୍ଛା ବିବାହ ପୂର୍ବରୁ ଆସିଥିଲା। ହେଲେ ସେ ବିବାହ ସମୟରେ ଏ ବିଷୟରେ କିଛି କହିନଥିଲେ। ଯଦି ପତ୍ନୀ ଏଭଳି କହିଥା’ନ୍ତେ, ତେବେ ବିବାହ ପାଇଁ କେବେବି ରାଜି ହୋଇନଥା’ନ୍ତେ ବୋଲି କହିଛନ୍ତି ବ୍ୟକ୍ତି ଜଣକ।’’ସେ ଆହୁରି କହିଛନ୍ତି, ତାଙ୍କ ସାଥୀ ଏବେ ନିଜକୁ ପୁରୁଷ ବୋଲି ଦର୍ଶାଉଛନ୍ତି। ଏମିତିକୁ ସେ ନିଜ ଡ୍ରାଇଭିଂ ଲାଇସେନ୍ସ ଏବଂ ପାସପୋର୍ଟ ଭଳି ପରିଚୟ ପତ୍ରରେ ମଧ୍ୟ ସେ ନିଜକୁ ପୁରୁଷ ବୋଲି ଦର୍ଶାଉଛନ୍ତି।

ବ୍ୟକ୍ତି ଜଣକ ଅଦାଲତକୁ ଆଉ ଏକ ମାମଲାର ଦୃଷ୍ଟାନ୍ତ ଦେଇଥିଲେ। ଯେଉଁଥିରେ ଏଭଳି ପରିସ୍ଥିତିରେ ବିବାହ- ବିଚ୍ଛେଦ ପାଇଁ କୋର୍ଟ ଅନୁମତି ଦେଇଥିଲେ। ତେବେ ବିଚାରପତି ଟେରେନ୍ସ ଓ’ସୁଲିଭାନ କହିଛନ୍ତି ଯେ, କେବଳ ଲିଙ୍ଗ ପରିବର୍ତ୍ତନ ଯୋଗୁ ବିବାହ- ବିଚ୍ଛେଦ ଅନୁମତି ଦେବା ପାଇଁ ଯଥେଷ୍ଟ ନୁହେଁ। ଅବଶ୍ୟ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆୟରଲ୍ୟାଣ୍ଡରେ ଲିଙ୍ଗଗତ ପରିଚୟକୁ ନେଇ ଥିବା ଆଇନର ସଂଶୋଧନ ମଧ୍ୟ କରାଯାଇଛି। ବିଚାରପତି କହିଥିଲେ ଯେ, ବିବାହ ସମୟରେ ଏଭଳି କୌଣସି ସୂଚନା ଦିଆଯାଇନଥିଲା ଏବଂ ଏଥିରେ କୌଣସି ସମ୍ମତି ମଧ୍ୟ ନଥିଲା। ତେଣୁ ବିବାହ ରଦ୍ଦ ହୋଇଗଲା। କୋର୍ଟ ମାମଲାରେ କୌଣସି ପକ୍ଷଙ୍କୁ ଆଇନଗତ ବିଲ୍ ଦେବାକୁ କହିନଥିଲେ।