ରାଜ୍ୟସଭା ନିର୍ବାଚନରେ କାହାର ହେବେ ନବୀନ ? ବିଜେପିର ନା’ କଂଗ୍ରେସର ?

NEWS7
elder-brother-hatya-younger-in-chandabali

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଅଙ୍କକଷା ଜୋର୍ ଧରିଥିବା ବେଳେ ଚତୁର୍ଥ ଆସନ ପାଇଁ କାହା ପାଖରେ ସଂଖ୍ୟା ନଥିବାରୁ କାହାକୁ କିଏ ସପୋର୍ଟ କରିବେ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଏମିତିରେ ଉଭୟ ବିଜେପି ଓ କଂଗ୍ରେସର ନଜର ଏବେ ନବୀନଙ୍କ ଉପରେ । ଦୁଇ ଜାତୀୟ ଦଳ ନବୀନଙ୍କୁ ମନାଇବାକୁ କସତର ଆରମ୍ଭ କରିଥିବା ଜଣାପଡ଼ିଛି । ଏମିତିରେ ବିଜେଡି ଏବେ କେଉଁ ଆଡ଼କୁ ଢ଼ଳିବ ତା’ ଉପରେ ରହିଛି ସମସ୍ତଙ୍କ ନଜର ।

କାହାର ହେବେ ନବୀନ ? ବିଜେପିର ନା’ କଂଗ୍ରେସର ? ରାଜ୍ୟସଭା ପାଇଁ କିଏ ହାତେଇବ ଚତୁର୍ଥ ଆସନ ? କାହାକୁ ସମର୍ଥନ ଦେବ ବିଜେଡି ? ଏବେ ନବୀନଙ୍କ ଉପରେ ସମସ୍ତଙ୍କ ନଜର । ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ନା’ ବିଜେପି, ନା’ ବିଜେଡି ନା’ କଂଗ୍ରେସ କାହାରି ପାଖରେ ସଂଖ୍ୟା ନାହିଁ । ଏମିତିରେ ଚତୁର୍ଥ ଆସନ ପାଇଁ କିଏ କାହାର ସମର୍ଥନ ଲୋଡ଼ିବେ ସେନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ସାମ୍ନାକୁ ଆସିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଚତୁର୍ଥ ଆସନ ଲାଗି ସେ ବିଜେଡିର ସମର୍ଥନ ଲୋଡ଼ିବେ। ଏଥି ପାଇଁ ଭକ୍ତ ନବୀନଙ୍କୁ ଭେଟିବା ଲାଗି ସମୟ ମାଗିଛନ୍ତି।

କଂଗ୍ରେସ ପାଖରେ ୧୪ ବିଧାୟକ ଓ ସିପିଆଇଏମର ଜଣେ ବିଧାୟକ ଥିବା ବେଳେ ସେମାନଙ୍କୁ ଆହୁରି ୧୫ ବିଧାୟକଙ୍କ ସମର୍ଥନ ଦରକାର । ଏମିତିରେ ବିଜେଡି ଯଦି କଂଗ୍ରେସକୁ ସମର୍ଥନ କରେ ତାହେଲେ ସମସ୍ତଙ୍କ ସହମତିରେ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ । ଜଣେ ଭଲ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇଲେ ଓଡ଼ିଶାର ସମ୍ମାନ ରହିବ । ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଛନ୍ତି ଯେ, ଚତୁର୍ଥ ଆସନ ପାଇଁ ଆବଶ୍ୟକ ପଡ଼ିଲେ ଆମେ ବିଜେଡି ତଥା ନବୀନ ପଟ୍ଟନାୟକଙ୍କ ସମର୍ଥନ ମାଗିପାରୁ ।

ସେପଟେ ବିଜେଡି କହିଛି ରାଜ୍ୟସଭା ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ, ଚତୁର୍ଥ ଆସନ ପାଇଁ ଆମର ରଣନୀତି କ’ଣ ହେବ ତାହା ଆମ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ଏସବୁ ଚର୍ଚ୍ଚା ଭିତରେ ରାଜ୍ୟସଭା ନିର୍ବାଚନକୁ ନେଇ ଗୁଗ୍ଲି ଫିଙ୍ଗିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ରାଜ୍ୟସଭା ପାଇଁ ଚାରି କୁ ଚାରି ଆସନ ବିଜେପି ହାତେଇବ । କେତେବେଳେ କ’ଣ ଗେମ୍ ହେବ କିଛି କହିହେବ ନାହିଁ । ୟୁ ଜଷ୍ଟ ଓ୍ବେଟ୍ ଆଣ୍ଡ ଓ୍ବାଚ୍ ।

ରାଜ୍ୟସଭା ନିର୍ବାଚନରେ ପ୍ରତି ପ୍ରାର୍ଥୀଙ୍କ ପାଇଁ ୩୦ ବିଧାୟକଙ୍କ ସମର୍ଥନ ଦରକାର । ଏମିତିରେ ବିଜେପି ପାଖରେ ସର୍ବାଧିକ ୭୯ ବିଧାୟକ ଅଛନ୍ତି । ତେବେ ବିଜେପି ସହିତ ୩ ସ୍ବାଧୀନ ବିଧାୟକ ମଧ୍ୟ ରହିଛନ୍ତି । ଏମିତିରେ ବିଜେପି ପାଖରେ ୮୨ ବିଧାୟକଙ୍କ ସମର୍ଥନ ରହିଛି । ଯଦି ବିଜେପି ଆଉ ୮ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ସକ୍ଷକ ହେଉଛି ତାହେଲେ ଚତୁର୍ଥ ଆସନ ବିଜେପି ପାଇଁ ସହଜ ହୋଇଯିବ । ଆଉ ଯଦି ବିଜେଡି ଓ କଂଗ୍ରେସ ମିଶି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେଉଛନ୍ତି ତାହେଲେ ଏହା ସମ୍ଭବ ହୋଇପାରିବ। ତେବେ ଚତୁର୍ଥ ଆସନ ପାଇଁ କିଏ କାହାକୁ ସମର୍ଥନ ଦେଉଛନ୍ତି ତା’ ଉପରେ ରହିବ ନଜର ।