LIVE TV

ଆସିଲା ମୁଡିଜ୍ ର ଗ୍ଲୋବାଲ ମାକ୍ରୋ ଆଉଟ୍ ଲୁକ୍, ଆଗାମୀ ବର୍ଷମାନଙ୍କରେ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି କରିବ ଭାରତ

NEWS7
domestic-gold-market-goes-up-for-dhanterash

ନୂଆଦିଲ୍ଲୀ ୧୫।୧୧: ବୈଶ୍ୱିକ ରେଟିଂ ଏଜେନ୍ସୀ ‘ମୁଡିଜ୍’ ନୂଆ ରିପୋର୍ଟରେ ଆଗାମୀ ବର୍ଷମାନଙ୍କରେ ଭାରତର ଅର୍ଥ ବ୍ୟବସ୍ଥା ପ୍ରମୁଖ ୨୦ ଦେଶଙ୍କ ସମୂହ ଜି-୨୦ରେ ସବୁଠୁ ଦ୍ରୁତ ଅଭିବୃଦ୍ଧି କରିବ। ଏଜେନ୍ସୀର ଅନୁମାନ ୨୦୨୭ ସୁଦ୍ଧା ଭାରତର ବାର୍ଷିକ ଜିଡିପି ବୃଦ୍ଧି ହାରାହାରି ୬.୫% ଆଖପାଖରେ ରହିବ, ଯାହା ଜି-୨୦ ଦେଶଙ୍କ ମଧ୍ୟରେ ସବୁଠୁ ଉଚ୍ଚ ହାର ଥିବ। ତେବେ ଆମେରିକା ଦ୍ୱାରା ଲଗାଯାଇଥିବା ଉଚ୍ଚ ଟାରିଫ ବର୍ତ୍ତମାନ ସମୟରେ ରପ୍ତାନୀକାରୀଙ୍କ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୫୦% ପର୍ଯ୍ୟନ୍ତ ଟାରିଫ ବୃଦ୍ଧି ଯୋଗୁ ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀ ଆମଦାନୀ ୧୧.୯% ପର୍ଯ୍ୟନ୍ତ ହ୍ରାସ ହୋଇଛି।

ଏଥି ପାଇଁଭାରତୀୟ ରପ୍ତାନୀକାରୀମାନେ ଏସିୟା, ମଧ୍ୟପୂର୍ବ ଓ ଆଫ୍ରିକା ବଜାରକୁ ନିଜକୁ ସମ୍ପ୍ରସାରିତ କରିଛନ୍ତି। ଏଣୁ ସେପ୍ଟେମ୍ବର ମାସରେ ମୋଟ ରପ୍ତାନୀ ୬.୭୫% ପର୍ଯ୍ୟନ୍ତ ରହିଛି। ମୁଡିଜ କହିଛି ଯେ ରପ୍ତାନୀରେ ବିବିଧତା ଓ ନୂଆ କ୍ଷେତ୍ରକୁ ବିସ୍ତାର କାରଣରୁ ଭାରତର ଆର୍ଥିକ ଦୃଢତା କାୟମ ରହିଛି। ମୁଡିଜର ‘ଗ୍ଲୋବାଲ ମାକ୍ରୋ ଆଉଟ ଲୁକ୍ ୨୦୨୬-୨୭’ ରିପୋର୍ଟରେ କେତେକ ମୁଖ୍ୟ କାରଣ ଦର୍ଶାଯାଇଛି, ଯାହା ଭାରତକୁ ଆର୍ଥିକ କ୍ଷେତ୍ରରେ ଆଗକୁ ବଢାଇବ।

ଏଥିରେ ସଡ଼କ, ବନ୍ଦର, ରେଳ, ଡିଜିଟାଲ ନେଟୱାର୍କ ଓ ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଅର୍ଥ ବ୍ୟବସ୍ଥାକୁ ଦୃଢ କରିଛି। ପୁଞ୍ଜିଗତ ବ୍ୟୟରେ ଲଗାତାର ବୃଦ୍ଧି ଘରୋଇ କ୍ଷେତ୍ରକୁ ନିବେଶ ଲାଗି ପ୍ରେରିତ କରୁଛି। ଏହା ଛଡା ଭାରତର ବୃହତ୍ତ ଜନସଂଖ୍ୟା ଓ ଯୁବ ବର୍ଗ ଭାରତୀୟ ଅର୍ଥ ବ୍ୟବସ୍ଥାର ମଜଭୁତ ଆଧାର। ବଢୁଥିବା ଆୟ ଓ ସହରିକରଣ ଘରୋଇ ଖର୍ଚ୍ଚକୁ ପ୍ରେରିତ କରୁଛି। ଔଷଧ, ମୋବାଇଲ, ଅଟୋ ପାର୍ଟସ୍, ମେସିନାରୀ ଓ ସେବା କ୍ଷେତ୍ରରେ ଭାରତର ରପ୍ତାନୀ ଦ୍ରୁତ ଅଭିବୃଦ୍ଧି କରୁଛି। ଏହା ଛଢା ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଭାରତର ଭୂମିକା ମଜଭୁତ ହେଉଛି। ଏହା ଛଡା ସୁଧହାର, ଆର୍ଥିକ ନିୟମ ଓ ବିଦେଶ ନିବେଶ ସମ୍ପର୍କିତ ସଂଶୋଧନ ଭାରତର ଆର୍ଥିକ ଭିତ୍ତିଭୂମିକୁ ମଜଭୁତ କରିଛି।