ବିଜେଡି କହିଲେ ନବୀନ, ଆଉ ନବୀନ କହିଲେ ବିଜେଡି...

NEWS7
dont-use-scarves-to-escape-scorching-rays-and-heat-of-sun-otherwise-you-face-problem

ଭୁବନେଶ୍ଵର: ନବୀନ ହିଁ ବିଜେଡିର ସର୍ବୋଚ୍ଚ ନେତା । ନବୀନ ଥିବା ପର୍ଯ୍ୟନ୍ତ ବିଜେଡିରେ ନେତୃତ୍ବକୁ ନେଇ କୌଣସି ପ୍ରଶ୍ନ ନାହିଁ । ଆଜି ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏକଥାକୁ ସ୍ପଷ୍ଟ କରି ଦେଇଛନ୍ତି ବିଜେଡି ବିଧାୟକ କଳିକେଶ ସିଂହଦେଓ । କିଛି ଦିନ ହେଲେ କଳିକେଶଙ୍କୁ ନେଇ ବିଜେଡିର କିଛି ନେତା ଯେଉଁ ବୟାନ ଦେଉଥିଲେ ସେଥିରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି ଖୋଦ୍ କଳିକେଶ । ପ୍ରଥମେ ଏୟୁ ସିଂହଦେଓ ନବୀନଙ୍କୁ ଭେଟିବା ଏବଂ କଳିକେଶଙ୍କ ନାଁକୁ ନେଇ କିଛି ନେତା ବୟାନବାଜି କରିବା,ଆଉ ଏବେ ଖୋଦ୍ କଳିକେଶ ନବୀନଙ୍କୁ ଭେଟିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ରାଜନୈତିକ ସମୀକ୍ଷକ କହିଛନ୍ତି,ସର୍ପ୍ରାଇଜ୍ ଦେବାରେ ମାହିର ନବୀନଙ୍କ ନିଷ୍ପତ୍ତି ବାବଦରେ ଅନୁମାନ କରିବା ଖୁବ୍ କଷ୍ଟ ।

ବିଜେଡି କହିଲେ ନବୀନ । ଆଉ ନବୀନ କହିଲେ ବିଜେଡି । ନବୀନ ଥିବା ପର୍ଯ୍ୟନ୍ତ ବିଜେଡିରେ ନେତୃତ୍ବକୁ ନେଇ କୌଣସି ପ୍ରଶ୍ନ ନାହିଁ । ଏକଥା ତ ସ୍ପଷ୍ଟ ହୋଇସାରିଛି । ତେବେ କିଏ ହେବେ ବିଜେଡିର ଉତ୍ତରାଧିକାରୀ । ନବୀନଙ୍କ ପରେ କିଏ ସମ୍ଭାଳିବେ ବିଜେଡି ମଙ୍ଗ?ତାକୁ ନେଇ ବିଜେଡି ଭିତରେ ଯେତିକି ଚର୍ଚ୍ଚା ନହୁଏ,ବିଜେଡି ବାହାରେ କିନ୍ତୁ ତାଠାରୁ ଅଧିକ ଚର୍ଚ୍ଚା ହୁଏ । କିନ୍ତୁ ଯେତେବେଳେ ବିଜେଡିରେ ଥିବା ନେତାଙ୍କ ମୁହଁରୁ ଏଭଳି କିଛି ବୟାନ ବାହାରେ,ତାହା ପୁଣି ଏକାଧିକ ନେତାଙ୍କ ମୁହଁରୁ ସେତେବେଳେ ଏହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ୍ ।

ହଁ ଆମେ କହୁଛୁ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ କଥା । ଗତ ୨୩ ତାରିଖରେ ନବୀନଙ୍କ ଡୁନ୍ ସ୍କୁଲ ବନ୍ଧୁ ତଥା ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ,ଅନଙ୍ଗ ଉଦୟ ସିଂହଦେଓ ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ । ଉଭୟ ବନ୍ଧୁଙ୍କ ଭିତରେ ବେଶ୍ କିଛି ସମୟ ଧରି କବାଟକିଳା ଆଲୋଚନା ବି ହୋଇଥିଲା । ଏହା ପରେ ପଶ୍ଚିମ ଓଡ଼ିଶାର ଜଣକ ପରେ ଜଣେ ନେତା ଏୟୁଙ୍କ ପୁଅ ତଥା ବିଜେଡି ବିଧାୟକ କଳିକେଶ ସିଂହଦେଓଙ୍କୁ ଦଳୀୟ ଦାୟିତ୍ବ ଦେବାକୁ ନେଇ ସ୍ବର ଉଠାଇବା,କେଉଁଠି ନା କେଉଁଠି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା । ବୟାନବାଜିରେ ସାମିଲ ହୋଇଥିଲେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଠାରୁ ଆରମ୍ଭ କରି ବିଜେଡିର ହେବିୱେଟ ନେତା ନିରଞ୍ଜନ ପୂଜାରୀ,ପଦ୍ମନାଭ ବେହେରା,ଦେବେଶ ଆଚାର୍ଯ୍ୟ,ସୁଦର୍ଶନ ହରିପାଲଙ୍କ ଭଳି ନେତା ।

ଏସବୁ ଭିତରେ ଆଜି ହଠାତ୍ ନବୀନ ନିବାସରେ ପହଞ୍ଚିଥିଲେ ବିଜେଡି ବିଧାୟକ କଳିକେଶ ସିଂହଦେଓ । ପାଖାପାଖି ୫୦ ମିନିଟ ଧରି ବିଜେଡି ସୁପ୍ରିମୋ ନବୀପ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ କଳିକେଶ । ଯଦିଓ ନବୀନଙ୍କ ସହ ତାଙ୍କର ପ୍ରକୃତରେ କଣ ଆଲୋଚନା ହେଲା,ସେ ବିଷୟରେ ସ୍ପଷ୍ଟ ଭାବେ କିଛି କହିଲେ ନାହିଁ,ତେବେ ବୁଲେଇ ବଙ୍କେଇ ଦଳର ସ୍ଥିର ନେତୃତ୍ବ ସମ୍ପର୍କରେ କହିଥିଲେ । କଳିକେଶ କହିଥିଲେ ଯେ,ବିଜେଡିର ଜଣେ ନେତା,ଆଉ ସେ ହେଉଛନ୍ତି ନବୀନ ପଟ୍ଟନାୟକ । ନବୀନ ଥିବା ପର୍ଯ୍ୟନ୍ତ ବିଜେଡିରେ ଅନ୍ୟ ନେତୃତ୍ବଙ୍କ ପ୍ରଶ୍ନ ଉଠୁନାହିଁ । ଏମିତି କହି ତାଙ୍କ ନାଁରେ ହେଉଥିବା ପୂର୍ବ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି କଳିକେଶ ।

ସେପଟେ ନବୀନ- କଳିକେଶ ବୈଠକକୁ କିଛି ଭିନ୍ନ ନଜରରେ ଦେଖିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ। ସେ କହିଛନ୍ତି,ବିଜେଡିରେ ନବୀନଙ୍କ ଉତ୍ତରାଧିକାରୀ ଭାବେ ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସେ । କିଛି ନେତା ମଧ୍ୟ ଏଥି ପାଇଁ କସରତ ଚଳାଇଥିବା ନଜରକୁ ଆସିଛି । ହେଲେ ଏପର୍ଯ୍ୟନ୍ତ ସେମାନେ ଏଥିରେ ସଫଳ ହୋଇ ନାହାନ୍ତି । ଏମିତିକି ଏଭଳି ଚର୍ଚ୍ଚା ଯେବେ ଯେବେ ହୋଇଛି ନବୀନଙ୍କ ଗୁଗୁଲି ଏଥିରେ ପୂର୍ଣ୍ଣଛେଦ ଟାଣିଛି । ଏବେ ବି ସେଇ ସମାନ କଥା ଦେଖିବାକୁ ମିଳିଛି । ସବୁବେଳେ ସରପ୍ରାଇଜ୍ କାର୍ଡ ଖେଳିବାରେ ମାହିର ବିଜେଡି ସୁପ୍ରିମୋ ଆଗକୁ ଯେ,କିଛି ସରପ୍ରାଇଜ୍ ନଦେବେ ସେକଥାକୁ ମଧ୍ୟ ଏଡ଼ାଇ ହେବ ନାହିଁ ।