ଶକ୍ତିଶାଳୀ ଭୂକମ୍ପରେ ଥରିଲା ମେକ୍ସିକୋ ସିଟି; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୫ ରେକର୍ଡ, ୨ ମୃତ

NEWS7
ed-arrests-two-aides-of-former-maharashtra-home-minister-anil-deshmukh-in-money-laundering-case

ଶକ୍ତିଶାଳୀ ଭୁକମ୍ପରେ ଥରିଲା ମେକ୍ସିକୋ। ମେକ୍ସିକୋର ଗୁଏରେରୋ ଶୁକ୍ରବାର ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଉତ୍ତର-ଉତ୍ତର ପଶ୍ଚିମ ଗୁଏରେରୋରେ ଥିବା ପାହାଡ଼ିଆ ଅଞ୍ଚଳରେ ପ୍ରାୟ ୨୧.୭ ମାଇଲ ଗଭୀରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିବା ଆମେରିକୀୟ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ମିଳିଛି । ଏଥିରେ ଅନେକ ଅଟ୍ଟାଳିକା ଓ ବିଦ୍ୟୁତ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ଭୂସ୍ଖଳନ ଘଟଣା ମଧ୍ୟ ଘଟିଛି । ଭୂକମ୍ପରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି।

ଭୂକମ୍ପ ଅନୁଭୂତ ହେବା ବେଳେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶେନ୍ବାମ୍ ଦୈନିକ ସାମ୍ବାଦିକ ସମ୍ମିଳନୀରେ ନୂଆବର୍ଷ ଉପଲକ୍ଷେ ଭାଷଣ ଦେଉଥିଲେ । ଝଟକା ଅନୁଭୂତ ହେବା କ୍ଷଣି ସେ ପ୍ରାଣ ବିକଳରେ ବାହାରକୁ ଦୌଡ଼ିଥିଲେ । ଅନ୍ୟମାନଙ୍କୁ ବି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସାମ୍ବାଦିକମାନେ ବି ଦୌଡ଼ିଥିଲେ ।  ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏଥିସହ ସମ୍ବେଦନଶୀଳ ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି । ଭୂକମ୍ପର ପ୍ରଥମ ଝଟକା ପରେ ବି ବିପଦ ଟଳି ନ ଥିଲା । ବାରମ୍ବାର ଝଟକା ଅନୁଭୂତ ହୋଇଥିଲା ।

ମେକ୍ସିକୋ ସରକାରଙ୍କ ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ର ଗୁଏରେରୋ ପ୍ରଦେଶସ୍ଥିତ ସାନ ମାର୍କୋସରେ ଥିଲା । ଯାହା ରାଜଧାନୀ ମେକ୍ସିକୋ ସିଟିଠାରୁ ପ୍ରାୟ ୨୩୦ କିଲୋମିଟର ଦୂରରେ । ୩୫ କିଲୋମିଟର ଗଭୀରରୁ ଏହା ସୃଷ୍ଟି ହୋଇଥିଲା । ଭୂକମ୍ପ ବେଳେ କେତେକ କୋଠା ଦୋଳି ଭଳି ଝୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି । ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ବି ଭାଙ୍ଗିଯିବା ଅବସ୍ଥାକୁ ଚାଲିଆସିଥିଲା । ଲୋକମାନେ ପ୍ରାଣ ବିକଳରେ ଖୋଲା ପଡ଼ିଆ ଓ ରାସ୍ତା ଆଡ଼କୁ ଦୌଡ଼ିଥିଲେ । ଏହି ସମୟରେ ବିଜୁଳି ଖୁଣ୍ଟ ଲୋକଙ୍କ ଉପରେ ପଡ଼ିବା ଭୟ ଘାରିଥିଲା । ମେଟ୍ରୋରେ ବି ଲୋକଙ୍କ ଚିତ୍କାର ଶୁଭିଥିଲା । ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ସବ୍ୱେ ସିଷ୍ଟମ୍ ମେକ୍ସିକୋ ସିଟି ମେଟ୍ରୋ ଷ୍ଟେସନ ମଧ୍ୟ ଭୂକମ୍ପରେ ଥରିଥିଲା । ଲୋକମାନେ ଜୀବନ ବଞ୍ଚାଇବାକୁ ପିଲର୍କୁ ଜାବୁଡ଼ି ଧରିଥିଲେ । ୧୯୮୫ରେ ମେକ୍ସିକୋ ସିଟିରେ ୮.୦ ତୀବ୍ରତାର ଭୂକମ୍ପ ହୋଇଥିଲା । ଏଥିରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।