ବିମାନ ଟିକେଟ୍ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କଲେ ସୁପ୍ରିମକୋର୍ଟ, ସରକାରଙ୍କୁ ମାଗିଲେ ଜବାବ

NEWS7
delhi-police-has-launched-a-campaign-against-foreigners-living-illegally-in-the-country

ନୂଆଦିଲ୍ଲୀ: ପର୍ବପର୍ବାଣୀ ଏବଂ ଛୁଟିଦିନ ସମୟରେ ବିମାନ ଟିକେଟ୍ ମୂଲ୍ୟରେ ଅହେତୁକ ବୃଦ୍ଧି ଉପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏହି ମାମଲାରେ ଏକ ଆବେଦନର ଶୁଣାଣି ସମୟରେ, ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଏହି ମାମଲାକୁ ସର୍ବୋଚ୍ଚ ସ୍ତରରେ ବିଚାର କରାଯାଉଛି ଏବଂ ଜବାବ ଦାଖଲ ପାଇଁ ଅଧିକ ସମୟ ଆବଶ୍ୟକ ।

ଆବେଦନରେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣରେ ମନମାନୀ କରୁଥିବା ଅଭିଯୋଗ କରାଯାଇଛି । ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ବର୍ତ୍ତମାନ ବିମାନ ଯାତ୍ରା ଏକ ମୌଳିକ ସେବା, । କିନ୍ତୁ ମହଙ୍ଗା ଟିକେଟ୍ ସାଧାରଣ ଲୋକଙ୍କୁ ହଇରାଣରେ ପକାଉଛି । ବିମାନ ଯାତ୍ରା ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ ଅଧୀନରେ ଆସେ । କିନ୍ତୁ ଅତ୍ୟଧିକ ଭଡ଼ା ନାମରେ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୩ ମାର୍ଚ୍ଚରେ କରିବେ ସୁପ୍ରିମକୋର୍ଟ ।

ପାର୍ବଣ ଋତୁରେ ଅତ୍ୟଧିକ ମୂଲ୍ୟବୃଦ୍ଧି ସାଧାରଣ କଥା। ବିମାନ କମ୍ପାନୀଗୁଡ଼ିକ ଅତ୍ୟଧିକ ଭଡ଼ା ଆଦାୟ କରନ୍ତି। ଦୀପାବଳି, ଛଠ ପୂଜା, ହୋଲି ଏବଂ ଦୁର୍ଗା ପୂଜା ସମୟରେ ବିମାନ ଟିକେଟ୍ ମୂଲ୍ୟ ଆକାଶଛୁଆଁ ହୋଇଥାଏ। ବିମାନ କମ୍ପାନୀଗୁଡ଼ିକ ଏହାକୁ ଏକ ସୁଯୋଗ ଭାବରେ ଦେଖନ୍ତି । ହଜାର ହଜାର ଟଙ୍କା ଭଡ଼ା ବୃଦ୍ଧି କରନ୍ତି। ଲୋକମାନେ ଘରକୁ ଯାତ୍ରା କରିବା ପାଇଁ ଉଚ୍ଚ ମୂଲ୍ୟର ଟିକେଟ୍ କିଣିବାକୁ ବାଧ୍ୟ ହୁଅନ୍ତି। ହୋଲି ପାଖେଇ ଆସୁଛି ଏବଂ କିଛି ମାସ ମଧ୍ୟରେ ପିଲାମାନଙ୍କ ସ୍କୁଲ ଛୁଟି ଆରମ୍ଭ ହେବ। ତେବେ ସୁପ୍ରିମକୋର୍ଟ ବିମାନ ଭଡ଼ା ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।