LIVE TV

‘ଜବାବ ଦେବାର ଅଧିକାର ଭାରତ ପାଖରେ ଅଛି...’ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏସସିଓରେ ଜୟଶଙ୍କରଙ୍କ ବଡ଼ ଚେତାବନୀ

NEWS7
delhi-violence-death-toll-rises-to-27

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପରେ ଭାରତରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ସରକାରଙ୍କ ଅପରେସନ ଜାରି ରହିଛି । ଜମ୍ମୁ କାଶ୍ମୀରର ଅନେକ ଡାକ୍ତର ଭାରତରେ ଆତଙ୍କବାଦୀ ଗତିବିଧିରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ହୋଇସାରିଛନ୍ତି । ଏନଆଇଏ ସମେତ ଅନ୍ୟ ତଦନ୍ତକାରୀ ଏଜେନ୍ସିଙ୍କ ଦ୍ୱାରା ଜାରି କାର୍ଯ୍ୟାନୁଷ୍ଠାନ ଭିତରେ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଅନ୍ତର୍ଜାତୀୟ ମଞ୍ଚରେ ଆତଙ୍କବାଦ ବିରୁଦ୍ଧରେ ଭାରତର ପ୍ରତିବଦ୍ଧତାକୁ ପୁଣ ଥରେ ଦୋହରାଇଛନ୍ତି । ରୁଷର ରାଜଧାନୀ ମସ୍କୋରେ ଏସସିଓ କାଉନସିଲ୍ ଅଫ୍ ହେଡ୍ ଅଫ୍ ଗଭରମେଣ୍ଟର ବୈଠକରେ ଏସ୍. ଜୟଶଙ୍କର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଆତଙ୍କବାଦ ବିରୁଦ୍ଧରେ ଭାରତକୁ ଜବାବ ଦେବାର ପୂରା ଅଧିକାର ଅଛି ।

ରୁଷରେ ଏସସିଓ ସମ୍ମିଳନୀରେ ଭାଗ ନେଇ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଏହା ଜରୁରି ଯେ ଦୁନିଆ ଆତଙ୍କବାଦର ସବୁ ରୂପ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରୁ । ଏହାକୁ କୌଣସି ପ୍ରକାରେ ଯଥାର୍ଥ କିମ୍ୱା ଅଣଦେଖା କରାଯାଇପାରିବ ନାହିଁ । ଯେପରେ ଭାରତ ପ୍ରଦର୍ଶିତ କରିଛି । ଆତଙ୍କବାଦ ବିରୁଦ୍ଧରେ ନିଜ ଲୋକଙ୍କୁ ସୁରକ୍ଷା କରିବାର ଅଧିକାର ଆମ ପାଖରେ ଅଛି ଓ ଆମେ ଏହାର ପ୍ରୟୋଗ କରିବୁ ।

ଏସସିଓ ସମ୍ମିଳନୀରେ ଏସ୍ ଜୟଶଙ୍କର କହିଥିଲେ, "ଆମକୁ ମନେ ରଖିବା ଦରକାର ଯେ ଏସସିଓ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦର ମୁକାବିଲା ପାଇଁ ପ୍ରତିଷ୍ଠା ହୋଇଥିଲା । ଆତଙ୍କବାଦକୁ ଅଣଦେଖା କରାଯାଇପାରିବ ନାହିଁ ।"

ଦିଲ୍ଲୀ ବିସ୍ଫୋରଣ ପରେ ଅନ୍ତର୍ଜାତୀୟ ସ୍ତରରେ ଏସ୍.ଜୟଶଙ୍କରଙ୍କ ଏହି ବକ୍ତବ୍ୟ ଆତଙ୍କବାଦ ବିରୋଧରେ ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଉଲ୍ଲେଖଯୋଗ୍ୟ ଯେ ଦିନକ ପୂର୍ବେ ଭାରତର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ ଯେ ଦିଲ୍ଲୀ ବିସ୍ଫୋରଣର ଦୋଷୀମାନଙ୍କୁ ମାଟି ତଳୁ ଖୋଜି ବାହାର କରି ଦଣ୍ଡ ଦିଆଯିବ ।