ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଜୋକୋଭିଚ୍, କାର୍ଲୋସ ଅଲକାରାଜଙ୍କ ସହ ହେବ ଫାଇଟ୍

NEWS7
doctors-remove-horn-from-human-head-in-mp

ନୂଆଦିଲ୍ଲୀ: ନୋଭାକ୍ ଜୋକୋଭିଚ୍ ବିଶ୍ୱର ନମ୍ୱର ୨ ଜାନିକ୍ ସିନରଙ୍କ ହରାଇ ଅଷ୍ଟ୍ରେଲିଆନ ଓପନ ୨୦୨୬ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ସେ ଏବେ ନିଜର ୨୫ତମ ଗ୍ରାଣ୍ଡସ୍ଲାମ ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି । ଫାଇନାଲରେ ତାଙ୍କର ସାମନା ବିଶ୍ୱର ଏକ ନମ୍ୱର ଟେନିସ୍ ଖେଳାଳି କାର୍ଲୋସ୍ ଅଲକାରାଜଙ୍କ ସହ ହେବ । ଦ୍ୱିତୀୟ ସେମିଫାଇନାଲରେ ଜୋକୋଭିଚ୍ ୩-୬, ୬-୩, ୪-୬,୬-୪, ୬-୪ରେ ବିଜୟୀ ହୋଇଛନ୍ତି । ଏହି ମ୍ୟାଚ୍ ପ୍ରାୟ ୪ ଘଣ୍ଟା ୧୦ ମିନିଟ୍ ଯାଏଁ ଚାଲିଥିଲା । ଜୋକୋଭିଚ୍, ସିନରଙ୍କ ଲଗାତାର ପାଞ୍ଚ ମ୍ୟାଚ୍ ବିଜୟର ଧାରାକୁ ମଧ୍ୟ ଭାଙ୍ଗିଛନ୍ତି ।

୩୮ ବର୍ଷୀୟ ସର୍ବିଆନ୍ କିମ୍ବଦନ୍ତୀ ଜୋକୋଭିଚ୍ ପ୍ରଥମ ସେଟ୍ ହାରିବା ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଦ୍ୱିତୀୟ ଏବଂ ଚତୁର୍ଥ ସେଟ୍ ଜିତିଥିଲେ, ସିନର ପ୍ରଥମ ଏବଂ ତୃତୀୟ ସେଟ୍ ଜିତିଥିଲେ । ଶେଷ ତଥା ପଞ୍ଚମ ସେଟରେ ଜୋକୋଭିଚ୍ ବ୍ରେକ୍ କରିଥିଲେ ଏବଂ ପରେ ସର୍ଭିସ୍ ଧରି ମ୍ୟାଚ୍ ଶେଷ କରିଥିଲେ । ଏହା ଜୋକୋଭିଚଙ୍କ ଅଷ୍ଟ୍ରେଲିଆନ୍ ଓପନରେ ୧୧ତମ ଫାଇନାଲ୍ । ସେ ୧୦ ଥର ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନ୍ ହୋଇଛନ୍ତି ଏବଂ ଏବେ ତାଙ୍କର ୨୫ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି, ଯାହା ଏକ ନୂତନ ରେକର୍ଡ ହେବ ।

ନୋଭାକ ଜୋକୋଭିଚ୍ ଏବେ ଫାଇନାଲରେ ବିଶ୍ୱ ନମ୍ବର ୧ କାର୍ଲୋସ ଅଲକାରାଜଙ୍କୁ ଭେଟିବେ । ଅଷ୍ଟ୍ରେଲିଆନ୍ ଓପନରେ କାର୍ଲୋସ ଅଲକାରାଜଙ୍କ ପ୍ରଥମ ଫାଇନାଲ୍ ହେବ । ଯଦି ସେ ଜିତିଯାଆନ୍ତି, ତେବେ ସେ କ୍ୟାରିୟର ଗ୍ରାଣ୍ଡସ୍ଲାମ୍ ପୂରଣ କରିଥିବା ସବୁଠାରୁ କମ୍ ବୟସ୍କ ପୁରୁଷ ଖେଳାଳି ହୋଇଯିବେ ।

ଫାଇନାଲ୍ ମ୍ୟାଚ୍ ରବିବାର, ଫେବ୍ରୁଆରୀ ୧ରେ ଖେଳାଯିବ । ଏହି ମ୍ୟାଚରେ ଅଭିଜ୍ଞ ଓ ରେକର୍ଡଧାରୀ ଜୋକୋଭିଚ୍ ଓ ଯୁବ ତାରକା ଅଲକାରାଜଙ୍କ ମଧ୍ୟରେ ମୁକାବିଲା ହେବ । ଟେନିସ୍ ଜଗତ ଏହି ଐତିହାସିକ ଫାଇନାଲ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛି, ଯେଉଁଠାରେ ଜୋକୋଭିଚଙ୍କ ୨୫ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଏବଂ ଅଲକାରାଜଙ୍କ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ବାଜିରେ ଲାଗିଛି ।