ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? ଆସନ୍ତାକାଲି ନିଷ୍ପତ୍ତି, ରାହୁଲ ଓ ପ୍ରିୟଙ୍କାଙ୍କ ଉପରେ ନଜର

Published By : Prameya-News7 Bureau | April 26, 2024 IST

indiatoday

ନୂଆଦିଲ୍ଲୀ: ଦିନେ କଂଗ୍ରେସର ପାରମ୍ପରିକ ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଅମେଠି ଓ ରାଇବରେଲିରେ ଦଳ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଦେଇ ନାହିଁ। ଶୁଣାଯାଉଛି ରାହୁଲ ଗାନ୍ଧୀ ୱାଏନାଡ ସହିତ ଅମେଠିରୁ ପ୍ରାର୍ଥୀ ହେବେ ଓ ପ୍ରିୟଙ୍କା ଗାନ୍ଧୀ ରାଇବରେଲିରୁ ପ୍ରାର୍ଥୀ ହେବେ। ତେବେ ଆସନ୍ତା କାଲି ଏନେଇ ନିଷ୍ପତ୍ତି ନିଆଯିବ। ଶନିବାର କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ତଥ୍ୟ ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।

ଯଦିଓ ରାହୁଲ ୱାଏନାଡରୁ ନିର୍ବାଚନ ମୈଦାନକୁ ଓହ୍ଲାଇ ସାରିଛନ୍ତି ଏବଂ ଶୁକ୍ରବାର ସେଠାରେ ଭୋଟ୍ ଶେଷ ହୋଇଛି, ହେଲେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ମୈଦାନ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ରାଜ୍ୟ ଇଲେକ୍ସନ କମିଟି ରାହୁଲଙ୍କୁ ଅମେଠି ଓ ପ୍ରିୟଙ୍କାଙ୍କୁ ରାଇବରେଲିରୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛି। ଗତ ସିଇସି ବୈଠକରେ ମଧ୍ୟ ଏହି ଦୁଇ ଆସନ ନେଇ ଆଲୋଚନା ହୋଇଥିଲା। ହେଲେ କୌଣସି ନିଷ୍କର୍ସ ନ ବାହାରିବାରୁ ଏହାକୁ ଗାନ୍ଧୀ ପରିବାର ପାଇଁ ଛାଡ଼ି ଦିଆଯାଇଛି। 

ପଢ଼ନ୍ତୁ-EVMକୁ ନେଇ ଦାଖଲ ଆବେଦନ ୪୦ ଥର ଖାରଜ କଲେଣି କୋର୍ଟ: ନିର୍ବାଚନ ଅଧିକାରୀ

ସୂଚନା ଥାଉକି ରାହୁଲ ଗାନ୍ଧୀ ୨୦୧୯ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ହେବ ଅମେଠିରୁ ନିର୍ବାଚନ ଲଢ଼ି ସାଂସଦ ହୋଇ ଆସୁଥିଲେ। ହେଲେ ୨୦୧୯ରେ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ। ଏଥର ମଧ୍ୟ ବିଜେପି ସ୍ମୃତିଙ୍କୁ ଅମେଠିରୁ ପ୍ରାର୍ଥୀ କରିଛି। ସ୍ମୃତି ଇରାନୀ ମଧ୍ୟ ଏହିଠାରୁ ରାହୁଲଙ୍କୁ ଲଢ଼ିବାକୁ ବାରମ୍ବାର ଆହ୍ୱାନ ଦେଉଛନ୍ତି। ଅନ୍ୟପଟେ ସୋନିଆ ଗାନ୍ଧୀ ରାଜ୍ୟସଭାରୁ ନିର୍ବାଚିତ ହେବା ପରେ ରାଇବରେଲି ଆସନ ଖାଲି ପଡ଼ିଛି। ଏଠରୁ ଏଥର ପ୍ରିୟଙ୍କା ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମେ ୨୦ ତାରିଖରେ ଏହି ଦୁଇ ଆସନରେ ନିର୍ବାଚନ ହେବ।  

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.