LIVE TV
LIVE TV

ଗୋଟିଏ ଛାତ ତଳୁ ବିପର୍ଯ୍ୟୟ ମୁକାବିଲା, ୩୦୦ କୋଟି ଟଙ୍କାରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଭବନ

NEWS7
do-these-process-to-free-the-space-in-your-smartphone

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ନିଜ ପ୍ରସ୍ତୁତିକୁ ଅଧିକ ଉନ୍ନତ କରିବା ପାଇଁ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ କରାଯିବ ଏକ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଭବନ । ଆସନ୍ତା ୨ ବର୍ଷ ମଧ୍ୟରେ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବିପର୍ଯ୍ୟୟ ପରିଚାଳନା ଭବନ । ଶୁକ୍ରବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ବିପର୍ଯ୍ୟୟ ସମୟରେ ଗୋଟିଏ ଛାତ ତଳୁ ପରିଚାଳନା କାର୍ଯ୍ୟ କରାଯିବ । ଅଗ୍ନିଶମ, ବିପର୍ଯୟ ପରିଚାଳନା ବିଭାଗ, ODRAF, ଜଙ୍ଗଲ ବିଭାଗ, ପୂର୍ତ୍ତ ବିଭାଗ ଭଳି ବିଭିନ୍ନ ବିଭାଗ ଗୋଟିଏ ସ୍ଥାନରୁ ବିପର୍ଯ୍ୟୟ ପରିଚାଳନା କରିବେ । ଓଡ଼ିଶାରେ ବନ୍ୟା, ବାତ୍ୟା, ଗ୍ରୀଷ୍ମ ପ୍ରବାହ, ବଜ୍ରପାତ, ଅଗ୍ନିକାଣ୍ଡ ଭଳି ପରିସ୍ଥିତିକୁ ତ୍ୱରିତ ମୁକାବିଲା କରାଯିବା । ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ ରୁମ୍ କାମ କରିବ । ଉଚ୍ଚ ଅଟ୍ଟାଳିକାରେ ନିଆଁ ଲିଭାଇବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି, ଜ୍ଞାନକୌଶଳ ବ୍ୟବହାର କରାଯିବ ।

ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ OFDRA ପରିସରରେ ଥିବା ଷ୍ଟେଟ୍ ଫାୟାର କମାଣ୍ଡ ସେଣ୍ଟର ବୁଲି ଦେଖିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିପର୍ଯ୍ୟୟ ସମୟରେ କିଭଳି ଭାବେ ସଂଗଠିତ ଭାବେ ବିଭାଗ-ବିଭାଗ ଭିତରେ ସମନ୍ଵୟ ରଖି ମୁକାବିଲା କରାଯାଇ ପାରିବ ସେ ନେଇ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । OSDMA, ODRAF ଅଗ୍ନିଶମ ବିଭାଗ ବିପର୍ଯ୍ୟୟ ସମୟରେ ତ୍ୱରିତ ମୁକାବିଲା କରିପାରିବେ ସେ ନେଇ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ଏହି ସମୟରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାସ, ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ସହ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।