ଏପଷ୍ଟିନ୍ ଫାଇଲ୍: ପିଏମ ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ନେଇ କରାଯାଇଥିବା ସମସ୍ତ ଦାବିକୁ ଖଣ୍ଡନ କଲେ ଭାରତ ସରକାର

NEWS7
delhi-meerut-rapid-rail-corridor-to-be-operational-in-2023-reports

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏପଷ୍ଟିନ ଫାଇଲ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଇସ୍ରାଏଲ ଗସ୍ତ ସଂପର୍କରେ ଥିବା ସବୁ ଦାବିକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସମସ୍ତ ଦାବିକୁ ଭିତ୍ତିହୀନ ଏବଂ ନିନ୍ଦନୀୟ ବୋଲି କହିଛି ।

ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ‘ଭାରତ ସରକାର ଏପଷ୍ଟିନ ଫାଇଲ ସହିତ ଜଡିତ ଇମେଲଗୁଡ଼ିକର ବିଚାର କରିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ ଗସ୍ତ ବିଷୟରେ ଉଲ୍ଲେଖ ଅଛି।’ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ୨୦୧୭ ରେ ଇସ୍ରାଏଲକୁ ସରକାରୀ ଗସ୍ତ କରିଥିଲେ । କିନ୍ତୁ ଏହା ବ୍ୟତୀତ ଇମେଲରେ କରାଯାଇଥିବା ଅନ୍ୟ ସମସ୍ତ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ବିବାଦଗୁଡ଼ିକ କେବଳ ଜଣେ ଅପରାଧୀଙ୍କର ଅଯୌକ୍ତିକ ଚିନ୍ତାଧାରା । ଯାହାର କୌଣସି ତଥ୍ୟଗତ ଆଧାର ନାହିଁ। ସରକାର ଏପରି ଦାବିକୁ ଖାରଜ କରି କହିଛନ୍ତି ଯେ, ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯିବା ଉଚିତ।

ଆମେରିକାର ନ୍ୟାୟ ବିଭାଗ ସମ୍ପ୍ରତି ଜେଫ୍ରି ଏପଷ୍ଟିନଙ୍କ ମାମଲା ସହିତ ଜଡିତ ଲକ୍ଷ ଲକ୍ଷ ରେକର୍ଡ ପ୍ରକାଶ କରିଛି। ବିଭାଗ କହିଛି ଯେ, ଏହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ନୂତନ ସ୍ୱଚ୍ଛତା ଆଇନ ଅଧୀନରେ ନିର୍ଦ୍ଦେଶିତ ଏକ ଐତିହାସିକ ସମୀକ୍ଷା । ଡେପୁଟି ଆଟର୍ଣ୍ଣି ଜେନେରାଲ ଟଡ୍ ବ୍ଲାଞ୍ଚ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବିଭାଗ ତିନି ଲକ୍ଷରୁ ଅଧିକ ପୃଷ୍ଠାର ସାମଗ୍ରୀ ପ୍ରକାଶ କରିଛି । ଯେଉଁଥିରେ ୨୦୦୦ ରୁ ଅଧିକ ଭିଡିଓ ଏବଂ ପ୍ରାୟ ୧୮୦,୦୦୦ ଫଟୋଗ୍ରାଫ୍ ଅନ୍ତର୍ଭୁକ୍ତ ।

ଏହି ସମସ୍ତ ସୂଚନା ସ୍ୱଚ୍ଛତା ଆଇନ ଅଧୀନରେ ପ୍ରଦାନ କରାଯାଇଛି । ଏହା ୧୯ ନଭେମ୍ବର, ୨୦୨୫ ରେ କାର୍ଯ୍ୟକାରୀ ହୋଇଥିଲା। ୨୦୧୯ ମସିହାରେ ନ୍ୟୁୟର୍କ ଜେଲରେ ମୃତ୍ୟୁବରଣ କରିଥିବା ବ୍ୟବସାୟୀ ଜେଫ୍ରି ଏପଷ୍ଟିନ ଯୌନ କେଳେଙ୍କାରୀ ଅଭିଯୋଗର ସମ୍ମୁଖୀନ ହେଉଥିଲେ। ତାଙ୍କ ସହଯୋଗୀ ଘିସଲେନ୍ ମ୍ୟାକ୍ସୱେଲଙ୍କୁ ପରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ବର୍ତ୍ତମାନ ସେ ଲମ୍ବା ଜେଲଦଣ୍ଡ ଭୋଗୁଛନ୍ତି।