LIVE TV

ସେମିଫାଇନାଲ ପୂର୍ବରୁ ଭାରତକୁ ଶକ୍ତ ଝଟ୍‌କା, ଆହତ ହେଲେ ଓପନର ପ୍ରତୀକା ରାୱଲ

NEWS7
delhi-health-minister-satyendar-jain-coronavius-test-positive

ମୁମ୍ବାଇ: ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୫ ଅଭିଯାନରେ ଟିମ୍ ଇଣ୍ଡିଆକୁ ଶକ୍ତ ଝଟ୍‌କା ଲାଗିଛି। ରବିବାର(୨୬ ଅକ୍ଟୋବର) ନଭି ମୁମ୍ବାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଆହତ ହେଲେ ଷ୍ଟାର ଓପନର ପ୍ରତୀକା ରାୱଲ। ତାଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ତାଙ୍କୁ ମ୍ୟାଚ୍‌ ଅଧାରୁ ହଟିବାକୁ ପଡ଼ିଛି।

ଏହି ଆଘାତ କେତେ ବିପଦପୂର୍ଣ୍ଣ ସେ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ସୂଚନା ମିଳିପାରି ନାହିଁ। ତେବେ ଯଦି ଏହା ଗମ୍ଭୀର ସମସ୍ୟା ହୋଇଥିବ ତେବେ ପ୍ରତୀକା ଟିମ୍‌ରୁ ବାହାରି ପାରନ୍ତି। ଆଗକୁ ଅଷ୍ଟ୍ରେଲିଆ ସହିତ ସେମିଫାଇନାଲ୍ ମୁକାବିଲା ଥିବାରୁ ଭାରତ ପାଇଁ ଏହା ଏକ ଶକ୍ତ ଝଟ୍‌କା ହୋଇପାରେ।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ର ୨୧ତମ ଓଭରର ଶେଷ ବଲ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ବାଂଲାଦେଶୀ ବ୍ୟାଟର ଶର୍ମିନ୍ ଆକ୍ତର ମିଡ୍‌ୱିକେଟ୍‌ ଆଡକୁ ବଲ୍‌ ମାରିଥିଲେ। ଆଉ ପ୍ରତୀକା ବଲ୍‌ ଅଟକାଇବାକୁ ଦୌଡ଼ିଥିଲେ। ବାଉଣ୍ଡରୀ ରୋପ୍ ଦେଇ ସ୍ଲାଇଡ୍‌ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କ ଡାହାଣ ପାଦ ହଠାତ୍ ଅସ୍ୱାଭାବିକ ଭାବେ ମୋଡ଼ି ହୋଇଯାଇଥିଲା। ଏବଂ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଗୋଡ଼ର ପରିସ୍ଥିତି ନେଇ କୌଣସି ଅପଡେଟ ସୂଚନା ମିଳି ନଥିବା ବେଳେ ବିସିସିଆଇ ମେଡିକାଲ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଛି ବୋଲି ବିସିସିଆଇ କହିଛି।

ବିଶ୍ୱକପ ମୁକାବିଲାରେ ଟିମ୍ ଇଣ୍ଡିଆ ପାଇଁ ପ୍ରତୀକାଙ୍କ ଉପସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଦଳକୁ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ମୃତି ମାନ୍ଧାନଙ୍କ ପରେ ଏହି ଟୁର୍ଣ୍ଣାମେଣ୍ଟରେ ସେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ପ୍ରତୀକା ଚଳିତ ବିଶ୍ୱକପ ମୁକାବିଲାରେ ୩୦୮ ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୩୩୧ ରନ୍ କରିଛନ୍ତି।

Pratika Rawal Injury

ପ୍ରତୀକା ସ୍ମୃତିଙ୍କ ସହିତ ଓପନିଂ ଆସି ଦଳକୁ ଏକ ମଜଭୁତ ସ୍ଥିତିରେ ନେବାରେ ସାହାଯ୍ୟ କରିଥାନ୍ତି। ତେଣୁ ଏହି ଷ୍ଟାର ଓପନରଙ୍କର ହଠାତ ଏପରି ସମସ୍ୟା ସାଥି ଖେଳାଳି ଓ କ୍ୟାପ୍ଟେନ୍‌ଙ୍କୁ ଚିନ୍ତାରେ ପକାଇଛି।

ସେପଟେ ରବିବାର ଖେଳାଯାଉଥିବା ବାଂଲାଦେଶ-ଭାରତ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଛି। ରବିବାର ମୁମ୍ବାଇରେ ବାରମ୍ବାର ବର୍ଷା ଯୋଗୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାପରେ ମ୍ୟାଚ୍‌କୁ ୨୭ ଓଭର ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ବାଂଲାଦେଶ ଏଥିରେ ୯ ୱିକେଟ୍ ହରାଇ କରିଥିଲା ୧୧୯ ରନ୍। ବର୍ଷା ଥମିବା ପରେ ଭାରତ ବ୍ୟାଟିଂ କରି କୌଣସି ୱିକେଟ ନ ହରାଇ ୮.୪ ଓଭରେ ୫୭ ରନ୍ କରିଥିଲା। ଯେଉଁଥିରେ ସ୍ମୃତି ମାନ୍ଧାନା ୩୪ ରନ୍ ଓ ଅମନଯୋତ କୌର ୧୫ ରନ୍ କରି ନଟ୍ ଆଉଟ୍ ରହିଛନ୍ତି। ହେଲେ ପୁଣିଥରେ ବର୍ଷା ହେବାରୁ ଶେଷରେ ମ୍ୟାଚ୍‌କୁ ବାତିଲ କରାଯାଇଛି। ଫଳରେ ଆଜିର ମ୍ୟାଚ୍‌ର କୌଣସି ନିଷ୍କର୍ଷ ବାହାରିପାରି ନାହିଁ।

ତେବେ ଭାରତ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ୩୦ ଅକ୍ଟୋବରରେ ଅଷ୍ଟ୍ରେଲିଆକୁ ଭେଟିବ। ଉଭୟଙ୍କ ମଧ୍ୟରେ ଫାଇନାଲ୍‌ରେ ପ୍ରବେଶ ପାଇଁ ଲଢ଼େଇ ହେବ। ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆ ଠାରୁ ୩ ୱିକେଟ୍‌ରେ ପରାସ୍ତ ହୋଇ ସାରିଛି। ସେମିଫାଇନା ଜିତି ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ସେପଟେ ପ୍ରଥମ ପର୍ଯ୍ୟାୟ ସେମିଫାଇନା ମୁକାବିଲା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ୨୯ ତାରିଖରେ ଖେଳାଯିବ।