LIVE TV

ଦ୍ଵିତୀୟ ଦିନରେ ଚମକିଲେ ମୁଥୁସାମି ଓ ଜନସେନ, ଦକ୍ଷିଣ ଆଫ୍ରିକାର ୪୮୯ ରନ ପରେ ଭାରତ ୯/୦

NEWS7
dgca-extended-international-flight-restriction-till-31st-oct

ଗୌହାଟୀ: ଏଠାକାର ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ମଜବୁତ ସ୍ଥିତିରେ ରହିଛି। ଦ୍ଵିତୀୟ ଦିନରେ ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୪୮୯ ରନ କରିଛି। ଏହା ପରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ବିନା ଓ୍ଵିକେଟରେ ୯ ରନ କରିଛି। ଦଳ ଦକ୍ଷିଣ ଆଫ୍ରିକାଠୁ ୪୮୦ ରନ ପଛରେ ରହିଛି। ଯଶସ୍ଵୀ ଜୟସ୍ଵାଲ ୭ ରନ ଓ କେଏଲ ରାହୁଲ ୨ ରନ କରି ଅପରାଜିତ ଅଛନ୍ତି। ଦୁହେଁ ବେଶ ସତର୍କତାର ସହ ବ୍ୟାଟିଂ କରି କୌଣସି ଓ୍ଵିକେଟ୍ ହରାଇବାକୁ ଦେଇ ନାହାନ୍ତି। ଦ୍ଵିତୀୟ ଦିନରେ ଦକ୍ଷିଣ ଆଫ୍ରିକା ୨୪୩ ରନ କରିଛି। ଦ୍ଵିତୀୟ ଦିନ ଖେଳରେ ମୁଥୁସାମି ଓ ମାର୍କୋ ଜନସେନ ଚମକିଛନ୍ତି।

ପ୍ରଥମ ଦିନର ଅସମାପ୍ତ ଖେଳ ୨୪୬/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା। କ୍ରିଜରେ ଥିଲେ ମୁଥୁସାମି ଓ କାଇଲ ଭେରେନ। ଉଭୟ ଦ୍ଵିତୀୟ ଦିନର ପ୍ରଥମ ସେସନରେ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଦୁଇ ବ୍ୟାଟର ସପ୍ତମ ଓ୍ଵିକେଟ୍ ପାଇଁ ୮୮ ରନ ଯୋଡ଼ି ଦଳର ସ୍କୋରକୁ ୩୩୪ ରନରେ ପହଞ୍ଚାଇଥିଲେ। ଭେରେନ ୪୫ ରନର ଉପଯୋଗୀ ଇନିଂସ ଖେଳିଥିଲେ।

ଅନ୍ୟପଟେ ମୁଥୁସାମି କ୍ରିଜରେ ଜମି ଦମଦାର ଶତକ ହାସଲ କରିଥିଲେ। ସେ ଓ ମାର୍କୋ ଜନସେନ ଭାରତୀୟ ବୋଲରଙ୍କ ନୟାନ୍ତ କରିଥିଲେ। ଦୁହେଁ ଅଷ୍ଟମ ଓ୍ଵିକେଟ୍ ପାଇଁ ୯୭ ଯୋଡ଼ିଥିଲେ। ସେନୁରନ ମୁଥୁସାମି ୧୦ ଚୌକା ଓ ୨ ଛକା ସହ ୧୦୯ ରନର ଖେଳି ପାଭିଲିୟନ ଫେରିଥିଲେ। ଜନସେନ ଦ୍ରୁତ ବ୍ୟାଟିଂ କରି ୯୧ ବଲରୁ ୬ ଚୌକା ଓ ୭ ଛକା ସହ ୯୩ ରନର ଇନିଂସ ଖେଳିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪୮୯ ରନରେ ପହଞ୍ଚି ପାରିଛି।

ଅନ୍ୟ ଦିଗରେ ଭାରତର ବୋଲିଂ ବିଭାଗ ମ୍ୟାଚରେ ସେତେଟା ପ୍ରଭାବଶାଳୀ ନଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଦୁଇଟି ଓ୍ଵିକେଟ୍ ନେଇଛନ୍ତି।

ପ୍ରଥମ ମ୍ୟାଚରେ ଶୋଚନୀୟ ପରାସ୍ତ ହେବା ପରେ ଦ୍ୱିତୀୟ ଟେଷ୍ଟ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦଳକୁ ମୁକାବିଲା ଯେମିତି ହେଲେ ଜିତିବାକୁ ପଡିବ । ମ୍ୟାଚ୍ ଡ୍ର ହେଲେ କିମ୍ବା ଦକ୍ଷିଣ ଆଫ୍ରିକା ଜିତିଲେ ଟିମ୍ ଇଣ୍ଡିଆ ସିରିଜ୍ ମଧ୍ୟ ହାତଛଡା କରିବ ।