Asia Cup U-19: ୧୪ ଛକା, ୯ ଚୌକା...ୟୁଏଇ ବିପକ୍ଷରେ ୧୭୧ ରନ୍ କରି ପୁଣି ଇମ୍ପ୍ରେସ୍ କଲେ ବୈଭବ

NEWS7
dhoni-and-sakshi-returned-ranchi-after-worldcup

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ । ଏବେ ଏହା ଗୋଟିଏ ନାଁ ନୁହେଁ, ବ୍ରାଣ୍ଡ । କ୍ରିକେଟ ଜଗତରେ ବୈଭବ ସୂର୍ଯ୍ୟବଂଶୀ ବଡ଼ ବଡ଼ ସ୍କୋର ସହ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି । କ୍ରିଜ୍କୁ ଆସିଲା ମାତ୍ରେ ଗର୍ଜନ କରୁଛି ବୈଭବଙ୍କ ବ୍ୟାଟ । ଧୂଆଁଧାର ବ୍ୟାଟିଂ, ଶତକ ପରେ ଶତକ କରି ଖେଳପ୍ରେମୀଙ୍କୁ ବିମୋହିତ କରୁଛନ୍ତି ବୈଭବ । ୧୯ ବର୍ଷରୁ କମ୍ ଏସିଆ କପ୍ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚ୍ରେ ୟୁଏଇକୁ ଭେଟିଥିଲା ଭାରତ । ଏହି ମ୍ୟାଚରେ ପୁଣି ଥରେ ନିଜର ବିଶ୍ବରୂପ ଦେଖାଇଛନ୍ତି ବୈଭବ । ରୋମାଞ୍ଚକର ଶତକ କରି କ୍ରିକେଟ୍ ଜଗତକୁ ନିଜ ଆଡ଼କୁ ପୁଣି ଥରେ ସେ ଆକର୍ଷିତ କରିଛନ୍ତି ।

ଦୁବାଇରେ ଆଜି (ଶୁକ୍ରବାର) ଅନୁଷ୍ଠିତ ଏସିଆ କପ୍ର ପ୍ରଥମ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ୩୦ ବଲ୍ରେ ୫୦ ରନ୍ କରିଥିଲେ । ଆଉ ୨୬ ରନ୍ରେ ୫୦ ରନ୍ କରିବା ସହ ଶତକ ପୂରା କରିଥିଲେ ବୈଭବ । ସେ ମାତ୍ର ୮୪ ବଲରେ ୧୫୦ ରନ୍ ଅତିକ୍ରମ କରିଥିଲେ । ଆଜିର ଏହି ମ୍ୟାଚରେ ବୈଭବ ମୋଟ ୧୭୧ ରନ୍ କରିଥିଲେ । ଏହି ସମୟରେ ସେ ୧୪ଟି ଛକା ଏବଂ ୯ଟି ଚୌକା ମାରିଥିଲେ । ୧୮୦ ଷ୍ଟ୍ରାଇକ୍ ରେଟରେ ଖେଳି ସମସ୍ତଙ୍କୁ ଆଶ୍ବର୍ଯ୍ୟ କରିଦେଇଛନ୍ତି ୧୪ ବର୍ଷୀୟ ଖେଳାଳି । ସେପଟେ ୧୯ ବର୍ଷରୁ କମ୍ ଟିମରେ ଗୋଟିଏ ମ୍ୟାଚରେ ଏତେ ସଂଖ୍ୟକ ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ବୈଭବ ।

ଆଜିର ମ୍ୟାଚ୍ରେ ବୈଭବ ଆରୋନ ଜର୍ଜ(୫୭)ଙ୍କ ସହ ମିଶି ଦ୍ବିତୀୟ ଓ୍ବିକେଟ୍ ଲାଗି ୨୧୨ ରନ୍ ଯୋଡ଼ିଥିଲେ । ଦଳ ୩୦ ଓଭର ଶେଷ ସୁଦ୍ଧା ୨୫୦ ରନ୍ ଅତିକ୍ରମ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪୩୩ ରନର ବିଶାଳ ସ୍କୋର କରିଥିଲା। ଭାରତୀୟ ବ୍ୟାଟର ୪୩୩ ରନ କରିବା ସମୟରେ ୨୦ଟି ଛକା ଏବଂ ୩୧ଟି ଚୌକା ମାରିଥିଲେ । ବୈଭବ ସୂର୍ଯ୍ୟବଂଶୀ ଏକା ୧୪ଟି ଛକା ମାରିଥିଲେ ଏବଂ ସେ ୧୭୧ ରନ କରି ଆଉଟ ହୋଇଥିଲେ। ବିହାନ ମାଲହୋତ୍ରା ମଧ୍ୟ ୬୯ ରନର ଚମତ୍କାର ଇନିଂସ ଖେଳିଥିଲେ । ବେଦାନ୍ତ ତ୍ରିବେଦୀ ୩୮ ରନ କରିଥିଲେ ଏବଂ ଅଭିଜ୍ଞାନ କୁଣ୍ଡୁ ଟିମ୍ ଇଣ୍ଡିଆକୁ ୪୦୦ ଅତିକ୍ରମ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। କୁଣ୍ଡୁ ୧୭ ବଲ୍ ରେ ୩୨ ରନ କରି ଅପରାଜିତ ରହିଥିଲେ। ଅଭିଜ୍ଞାନ କୁଣ୍ଡୁଙ୍କ ବ୍ୟତୀତ କନିଷ୍କ ଚୌହାନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ ଏବଂ ୧୨ ବଲରେ ୨୮ ରନ କରିଥିଲେ।

ଭାରତ ୧୯ ବର୍ଷରୁ କମ୍ ଦିନିକିଆ କ୍ରିକେଟ ଇତିହାସରେ ତୃତୀୟ ସର୍ବାଧିକ ସ୍କୋର କରିଛି। ୧୯ ବର୍ଷରୁ କମ୍ ଦିନିକିଆ ମ୍ୟାଚରେ ଭାରତର ପୂର୍ବରୁ ସର୍ବାଧିକ ସ୍କୋର ଥିଲା ୪୨୫, ଯାହା ୨୦୦୪ରେ ସ୍କଟଲାଣ୍ଡ ବିପକ୍ଷରେ କରିଥିଲା । ଟିମ୍ ଇଣ୍ଡିଆ ଏବେ ୪୩୩ ସଂଗ୍ରହ କରିଛି। ୧୯ ବର୍ଷରୁ କମ୍ ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର ହେଉଛି ୪୮୦ । ୨୦୦୨ରେ ଅଷ୍ଟ୍ରେଲିଆ କେନିଆ ବିପକ୍ଷରେ କରିଥିଲା। ନ୍ୟୁଜିଲାଣ୍ଡ ୨୦୧୮ରେ କେନିଆ ବିପକ୍ଷରେ ୪୩୬ ସ୍କୋର କରିଥିଲା । ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ।

ଆଜିର ମ୍ୟାଚ୍ରେ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଥିଲା । ଏହା ପୂର୍ବରୁ ଇଣ୍ଡିଆର ରଇଜିଂ ଷ୍ଟାର ଏସିଆ କପ୍ରେ ମଧ୍ୟ କମାଲ କରିଥିଲେ ବୈଭବ । ୟୁଏଇ ବିପକ୍ଷରେ ସେ ୧୪୪ ରନ୍ କରିଥିଲେ । ଇନିଂସ୍ରେ ୬୦ ରନ୍ ଆଭରେଜ୍ରେ ୨୩୯ ରନ୍ କରିଥିଲେ ବୈଭବ । ସେହିଭଳି ସୟଦ ମୁ ଅଲି ଟୁର୍ଣ୍ଣାମେଣ୍ଟରେ ବିହାର ପକ୍ଷରୁ ଖେଳୁଥିଲେ ସେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ମହାରାଷ୍ଟ୍ର ବିପକ୍ଷରେ ଅପରାଜିତ ୧୦୮ ରନ୍ କରିଥିଲେ ।