ବାରବାଟୀ ଟି-୨୦: ଟିକେଟ୍ ପାଇଁ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼

NEWS7
durghatana-re-chaligala-2-jana-nka-jiban

କଟକ: ବାରବାଟୀ ଟି-୨୦ ପାଇଁ ରାଜ୍ୟରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ। ଅଫଲାଇନ ଟିକେଟ ପାଇଁ ଆଜିଠୁ ଷ୍ଟାଡିୟମ୍ ନିକଟରେ ହଜାର ହଜାର କ୍ରିକେଟ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଛି। କିଛି ସମୟ ଛକାପଞ୍ଝା ପରେ ଦର୍ଶକଙ୍କୁ ଧାଡ଼ିରେ ବ୍ୟାରିକେଡ୍ ଭିତରକୁ ଛାଡ଼ିଛି ପୋଲିସ। ପ୍ରାୟ ୫ ହଜାରରୁ ଅଧିକ ପ୍ରଶଂସକଙ୍କ ଭିଡ଼ ଲାଗି ରହିଛି। ଥରକୁ ୧୫ ଜଣ ଲେଖାଏଁ ଭିତରକୁ ଛାଡ଼ିଛି ପୋଲିସ। ଶୁକ୍ରବାର ସକାଳ ୯ଟାରେ ଖୋଲିବ ଟିକେଟ୍ କାଉଣ୍ଟର।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଛି। ଟିକେଟ୍ ଖଣ୍ଡିଏ ପାଇବା ପାଇଁ ଗୁରୁବାର ସନ୍ଧ୍ୟାରୁ ବାରବାଟୀ ଷ୍ଟାଡିୟମ ଟିକେଟ୍ କାଉଣ୍ଟର ପାଖରେ ପ୍ରଶଂସକଙ୍କ ଭିଡ଼ ଆରମ୍ଭ ହୋଇଥିଲା। ବର୍ତ୍ତମାନ କ୍ରିକେଟ୍ ପ୍ରଶଂସକ ଧାଡ଼ିରେ ଛିଡ଼ା ହେବା ଆରମ୍ଭ କରିଛନ୍ତି। ଏଥିରୁ ଅନୁମାନ କରି ପାରୁଥିବେ ବାରବାଟୀ ମୁକାବିଲା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ କେତେ ଉତ୍ସାହ ରହିଛି।

କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ୧୦ ହଜାର ବିକ୍ରି ହେବ। ଏହା ପୂର୍ବରୁ ଅଫଲାଇନରେ ଉପଲବ୍ଧ ୨ ହଜାର ଟିକେଟ୍ ୩୫ ମିନିଟ୍ ମଧ୍ୟରେ ଶେଷ ହୋଇଥିଲା। ଏବେ ଅଫଲାଇନ୍ ଟିକେଟ୍ ହିଁ କ୍ରିକେଟ୍ ପ୍ରେମୀଙ୍କ ଭରସା। ପୂର୍ବର ମ୍ୟାଚରେ ୧୧,୫୦୦ ଟିକେଟ କାଉଣ୍ଟରରେ ବିକ୍ରି ହେଉଥିଲା। କିନ୍ତୁ ଏଥର ସିଟ୍ ଚଉଡା କରାଯିବାରୁ ପାଖାପାଖି ୩ ହଜାର ସିଟ୍ ହ୍ରାସ ପାଇଛି। ବାରବାଟୀର ଦର୍ଶକ ଧାରଣ କ୍ଷମତା ପାଖାପାକି ୪୫ ହଜାରରୁ ଅଧିକ ଥିବା ବେଳେ ଏହା ୪୨ ହଜାରକୁ ହ୍ରାସ ପାଇଛି।

ମୋଟ ସିଟ୍ ସଂଖ୍ୟା ୪୨,୦୦୦ ରହିଛି। ଗ୍ୟାଲେରୀ ନମ୍ବର ୧ ଓ ୩ର ଟିକେଟ୍ ମୂଲ୍ୟ ୧୧୦୦ ଟଙ୍କା ରହିଛି। ସେହିପରି ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା । ଗ୍ୟାଲେରୀ ନମ୍ବର ୫ ପାଇଁ ୧୨୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୭ର ମୂଲ୍ୟ ୭୦୦ ଟଙ୍କା, ସ୍ପେଶାଲ ଏନକ୍ଲୋଜର ୬,୦୦୦ ଟଙ୍କା, ଏସି ବକ୍ସ ୮,୦୦୦ ଟଙ୍କା, ନ୍ୟୁ ପାଭିଲିୟନ୍ ୧୦,୦୦୦ ଟଙ୍କା ଏବଂ କର୍ପୋରେଟ୍ ବକ୍ସର ଟିକେଟ୍ ମୂଲ୍ୟ ୨୦,୦୦୦ ଟଙ୍କା ରହିଛି।