ସବୁ ଥାଇ ବି ଆଳୁ ଉତ୍ପାଦନରେ ବିଫଳ ଓଡ଼ିଶା: କେତେ ଦିନ ଦିଦି ଓ ଯୋଗୀଙ୍କ ଉପରେ ନିର୍ଭର କରିବେ ଓଡ଼ିଶା ସରକାର?

NEWS7
delhi-bar-counsil-sent-legal-notice-to-amitabh-bachan

ଭୁବନେଶ୍ୱର: ଆଳୁ ଚାଷରେ ଓଡ଼ିଶା ପଛୁଆ। ରାଜ୍ୟ ବାହାରୁ ଆମଦାନୀରେ କିନ୍ତୁ ଢେର୍ ଅଧିକ ନିର୍ଭରଶୀଳ। ବିଧାନସଭା ରିପୋର୍ଟ କହୁଛି ଓଡ଼ିଶା ଏବେବି ରାଜ୍ୟବାସୀଙ୍କ ଆଳୁ ଖାଇବା ଚାହିଦାକୁ ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି। ଓଡ଼ିଶା ପାଣିପାଗ ପ୍ରତିକୂଳ,ବୈଜ୍ଞାନିକ ଉପଯୋଗୀତା,ଚାଷୀର ସାହସ ଥାଇ ବି ୱେଷ୍ଟ ବେଙ୍ଗଲ ଓ ଉତ୍ତର ପ୍ରଦେଶ ଉପରେ ପୂରା ନିର୍ଭର କରୁଛି। ହେଲେ ବିରୋଧୀ ନେତା,କୃଷି ବୈଜ୍ଞାନିକ,ରାଜ୍ୟ ବ୍ୟବସାୟୀ କିନ୍ତୁ ଏନେଇ ସରକାରଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି। ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଯୋଗୁ ସରକାର ଆଳୁ ଚାଷ,ଉତ୍ପାଦନ ଓ ଶୀତଳଭଣ୍ଡାରରେ ସଂରକ୍ଷଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଳୁ ଅଭାବକୁ ନେଇ ନ୍ୟୁଜ-୭ର ସ୍ଵତନ୍ତ୍ର ରିପୋର୍ଟ ପଢ଼ନ୍ତୁ।

ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ। ରାଜ୍ୟରେ ଉତ୍ପାଦନ କମ୍ ଆମଦାନୀ ଉପରେ ବେଶୀ ନିର୍ଭର କରୁଛି ଓଡ଼ିଶା। ଏବେ ବି ଦିଦି ଓ ଯୋଗୀ ଆଳୁ ଉପରେ ନିର୍ଭର କରୁଛି ଓଡ଼ିଶା। ଉତ୍ପାଦନ ଓ ଆମଦାନୀ ଭିତରେ ରହିଛି ବଡ଼ ବ୍ୟବଧାନ। ବିଧାନସଭା ପ୍ରଶ୍ନୋତ୍ତରରୁ ଏଭଳି ନିରାଶାଜନକ ତଥ୍ୟ ସାମ୍ନାକୁ ଆସିଛି। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ କୃଷି ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଉତ୍ତର ରଖିଛନ୍ତି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ,୨୦୨୪-୨୦୨୫ ଆର୍ଥିକ ବର୍ଷରେ ରାଜ୍ୟରେ ବାର୍ଷିକ ହାରାହାରି ୧୪.୨୫ ଲକ୍ଷ ମେଟ୍ରିକ ଟନ ଆଳୁ ଏବଂ ୩.୮୫ ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ରହିଥିଲା। ହେଲେ ଉତ୍ପାଦିତ ହୋଇଥିଲା ପ୍ରାୟ ୪.୯୦ ଲକ୍ଷ ମେଟ୍ରିକଟନ ଆଳୁ ଏବଂ ୪.୪୮ ଲକ୍ଷ ମେଟ୍ରିକ ଟନ ପିଆଜ।

ସରକାର ପରୋକ୍ଷରେ ମାନିଛନ୍ତି ଯେ ଏବେ ରାଜ୍ୟରେ ୯.୩୫ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକତାକୁ ରାଜ୍ୟ ସରକାର ପୂରଣ କରିପାରୁ ନାହାଁନ୍ତି। ଆଳୁ ମିଶନକୁ ବଳ ଦେବା ସତ୍ତ୍ୱେ ନିଅଣ୍ଟିଆ ଚାହିଦା ଆଳୁ ପୂରଣ ହୋଇପାରି ନାହିଁ। ୯.୩୫ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ପାଇଁ ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶ ଉପରେ ପୂରା ନିର୍ଭର କରିଥାନ୍ତି ରାଜ୍ୟ ବିଜେପି ସରକାର। ସେହିଭଳି ପିଆଜ ଉତ୍ପାଦନରେ ଆବଶ୍ୟକତା ୩.୮୫ ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ରହିଥିବା ବେଳେ ୪.୪୮ ଲକ୍ଷ ମେଟ୍ରିକ ଟନ ପିଆଜ ଉତ୍ପାଦିତ ହୋଇଥିଲା। ତେବେ ଗ୍ରାଉଣ୍ଡ ଜିରୋ କହୁଛି ଓଡ଼ିଶାର ସବୁ କିଚେନରେ ନାସିକ ପିଆଜରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଏଭଳି ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ।

ରାଜ୍ୟସ୍ତରୀୟ ଆଳୁ ଉତ୍ପାଦନ ଓ ଆମଦାନୀ ତଥ୍ୟ ଜାଣିଲେ। ଏବେ ଆସନ୍ତୁ ଜାଣିବା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କୁହାଯାଇଥିବା କଟକ ଜିଲ୍ଲାର ସାମଗ୍ରିକ ଆଳୁ ଚାଷର ତଥ୍ୟ। ବାରଙ୍ଗ, ନିଆଳି, ସାଲେପୁର , ମାହାଙ୍ଗା, ବାଙ୍କୀ ଭଳି ୧୪ ବ୍ଲକରେ ୬୬୫.୬୬ ହେକ୍ଟର ଆଳୁ ଚାଷ କରାଯାଉଛି। ୧୬୭ ହେକ୍ଟରରେ ପିଆଜ ଉତ୍ପାଦନ ହେଉଛି। ବାରଙ୍ଗ, ନିଶ୍ଚିନ୍ତକୋଇଲି, ମାହାଙ୍ଗା ବ୍ଲକରେ ସର୍ବନିମ୍ନ ୪୦ ହେକ୍ଟର ଜମିରେ ଚାଷ କରାଯାଉଥିବା ବେଳେ ବାଙ୍କୀରେ ନଗଣ୍ୟ ୪୨ ହେକ୍ଟରରେ ଆଳୁ ଚାଷ ହେଉଛି।

ରାଜ୍ୟରେ କଟକ ଜିଲ୍ଲାର ରାଜନୀତିକ ଓ କୃଷିଗତ ଦୃଷ୍ଟିରୁ ଅନେକ ଗୁରୁତ୍ଵ ରହିଛି। କଟକ ଜିଲ୍ଲା ର ଜନସଂଖ୍ୟା ଦୃଷ୍ଟିରୁ ଏହି ଚାଷ ର ପରିମାଣ କେତେ କମ୍ ରହିଥିବା ଜଳଜଳ ଦେଖା ଯାଉଛି। କଟକ ଦେଇ ମହାନଦୀ ଓ କାଠଯୋଡି ଭଳି ପ୍ରମୁଖ୍ୟ ନଦୀ ପ୍ରବାହିତ ସତ୍ତ୍ୱେ ସରକାରୀ ତତ୍ପରତା ଓ ପ୍ରୋତ୍ସାହନ ଯୋଗୁ ଆଳୁ ଓ ପିଆଜ ଉତ୍ପାଦନ ଅତି ନଗଣ୍ୟ ଥିବା ଅଭିଯୋଗ କରିଛନ୍ତି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା।

ସେପଟେ ଆଳୁ ଚାଷ ପାଇଁ କଟକ ମାଟି ପ୍ରକୃଷ୍ଠ ଜମି। ଉର୍ବର ଜମି ଅଛି। ଖାଲି କଟକ ନୁହେଁ ବରଂ ଉପକୂଳ ସମେତ କୋରାପୁଟ ଓ ଫୁଲବାଣୀ ଭଳି ଜିଲ୍ଲାରେ ଆଳୁ ଚାଷ ବେଶ୍ ଭଲ ହୋଇ ପାରିବ। ଓୟୁଏଟିରେ ଏଥିପାଇଁ ଢେର୍ ଗବେଷଣା କରାଯାଇ ଉତ୍ପାଦନ କ୍ଷମତା ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇଛି। ଗବେଷଣା ଓ ବୈଷୟିକ ଜ୍ଞାନର ସୁଫଳ ରାଜ୍ୟ ସରକାର ଓ ଚାଷୀ ନେବା ଉଚିତ୍। ସବୁଠୁ ବଡ଼ କଥା ହେଲା ସାରା ବିଶ୍ୱରେ ଆଳୁର ପ୍ରମୁଖ ରୋଗ ପତ୍ରପୋଡା ହୋଇଥିବା ବେଳେ ଏଭଳି ସାଙ୍ଘାତିକ ରୋଗ ଓଡ଼ିଶାରେ ଦେଖା ଯାଇ ନାହିଁ। କାରଣ ଗବେଷଣା ଓ ମାଟିର କ୍ୱାଲିଟି ଯୋଗୁ ଏହା ସମ୍ଭବ ହୋଇ ପାରିଛି।

ଓଡ଼ିଶାରେ ଆଳୁ ପାଇଁ ଯେତିକି ଶୀତ ହେବା କଥା ତାହା ହେଉଛି। ତେଣୁ ସ୍ଵଳ୍ପ ଅବଧି ମାନେ ୭୦-୮୦ ଦିନିଆ ଆଳୁ ନଭେମ୍ବର ୧୦-୧୫ ପରଠୁ ଲଗାଇବା ଉଚିତ୍। ଖାଲି ଚାଷୀ କିଛି କରି ପାରିବେ ନାହିଁ। ସରକାରୀ ସିଷ୍ଟମ ବର୍ଷେ ପୂର୍ବରୁ ପ୍ଲାନ୍ କରି ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶ ରୁ ଭଲ ବିହନ ଆଣି ଚାଷୀଙ୍କୁ ଠିକ୍ ସମୟ ପୂର୍ବରୁ ଯୋଗାଇବା କଥା। ଯାହା ହୋଇ ପାରୁ ନାହିଁ। ଅମଳ ପରେ ଆଳୁ କୁ ରଖିବା ପାଇଁ ଆବଶ୍ୟକତା ଅନୁସାରେ ଷ୍ଟୋରେଜ ବି ନଥିବା ଯୋଗୁ ଚାଷୀ ସାହସ ଯୁଟେଇ ଚାଷ କରି ପାରୁ ନାହାଁନ୍ତି।

ମୋଟାମୋଟି କହିବାକୁ ଗଲେ ସରକାର - ବୈଜ୍ଞାନିକ - ଚାଷୀ - ଜଳବାୟୁର ତାଳମେଳରେ ସର୍ବାଧିକ ୮-୯ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ କରିପାରିବ ଓଡ଼ିଶା। ଯାହା ସମନ୍ଵୟ ଅଭାବରୁ ହୋଇପାରୁ ନାହିଁ ବୋଲି କହିଛନ୍ତି କୃଷି ବୈଜ୍ଞାନିକ ସୁରେନ୍ଦ୍ରନାଥ ପଶୁପାଳକ। ଉତ୍ପାଦନ କମ୍ ଯୋଗୁ ଆମଦାନୀକୁ ସର୍ବାଧିକ ଗୁରୁତ୍ଵ ଦେବାକୁ ବାଧ୍ୟ ହେଉଛନ୍ତି ରାଜ୍ୟ ବିଜେପି ସରକାର। ସରକାର ୪.୯୦ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ କହୁଥିବା ବେଳେ ସତ୍ୟତା ଆଉ କିଛି ରହିଛି ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା। ଏହି ପରିମାଣ ୪.୯୦ ଲକ୍ଷ ମେଟ୍ରିକଟନ ନୁହେଁ ବରଂ ଆହୁରି କମ୍ ହେବ ବୋଲି ସେ କହିଛନ୍ତି। ତେଣୁ ୯.୩୫ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକତା ନୁହେଁ ବରଂ ୧୨-୧୩ ଲକ୍ଷ ମେଟ୍ରିକ୍ ଟନରୁ କମ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆଳୁ ଚାଷ ନେଇ ସରକାରଙ୍କ ଦୂରଦୃଷ୍ଟି ଓ ଆନ୍ତରିକତା ଅଭାବ ଯୋଗୁ ଏପରି ଦଶା ହୋଇଥିବା କହିଛନ୍ତି ସୁଧାକର ପଣ୍ଡା। ତେବେ ଆଳୁ ଉତ୍ପାଦନ ଓ ଆମଦାନୀକୁ ନେଇ ବିରୋଧୀ ଉଠାଉ ଥିବା ଅଭିଯୋଗକୁ ବିଜେପି ବିଧାୟକ ଅଗସ୍ତି ବେହେରା ଖଣ୍ଡନ କରିଛନ୍ତି। ଗତ ୨୪ ବର୍ଷ ହେଲା ବିଜେଡି ସରକାର ଆଳୁ ସମସ୍ୟା ସମାଧାନ କରି ପାରି ନାହାଁନ୍ତି। ମୋହନ ସରକାର ଆଳୁ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛନ୍ତି। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।

ଆଳୁ ଚାଷ ପାଇଁ ଚାଷୀ ବାପୁଡ଼ା ଅଣ୍ଟା ଭିଡ଼ି ତୟାର୍ ଅଛି। କିନ୍ତୁ ଉନ୍ନତ ବିହନ, ଶୀତଳଭଣ୍ଡାର ଓ ଉଚିତ୍ ଦାମ ଯୋଗୁ ନିୟମିତ ଆଳୁ ଚାଷ ପାଇଁ ସାହସ ଜୁଟେଇ ପାରୁ ନାହିଁ। ଚାଷୀଙ୍କୁ ସାହସ କେବଳ ରାଜ୍ୟ ସରକାର ହିଁ ଦେଇ ପାରିବେ। ନଚେତ୍ ଦିଦି ଓ ଯୋଗୀ ଆଳୁ ପାଇଁ ସବୁବେଳେ ଚାହିଁ ବସିବେ ମୋହନ ସରକାର।