LIVE TV

ଏହା ବି ଦୁବାଇ, ଅପରିସ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ଲୋକ, ତୁଟି ଯାଉଛି ଜୀବନର ମୋହ

NEWS7
ed-interrogation-ollywood-actor-sritam-das

ନୂଆଦିଲ୍ଲୀ ୨।୧୧: ଦୁବାଇ ସେହି ସହର ଯାହା ବିଶ୍ୱକୁ ଉଚ୍ଚା ଉଚ୍ଚା ଭବନ ଓ ବିଳାଶମୟ ଜୀବନର ସ୍ୱପ୍ନ ଦେଖାଏ। ହେଲେ ଆପଣ କେବେ ଭାବିଛନ୍ତି କି ଏହି ଗଗନଚୁମ୍ବି ଭବନମାନଙ୍କ ପଛରେ ବି ଏକ ଲୁକ୍କାୟିତ ଦୁନିଆ ଅଛି ବୋଲି। ବିଶ୍ୱକୁ ଦୁବାଇ ଯେମିତି ଝଲମଲ ଦିଶୁଛି ଏହାର ସିକ୍ରେଟ ଦୁନିଆ ସମ୍ପୂର୍ଣ୍ଣ ଅଲଗା। ଏହି ଦୁନିଆ ସେହି ଗରିବ ଶ୍ରମିକମାନଙ୍କର ଯେଉଁମାନେ ନର୍କର ଜୀବନ ବଞ୍ଚୁଛନ୍ତି।

କେବଳ ପରିବାରର ପେଟ ପୋଷିବାକୁ ସେମାନେ ନିଜନିଜ ଦେଶରୁ ଦୂରରେ ଦୁବାଇ ଯାଇ କାମ କରୁଛନ୍ତି। ସୋନାପୁର, ଅଲକ୍ୱଜ ଓ ଜେବେଲ ଅଲୀ ଏହା ସେହି ସବୁ ଅଞ୍ଚଳ ଯେଉଁଠି ଦୁବାଇର ଅସଲି ଚେହେରା ଦେଖା ଯାଏ। ବାହାରକୁ ତ ଲେବର କ୍ୟାମ୍ପ ଭଳି ଲାଗେ ଭିତର ଦୁନିଆ ମଧ୍ୟ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏଠାରେ ଗୋଟିଏ ଗୋଟିଏ କୋଠରୀରେ ୮ରୁ ୧୦ ଜଣ ଲୋକ ଶୋଇବାକୁ ବାଧ୍ୟ। ତାହା ବି  ଗୋଟିଏ ପତଳା ଗଦି ଓ ଛିଣ୍ଡା ଚଦର ଉପରେ। କୋଠରୀରେ ପବନ ଆସିବାକୁ ଛୋଟିଆ ଝରକାଟିଏମାନ ରହିଛି, ହେଲେ ଦିନବେଳେ ଗରମରେ ବନ୍ଦ ରଖିବାକୁ ପଡେ।

ଏଠାରେ ବାଥ ରୁମ କଥା କହିଲେ ଗୋଟିଏ ଗୋଟିଏ ଶୌଚାଳୟକୁ ୫୦ ଜଣ ଲୋକେ ବ୍ୟବହାର କରନ୍ତି। ଏମାନଙ୍କ ଲାଗି ଭୋର ୪ଟା ବେଳେ ପାଣି ଆସେ। କେତେବେଳେ ଗରମ ପାଣି ଆସେ ତ ଆଉ କେତେକ ଥଣ୍ଡା ପାଣି। କେବେ କେବେ ପାଣି ଆସେ ବି ନାହିଁ। ଏହା ଛଡା ଏହି ସବୁ ଅଞ୍ଚଳରୁ ଉତ୍କଟ ଗନ୍ଧ ବାହାରେ। ଏହି ଦୁର୍ଗନ୍ଧ ମଣିଷଙ୍କ ଝାଳର, ସେମାନଙ୍କ ମଇଳା ପୋଷାକର ଓ ସ୍ୱିରେଜର ମିଶାମିଶି ଗନ୍ଧ। ଏହା ସତ୍ତ୍ୱେବି ଲୋକେ ଏଠାରେ ରହିବାକୁ ବାଧ୍ୟ।

ନର୍କ ଭଳି ଜୀବନ ବଞ୍ଚୁଥିବା ଏହି ଶ୍ରମିକମାନଙ୍କର କହିବା କଥା ହେଲା ସେମାନଙ୍କୁ ଏଜେଣ୍ଟସ ଲୋଭ ଦେଖାଇ ଫସେଇ ଦେଇଛନ୍ତି। ଏଠାରେ ୧୨ରୁ ୧୪ ଘଣ୍ଟା କାମ କରିବା ପରେ ୮୦୦ରୁ ୧୨ଶହ ଦିରହମ ମଜୁରି ମିଳେ। ଏଇଥିରୁ ଘରଭଡ଼ା, ଖାଇବା, ବିଜୁଳି ଓ ପାଣି ସବୁ ପଇସା ଦେବାକୁ ପଡେ। ଏସବୁ ଦେଇ ସାରିବା ପରେ ଶ୍ରମିକ ପାଖରେ ଯାହା ବଳକା ରହେ ତାହା କେବଳ ତା ଥକ୍କା ଶରୀର ଓ ପରିବାରର ସ୍ମୃତି।

ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳରୁ ଦୁବାଇ ଛୁଟି ଆସନ୍ତି। ସମସ୍ତଙ୍କର ଗୋଟିଏ ସ୍ୱପ୍ନ , ତାହା ହେଉଛି ଦୁଇ ବର୍ଷର ପଇସା ବଞ୍ଚେଇ ଗାଁରେ ଘର କରିବି, ପିଲାଙ୍କୁ ପଢେଇବି ଅଥବା ଭଉଣୀ ବାହାଘର କରିବି। ତେବେ ବାସ୍ତବତା ଯାହା ତାହା ହେଉଛି ସେମାନେ ଏଠାକୁ ଆସି ଋଣ ଓ ରୋଗରେ ଗ୍ରସିତ ହୋଇ ଯାଉଛନ୍ତି। ଏହି ଶ୍ରମିକମାନେ ପ୍ରାୟତଃ ନିର୍ମାଣ ସ୍ଥଳରେ କାମ କରନ୍ତି। ଏଠାରେ ଦିନର ତାପମାତ୍ରା ୪୫ରୁ ୫୦ ଡିଗ୍ରି ସେଲସିୟସକୁ ପହଞ୍ଚେ ।

ଖୋଲା ଆକାଶ ତଳେ ଲୁହା ଛଡ ବୋହିବା, ସିମେଣ୍ଟ ବୋହିବା ବେଶ୍ କଷ୍ଟକର। ବିନା ଛାଇ, ବିନା ପାଣି ଓ ବିନା ବ୍ରେକରେ କାମ କରିବାକୁ ପଡେ। ଏଥିରେ ବେଳେ ବେଳେ ଅତ୍ୟଧିକ ତାପମାତ୍ରା ଯୋଗୁ ଶ୍ରମିକ ଅସୁସ୍ଥ ହୋଇ ଚେତା ହରାନ୍ତି। ହେଲେ ଏଠାରେ କାମ ଅଟକିବା ମନା। ଯଦି ବିଳମ୍ବ ହୁଏ ବେତନ କଟିଯାଏ। ଯଦି କାମ କରୁଥିବା ବେଳେ କୌଣସି ଦୁର୍ଘଟଣା ଘଟେ ତେବେ ଏଥିରୁ କଫିଲ (କମ୍ପାନୀ) ନିଜକୁ ଦୂରେଇ ନିଏ। ଅନେକ କଫିଲ ଅଛନ୍ତି ଶ୍ରମିକ ପଳେଇଯିବେ ବୋଲି ସେମାନଙ୍କ ପାସପୋର୍ଟକୁ ରଖି ନିଅନ୍ତି। ଏଥିରେ ବିଚରା ଶ୍ରମିକ ନା ଫେରି ପାରେ ନା ସେଠି ବଞ୍ଚିପାରେ କେବଳ ନର୍କ ଭୋଗିବାକୁ ବାଧ୍ୟ ହୁଏ।