ବିଜୁଳି ଖର୍ଚ୍ଚ ବଜେଟ ବିଗାଡ଼ୁଛି କି? ୭.୭ ଲକ୍ଷ ଲୋକ ହେଉଛନ୍ତି ଉପକୃତ, ଆସୁଛି ୦ ବିଜୁଳି ବିଲ୍, ଆପଣ ବି ଆପଣାନ୍ତୁ

NEWS7
dhenkanal-conjoined-twins-condition-critical

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା ଦେଶରେ ସଫଳ ହେଉଛି। ଏହି ଯୋଜନା ଦ୍ୱାରା ସାରା ଭାରତରେ ୭.୭ ଲକ୍ଷ ପରିବାର ସେମାନଙ୍କର ବିଦ୍ୟୁତ୍ ବିଲ୍ ଶୂନ୍ୟ କରିପାରିଛନ୍ତି। ଯାହା ମଧ୍ୟବିତ୍ତଙ୍କୁ ମହଙ୍ଗା ବିଜୁଳି ବିଲ୍‌ରୁ ମୁକ୍ତି ଦେଉଛି। ଏଥିସହିତ ଭାରତର ସ୍ୱଚ୍ଛ-ଶକ୍ତି ପରିବର୍ତ୍ତନର ମହତ୍ୱକାଂକ୍ଷାକୁ ମଧ୍ୟ ଆଗକୁ ବଢ଼ାଉଛି।

ଫେବୃଆରୀ ୨୦୨୪ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ଦେଶରେ ଏକ କୋଟି ପରିବାରରେ ଛାତ ଉପରେ ସୌର ପ୍ରଣାଳୀ ସ୍ଥାପନ କରିବା। ଏଥିପାଇଁ ୭୫,୦୦୦ କୋଟି ଟଙ୍କାରୁ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥାକୁ ଆପଣାଇବାକୁ ଭାରତ ସରକାର ସାଧାରଣ ପରିବାର ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଉଥିବା ପରିବାରଙ୍କୁ ସିଷ୍ଟମ କାପାସିଟି ଆଧାରରେ ସରକାର ୪୦ ପ୍ରତିଶତ ପର୍ଯ୍ୟନ୍ତ ସିଧା ସବ୍ସିଡି ଦେଉଛନ୍ତି। ଥରେ ଇନଷ୍ଟଲ୍ ହୋଇଗଲା ପରେ ପରିବାର ନିଜେ ବିଜୁଳି ଉତ୍ପାଦନ କରିପାରିବେ। ଏଥିରେ ବିଜୁଳି ଗ୍ରୀଡ ଉପରେ ନିର୍ଭରତା କମ୍ ହୋଇପାରିବ। ସୌର ପେନାଲ୍ରେ ଅଧିକ ବିଜୁଳି ଉତ୍ପାଦନ ହେଲେ ଏହି ବିଜୁଳି ଗ୍ରୀଡକୁ ଫେରିଗଲେ ନେଟ ମିଟରିଂ ମାଧ୍ୟମରେ କ୍ରେଡିଟ୍ ବି ପାଇପାରିବେ।

ଏପର୍ଯ୍ୟନ୍ତ, ସାରା ଦେଶରେ ପ୍ରାୟ ୨୦ ଲକ୍ଷ ଛାତ ଉପରେ ସୌରଶକ୍ତି ପ୍ରଣାଳୀ ସ୍ଥାପନ କରାଯାଇଛି। ଲକ୍ଷ ଲକ୍ଷ ପରିବାର ଏବେ ମାସିକ ବିଦ୍ୟୁତ୍ ଖର୍ଚ୍ଚରେ ଭଲ ସଞ୍ଚୟ କରୁଛନ୍ତି। ବିଶେଷକରି ଖରାଦିନରେ ଅନେକ ପରିବାର ବିଦ୍ୟୁତ୍ ବିଲ୍ ଶୂନ୍ୟ ଆସୁଛି। ସରକାରଙ୍କର ଏହି ଯୋଜନାରେ କେବଳ ଯେ ଲୋକଙ୍କର ସଞ୍ଚୟ ହେଉଛି ତାହା ନୁହେଁ, ଶକ୍ତି ସୁରକ୍ଷା ସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରୁଛି। ସୌର ଉତ୍ପାଦନ ଏବଂ ସ୍ଥାପନାରେ ସ୍ଥାନୀୟ ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି।

ଆବେଦନ କରିବା ପାଇଁ ଯୋଗ୍ୟତା ହେଲା ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବା ଦରକାର। ଆପଣଙ୍କର ନିଜସ୍ୱ ଘର ଥିବା ଦରକା ଓ ସୋଲାର ପେନାଲ ପାଇଁ ଉପଯୁକ୍ତ ଛାତ ଏରିଆ ଥିବା ଦରକାର। ତା ସହିତ ଆପଣଙ୍କର ସକ୍ରିୟ ବିଦ୍ୟୁତ ସଂଯୋଗ ରହିବା ଆବଶ୍ୟକ। ପୂର୍ବରୁ ଆପଣଙ୍କୁ ସୌର ସିଷ୍ଟମର କୌଣସି ସବସିଡି ନ ମିଳୁଥିବା ଦରକାର।

କେମିତି ଆବେଦନ କରିବେ?

ପିଏମ୍ ସୂର୍ଯ୍ୟ ଘର ପୋର୍ଟାଲ୍ ଭିଜିଟ କରନ୍ତୁ > କିଛି ସାଧାରଣ ବିବରଣୀ ଭରି ଆପଣଙ୍କର ମୋବାଇଲ୍ ନମ୍ବର ଦେଇ ପଞ୍ଜୀକରଣ କରନ୍ତୁ > ଆପଣଙ୍କର ରାଜ୍ୟ ଏବଂ DISCOM ଚୟନ କରି ଆପଣଙ୍କର କଞ୍ଜ୍ୟୁମର ନମ୍ବର ଏଣ୍ଟର କରନ୍ତୁ >

ରୁଫ୍ ଟପ ସୋଲାର ପାଇଁ ଆବେଦନ କରି ଟେକ୍ନିକାଲ ଫିଜିବିଲିଟି ଆପ୍ରୁଭ୍ ପାଇଁ ଅପେକ୍ଷା କରନ୍ତୁ > ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଏକ ପ୍ୟାନେଲଭୁକ୍ତ ଭେଣ୍ଡର ବାଛନ୍ତୁ > ସୋଲାର ପ୍ୟାନେଲ୍ ଇନଷ୍ଟଲ ପରେ ନେଟ୍ ମିଟରିଂ ପାଇଁ ଆବେଦନ କରନ୍ତୁ > ଆପଣଙ୍କ ଆକାଉଣ୍ଟରେ ସିଧାସଳଖ ସବସିଡି ପାଇବା ପାଇଁ ବ୍ୟାଙ୍କ ବିବରଣୀ ଦାଖଲ କରନ୍ତୁ ।