ଦୁଇ ଇସଲାମିକ ଦେଶ ମଧ୍ୟରେ ବଢିଲା ଉତ୍ତେଜନା, ୟେମେନରେ ୟୁଏଇ ସମର୍ଥିତ ସଂଗଠନ ଉପରେ ସାଉଦିର ଆକ୍ରମଣ; ୨୦ ମୃତ

NEWS7
debendra-fednavish-slams-mumbai-cm-uddhav-thakrey

ନୂଆଦିଲ୍ଲୀ: ଦୁଇ ଇସଲାମିକ ଦେଶ ସାଉଦି ଆରବ ଓ ୟୁଏଇ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏପରି କି ଦୁଇ ଦେଶ ଯୁଦ୍ଧ ଦ୍ୱାର ଦେଶରେ ପହଞ୍ଚିଛନ୍ତି । ଶୁକ୍ରବାର ୟେମେନରେ ବଡ଼ ଆକ୍ରମଣ କରିଛି ସାଉଦି ଆରବ, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ୟେମେନରେ ସାଉଦି ଆରବ ଯୁଦ୍ଧ ବିମାନଗୁଡ଼ିକ ୟୁଏଇ ସମର୍ଥିତ ଏସଟିସି (ସର୍ଦନ ଟ୍ରାଞ୍ଜିସନାଲ କାଉନସିଲ) ଦ୍ୱାରା କବଜା କରାଯାଇଥିବା ଅଞ୍ଚଳଗୁଡ଼ିକ ଉପରେ ବୋମାମାଡ଼ କରିଥିଲା । ଏହି ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଏହି ଅପରେସନରେ ସାଉଦି ଆରବର ଲଢ଼ୁଆ ବିମାନ ସାମିଲ ଥିବା ଜଣାପଡ଼ିଛି । ସାଉଦି ସରକାର ଦେଶ ଉପରେ ନିୟନ୍ତ୍ରଣ ବିସ୍ତାର କରିବା ପାଇଁ ଏସଟିସିର ଯୋଜନାକୁ ଦୁର୍ବଳ କରିବା ପାଇଁ ଏହି ଅପରେସନ ଆରମ୍ଭ କରିଛି । ଏହି ପଦକ୍ଷେପ ଆରବ ୱାର୍ଲଡର ଦୁଇଟି ସବୁଠାରୁ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁଏଇ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି ।

ୟେମେନର ବିଭିନ୍ନ ଅଂଶ ସାଉଦି-ସମର୍ଥିତ ସରକାର, ୟୁଏଇ-ସମର୍ଥିତ ଏସଟିସି ଏବଂ ହୁତି ବିଦ୍ରୋହୀଙ୍କ ଦ୍ୱାରା ନିୟନ୍ତ୍ରିତ । ଏସଟିସି ସାଉଦି ଆରବ ସଂଲଗ୍ନ ଅଞ୍ଚଳକୁ କବଜା କରି ରଖିଛି । ତିନୋଟି ଅଞ୍ଚଳର ସରକାରଙ୍କ ମଧ୍ୟରେ ତିକ୍ତତା ରହିଛି, ଯାହା ଫଳରେ ସାଉଦି ଯୁଦ୍ଧ ବିମାନ ଏହି ସପ୍ତାହରେ ଏସଟିସି ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଯାନବାହନ ପରିବହନ କରୁଥିବା ଦୁଇଟି ଜାହାଜ ଉପରେ ଆକ୍ରମଣ କରିଛି ।

ସାଉଦି ସମର୍ଥିତ ସରକାରଙ୍କ ରାଜ୍ୟପାଳ ସାଲେମ ଅହମ୍ମଦ ସଇଦ ଅଲ-ଖୁନବାଶି କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ୟୁଏଇ-ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ । ତାଙ୍କ ସରକାର ଶାନ୍ତି ଚାହୁଁଛି ଏବଂ ଯୁଦ୍ଧ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଅନ୍ୟପେଟ ଏସଟିସି ମୁଖପାତ୍ର ମହମ୍ମଦ ଅଲ-ନକିବ କହିଛନ୍ତି, ସାଉଦି ଆରବ ସେମାନଙ୍କ ଅଞ୍ଚଳରେ ସାତଟି ବିମାନ ଆକ୍ରମଣ କରିଛି ।

ରିପୋର୍ଟ ଅନୁସାରେ, ଏସଟିସିର ସବୁଠାରୁ ବଡ଼ ସାମରିକ ଘାଟି ମଧ୍ୟରୁ ଗୋଟିଏ ଅଲ-ଖାଶାକୁ ସାଉଦି ସମର୍ଥିତ ସରକାରୀ ବାହିନୀ ଦ୍ୱାରା ଟାର୍ଗେଟ କରାଯାଇଥିଲା ଏବଂ କବଜା କରାଯାଇଥିଲା । ଏସଟିସି ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ ସ୍ଥଳ ଭାଗରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ କେତେ ମୃତାହତ ଏବଂ ସମ୍ପତ୍ତି କ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ୟୁଏଇ ମୁଖପାତ୍ର କହିଛନ୍ତି ଯେ ସାଉଦି ସମର୍ଥିତ ସରକାରଙ୍କ କାର୍ଯ୍ୟର ମୁକାବିଲା କରିବାକୁ ତାଙ୍କ ସେନା ପ୍ରସ୍ତୁତ ଅଛି । ସେନା ସହିତ ଅଞ୍ଚଳର ମହିଳାମାନେ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ । ସାଉଦି ଆରବ କିମ୍ୱା ୟୁଏଇ ଏପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ସାଉଦି ଆରବ ଏବଂ ଏସଟିସି ମଧ୍ୟରେ ଉତ୍ତେଜନା ଯୋଗୁ ଆଡେନ ବିମାନବନ୍ଦରରୁ ଯାତ୍ରୀ ଏବଂ ମାଲବାହୀ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି ।