India Women vs Sri Lanka Women, 4th T20I: ଶ୍ରୀଲଙ୍କା ବିପକ୍ଷରେ ଭାରତର ରେକର୍ଡ ସ୍କୋର: ୨୨୨ ରନ୍‌ ଟାର୍ଗେଟ୍‌ ଦେଲା ଟିମ୍ ଇଣ୍ଡିଆ

NEWS7
do-these-remedies-on-bada-mangal-for-grace-of-hanuman

ଥିରୁଭନ୍ତପୁରମ:ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ କବ୍ଜା ଲକ୍ଷ୍ୟରେ ଭାରତ। ରବିବାର କେରଳର ଥିରୁଭନନ୍ତପୁରମର ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍ର ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଆଜିର ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମ ବ୍ୟାଟିଂ କରି ଭ୍ରମଣକାରୀ ଦଳ ବିରୁଦ୍ଧରେ ୨୨୧ ରନର ବିଶାଳ ସ୍କୋର କରିଛି। ଯାହା ମହିଳା ଟି-୨୦ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ସ୍କୋର।

ଦଳ ପକ୍ଷରୁ ଉପ ଅଧିନାୟକ ସ୍ମୃତି ମାନ୍ଧାନା ସର୍ବାଧିକ ୮୦ ରନ୍ କରିଥିବା ବେଳେ ହିଟର ଶେଫାଳୀ ବର୍ମା ୭୯ ରନ୍ ଓ ରିଚା ଘୋଷ ୪୦ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଆଜିକୁ ମିଶାଇ ଶେଫାଳୀ ଲଗାତାର ଦ୍ୱିତୀୟ ମ୍ୟାଚ୍ ପାଇଁ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅନ୍ୟପଟେ ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ ଲଗାତର ଜାରି ରହିଛି। ଆଜି ମଧ୍ୟ ଭାରତୀୟ ଧୁରନ୍ଧର ସମ୍ମୁଖରେ ସିଂହଳୀ ବୋଲରଙ୍କ ବୋଲିଂ କାମ ଦେଇ ନଥିଲା। ଶେଷ ୧୦ ଓଭରରେ ଦଳ ୧୩୬ ରନ୍ ଦେଇଥିଲା। ମାଲସା ସାହାଣୀଙ୍କୁ ଛାଡ଼ି ଦେଲେ, ଅନ୍ୟ କୌଣସି ଶ୍ରୀଲଙ୍କା ବୋଲର ୧୦ ରୁ କମ୍ ଇକୋନୋମି ହାରରେ ରନ୍ ଦେଇ ନଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଓପନର ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମା ପାୱାରପ୍ଲେରେ ବିସ୍ଫୋରକ ଇନିଂସ ଖେଳି ସ୍କୋରକୁ ୬୧ ରନ୍ରେ ପହଞ୍ଚାଇଥିଲେ। ଖୁବ୍ ଶୀଘ୍ର, ଭାରତ ୧୦ ଓଭରରେ କୌଣସି ୱିକେଟ୍ ନ ହରାଇ ୮୫ ରନ୍ ହାସଲ କରିନେଇଥିଲା।

ଖେଳ ମଝିରେ ଗିୟର ଚେଞ୍ଜ କଲା ଟିମ୍ ଇଣ୍ଡିଆ:ଶେଷ ୧୦ ଓଭରରେ ୧୩୬ ରନ୍

୧୦ ଓଭର ପରେ ଟିମ୍ ଇଣ୍ଡିଆର ସ୍କୋର ୮୫/୦ ଥିଲା। ଏହାପରେ ଟିମ୍ ଇଣ୍ଡିଆ ଗିୟର ଚେଞ୍ଜ୍ କରିଥିଲା। ଭାରତୀୟ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଶେଷ ୧୦ ଓଭରରେ ୧୩୬ ରନ ସଂଗ୍ରହ କରି ନେଇଥିଲେ। ଏହି ସମୟରେ ଶେଫାଳୀ ବର୍ମା ୩୦ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପଟେ ଉପଅଧିନାୟକ ସ୍ମୃତି ମନ୍ଧାନାଙ୍କୁ ଅର୍ଦ୍ଧଶତକ ପୂରଣ କରିବାକୁ ୩୪ ବଲ୍ ଲାଗିଥିଲା। ମନ୍ଧାନା ଏବଂ ବର୍ମା ୧୬୨ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ଏହାକୁ ମିଶାଇ ମହିଳା ଟି-୨୦ କ୍ରିକେଟରେ ମନ୍ଧାନା ଏବଂ ଶେଫାଳୀ ବର୍ମା ଚତୁର୍ଥ ଥର ପାଇଁ ୧୦୦ ରନରୁ ଅଧିକ ଓପନିଂ ପାର୍ଟନରସିପ୍ କରିଛନ୍ତି।

ଟି-୨୦ରେ ଭାରତର ସର୍ବାଧିକ ସ୍କୋର

ଚତୁର୍ଥ ଟି-୨୦ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୨୨୧ ରନ୍ କରିଛି। ଏହା ଅନ୍ତର୍ଜାତୀୟ ମହିଳା ଟି-୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ସର୍ବାଧିକ ସ୍କୋର। ପୂର୍ବରୁ, ଭାରତର ସର୍ବାଧିକ ସ୍କୋର ୨୧୭ ଥିଲା, ଯାହା ସେମାନେ ୨୦୨୪ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଥିଲେ। ଏହା ବାଦ୍ ଏହି ମ୍ୟାଚ୍ରେ ସ୍ମୃତି ମାନ୍ଧାନା ଟି-୨୦ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି। ତା ପୂର୍ବରୁ ଏହି ରେକର୍ଡ ଶେଫାଳୀ ବର୍ମାଙ୍କ ନାଁରେ ଥିଲା। ସେ ପୂର୍ବ ମ୍ୟାଚ୍ରେ ଦଳ ବିପିକ୍ଷରେ ୭୯ ରନ୍ କରିଥିଲେ। ସଂଯୋଗବଶତଃ ଏହି ମ୍ୟାଚ୍ରେ ଶେଫାଳୀ ୭୯ ରନ୍ ହିଁ କରିଛନ୍ତି।

ଟି-୨୦ରେ ଭାରତର ବଡ଼ ସ୍କୋର-

୨୨୧ ରନ୍ - ଶ୍ରୀଲଙ୍କା ବିପକ୍ଷରେ
୨୧୭ ରନ୍ - ୱେଷ୍ଟଇଣ୍ଡିଜ୍ ବିପକ୍ଷରେ
୨୧୦ ରନ୍ - ଇଂଲଣ୍ଡ ବିପକ୍ଷରେ
୨୦୧ ରନ୍ - ୟୁଏଇ ବିପକ୍ଷରେ