ଅରବିନ୍ଦ ମହାପାତ୍ର କାହିଁକି ଦଳରୁ ହେଲେ ସସପେଣ୍ଡ ? ମୁହଁ ଖୋଲିଲେ ନବୀନ

NEWS7
delhi-bar-counsil-sent-legal-notice-to-amitabh-bachan

ଭୁବନେଶ୍ଵର: ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହାକୁ ନେଇ ନେତାଙ୍କ ପକ୍ଷରୁ ବୟାନବାଜି ଜାରି ରହିଛି। କାହିଁକି ଏବଂ କେଉଁ କାରଣ ପାଇଁ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରାଗଲା ତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅରବିନ୍ଦଙ୍କୁ ସସପେଣ୍ଡ କରାଯାଇଥିବା ବିଜେଡି ନେତା କହୁଥିଲେ ହେଁ ଏହାକୁ ଲୋକେ ସହଜରେ ଗ୍ରହଣ କରି ପାରୁ ନ ଥିଲେ। ଏସବୁ ଭିତରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହା ସହିତ ଅରବିନ୍ଦଙ୍କ ନିଲମ୍ବନ ପଛର କାରଣ ବି କହିଛନ୍ତି ନବୀନ।

ନବୀନ କହିଛନ୍ତି, ମୁଁ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ୍ ଦେଇଥିଲି। ମୁଁ ଅରବିନ୍ଦଙ୍କୁ ବିଶ୍ଵାସ କରି ସୁଯୋଗ ଦେଇଥିଲି କିଛି କାମ କରିବାକୁ। ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି। କିନ୍ତୁ ଜାଣିଲି ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି। ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରେ ମୁଁ ତାକୁ ଦଳରୁ କାଢିନିଏ। ଆପଣ ମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ।

ଏହା ପୂର୍ବରୁ ନବୀନ ନିବାସରେ ପାଟକୁରା ବିଜେଡିର ନେତା ଓ କର୍ମୀ ରୁଣ୍ଡ ହୋଇଥିଲେ। ବହୁ ସଂଖ୍ୟାରେ ଦଳୀୟ କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧି ଆଜି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଜଣାଇଥିଲେ। ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ସସପେଣ୍ଡ କରିଥିଲେ ନବୀନ। ଏହି ନିଷ୍ପତ୍ତି ଯଥାର୍ଥ ଥିଲା। ନବୀନଙ୍କ ସହ ଆମେ ଥିଲୁ , ଅଛୁ ଓ ରହିବୁ ବୋଲି ପାଟକୁରା ଦଳୀୟ ନେତା ଓ କର୍ମୀ କହିଛନ୍ତି।

ଦୁର୍ନୀତି ଓ ବିଶ୍ଵାସଘାତକ ଅଭିଯୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳୀୟ ଗୁଇନ୍ଦା ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପୂର୍ବରୁ ସଭାପତିଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦଳର ବରିଷ୍ଠ ନେତା କହିଥିଲେ। ଆଜି ନବୀନଙ୍କୁ ପାଟକୁରା ବିଜେଡିର ନିର୍ବାଚିତ ପ୍ରତିନିଧି, ନେତା ଓ କର୍ମୀ ଭେଟି ଧନ୍ୟବାଦ ଦେଇଛନ୍ତି।

​​​​​​​ସୂଚନାଯୋଗ୍ୟ, ନିକଟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବିତ କରିଥିଲେ ନବୀନ ପଟ୍ଟନାୟକ। ଅଚାନକ ଏମିତି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଅରିବନ୍ଦଙ୍କୁ କାହିଁକି ଦଳ ମୁଖିଆ ନିଲମ୍ବିତ କଲେ ଏହାକୁ ନେଇ ଅନେକ ପ୍ରକାରର ରାଜନୈତିକ ବିଶ୍ଲେଷଣ ହେଲା। ଅରବିନ୍ଦଙ୍କ ନିଲମ୍ବନଙ୍କୁ ବାପା ବିଜୟ ମହାପାତ୍ରଙ୍କ ସହ ଯୋଡ଼ି କି ଦେଖାଗଲା।