LIVE TV

ମତଦାନ ପ୍ରତିଶତ ବଢିବା ନେଇ ଆସିଲା ନିତିଶ କୁମାରଙ୍କ ପ୍ରତିକ୍ରିୟା, କରିଛନ୍ତି ବଡ଼ ଅପିଲ

NEWS7
delhi-highcourt-give-notice-to-baba-ramdev

ପାଟନା ୭।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ଲୋକେ ରେକର୍ଡ ଭୋଟ ଦେଇଛନ୍ତି। ନଭେମ୍ବର ୬ ତାରିଖରେ ଅନୁଷ୍ଠିତ ଏହି ମତଦାନରେ ୬୪.୬୬% ଭୋଟ ଗ୍ରହଣ ହୋଇଛି। ଏହା ଉପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି, ଏଥି ସହିତ ପରବର୍ତ୍ତି ପର୍ଯ୍ୟାୟ ମତଦାନ ନିମନ୍ତେ ଲୋକଙ୍କୁ ବଡ଼ ଅପିଲ ମଧ୍ୟ କରିଛନ୍ତି। ମତଦାନ ପ୍ରତିଶତ ବୃଦ୍ଧି ନେଇ ନିତିଶ ଏକ୍ସରେ ପୋଷ୍ଟ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରେକର୍ଡ଼ ମତଦାନ ପାଇଁ ବିହାର ଜନତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ଯେ ପିଛିଲା ବର୍ଷମାନଙ୍କରେ ବିହାର ଅଭୂତପୂର୍ବ ବିକାଶ କରିଛି। ଏବେ ବିହାରକୁ ଦେଶର ସବୁଠୁ ବିକଶିତ ରାଜ୍ୟମାନଙ୍କ ଶ୍ରେଣୀରେ ସାମିଲ କରିବାର ବେଳ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଲେଖିଛନ୍ତି ଯେ ଗଣତନ୍ତ୍ରରେ ଭୋଟ ଦାନ କେବଳ ଆମ ଅଧିକାର ନୁହେଁ, ଦାୟିତ୍ୱ ମଧ୍ୟ। ଏଣୁ ବିହାର ଲୋକଙ୍କୁ ନିବେଦନ ସେମାନେ ୧୧ ନଭେମ୍ବର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ମଧ୍ୟ ଏହି ଉତ୍ସାହ ପ୍ରଦର୍ଶନ କରନ୍ତୁ। ଯାହ ଦ୍ୱାରା ବିହାର ଆଗକୁ ବଢି ପାରିବ, ସମସ୍ତଙ୍କ ସମ୍ମାନ ହେବ ଓ ସମସ୍ତଙ୍କ ବିକାଶ ହେବ।

ସେହିପରି ବିହାର ଜେଡିୟୁ ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି ଯେ ଦେଖନ୍ତୁ ଏହା ଅଭୂତ ପୂର୍ବ ମତଦାନ। ଏହା ସୁନିଶ୍ଚିତ କରୁଛି ଯେ ଆମେ ୨୦୨୦ ଠାରୁ ମଧ୍ୟ ଭଲ ଫଳାଫଳ ନେଇ ଆସିବୁ। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଶ୍ୱସୀ ଯୋଡି ବିହାରର କାୟାକଳ୍ପ କରିଛି। ସେହିପରି ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା କହିଛନ୍ତି ଯେ ଏହି ନିର୍ବାଚନରେ ଶୋଚନୀୟ ପରାଜୟକୁ ସାମ୍ନାରେ ଦେଖି ବିରୋଧୀ ହତାସ ହୋଇ ପଡିଛନ୍ତି ଓ ବିଭିନ୍ନ ପ୍ରକାରର ନାରେଟିଭ ଗଢୁଛନ୍ତି।

ବିରୋଧୀ ଦଳ ଲୋକେ ଭୋଟଗ୍ରହଣ ଦିନ ନିର୍ବାଚନ ଆୟୋଗ ମନ୍ଥର ଭୋଟ ଗ୍ରହଣ କରୁଥିବା ଅଭିଯୋଗ କରିଥିଲେ। ହେଲେ ସନ୍ଧ୍ୟା ବେଳକୁ ଭୋଟ ପ୍ରତିଶତ ସାମ୍ନାକୁ ଆସିବା ପରେ ସେମାନଙ୍କ ମୁହଁ ବନ୍ଦ ହୋଇ ଯାଇଛି। ବିହାରରେ ସ୍ଲୋ ମତଦାନ ନୁହେଁ ଐତିହାସିକ ମତଦାନ ହୋଇଛି। ଏଣୁ ବିରୋଧୀଙ୍କ ଆଶା ପାଣି ହୋଇଯାଇଛି।