ବନ୍ଦ ହୋଇଯିବ ନାସାର ସବୁଠୁ ବଡ଼ ଲାଇବ୍ରେରୀ; ରହିଛି ୧ ଲକ୍ଷରୁ ଅଧିକ ପୁସ୍ତକ, ଦସ୍ତାବିଜ୍

NEWS7
dead-body-found-near-paradeep-iffco-fertiliser-plant

ନୂଆଦିଲ୍ଳୀ ୦୨।୦୧; ମେରିଲ୍ୟାଣ୍ଡର ଗ୍ରୀନ୍ବେଲ୍ଟରେ ଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ସର୍ବବୃହତ ପାଠାଗାର ଶୁକ୍ରବାରଠାରୁ ସ୍ଥାୟୀ ଭାବେ ବନ୍ଦ ହୋଇଯିବ । ୧୯୫୯ ମସିହାରେ ସ୍ଥାପିତ ଏହି ପାଠାଗାର ବୈଶ୍ୱିକ ସ୍ପେସ୍ ଏଜେନ୍ସିର ଏକ ବଡ଼ ଗବେଷଣା କେନ୍ଦ୍ର । ଏଥିରେ ୧ ଲକ୍ଷରୁ ଅଧିକ ପୁସ୍ତକ, ଦସ୍ତାବିଜ୍ ରହିଥିବା ଏହି ଲାଇବ୍ରେରୀ ବନ୍ଦ କରାଯିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୁନଃସଙ୍ଗଠନ ଅଭିଯାନର ଏକ ଅଂଶ । ଏହି ଲାଇବ୍ରେରୀ ଅଧୀନରେ ଆସୁଥିବା ଏବଂ ପ୍ରାୟ ୧.୨୭୦ ଏକରରେ ବ୍ୟାପିଥିବା କ୍ୟାମ୍ପସ୍ରେ ୧୩ଟି କୋଠା, ୧୦୦ରୁ ଅଧିକ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପ୍ରୟୋଗଶାଳା ବା ଲାବୋରେଟୋରୀକୁ ବନ୍ଦ କରିଦିଆଯିବ ।

ନାସା ଗୋଡାର୍ଡ ସୂଚନା ଏବଂ ସହଯୋଗ କେନ୍ଦ୍ର ହବଲ ସ୍ପେସ୍ ଟେଲିସ୍କୋପ୍ ଏବଂ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ସମେତ ଅନେକ ପ୍ରମୁଖ ମିଶନରେ ବେଶ୍ ଉପଯୋଗୀ ହୋଇଥିଲା । ନାସାର ଜଣେ ମୁଖପାତ୍ର ଜାକୋବ୍ ରିଚମଣ୍ଡ କହିଛନ୍ତି ଯେ, ଏହି ସ୍ପେସ୍ ଏଜେନ୍ସି ଆସନ୍ତା ୨ ମାସରେ ଲାଇବ୍ରେରୀର ସମୀକ୍ଷା କରିବ । ଜରୁରି ସାମଗ୍ରୀକୁ ସରକାରୀ ଗୋଦାମରେ ସଂରକ୍ଷିତ ରଖାଯିବ ଏବଂ ଅବଶିଷ୍ଟ ଜିନିଷକୁ ଫିଙ୍ଗି ଦିଆଯିବ । ଗୋଡାର୍ଡ ଇଞ୍ଜିନିୟର୍ସ, ବୈଜ୍ଞାନିକ ଏବଂ ଟେକ୍ନିସିଆନ ଆସୋସିଏସନର ୱେବସାଇଟରେ ପୋଷ୍ଟ ହୋଇଥିବା ଏକ ବିବୃତ୍ତି ଅନୁଯାୟୀ, ମହାକାଶଯାନ ପରୀକ୍ଷଣ ଲାଗି ଡିଜାଇନ ହୋଇଥିବା ସ୍ୱତନ୍ତ୍ର ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷଗୁଡ଼ିକୁ ବାହାର କରି ଫିଙ୍ଗି ଦିଆଯାଇଛି । ଫେଡେରାଲ ଏଜେନ୍ସିଗୁଡ଼ିକ ଦ୍ୱାରା ଏହି ପ୍ରକ୍ରିୟା ଆପଣାଯାଏ । ଫେଡେରାଲ ମାଲିକାନାର ସମ୍ପତ୍ତିକୁ ଠିକ୍ ଢଙ୍ଗରେ ନଷ୍ଟ କରିବା ଲାଗି ଏପରି ହୋଇଥାଏ ବୋଲି ରିଚ୍ମଣ୍ଡ କହିଛନ୍ତି ।

ଆମେରିକାରେ ୨୦୨୨ରୁ ନାସାର ୭ଟି ଲାଇବ୍ରେରୀ ବନ୍ଦ କରାଯାଇଛି । କେବଳ ୨୦୨୫ରେ ୩ଟି ପାଠାଗାର ବନ୍ଦ ହୋଇଛି । ଟ୍ରମ୍ପ୍ ପ୍ରଶାସନର ଏପରି ନିଷ୍ପତ୍ତିକୁ ଡେମୋକ୍ରାଟମାନେ ବିରୋଧ କରିଛନ୍ତି । ସିନେଟର କ୍ରିସ୍ ଭ୍ୟାନ୍ ହୋଲେନ କହିଛନ୍ତି, ଏପରି ଭାବେ ନାସା ଲାଇବ୍ରେରୀ ବନ୍ଦ କରାଯିବା ଚିନ୍ତା ଜନକ । ଟ୍ରମ୍ପ୍ ପ୍ରଶାସନ ବର୍ଷକ ଭିତରେ ନାସା ଗୋଡାର୍ଡ ଏବଂ ଏହାର ୱାର୍କଫୋର୍ସ ଉପରେ କ୍ଷତିସାଧନକାରୀ ଆକ୍ରମଣ କରୁଛନ୍ତି । ଏହା ମହାକାଶରେ ଆମର ଗବେଷଣା, ଉଦ୍ଭାବନ, ପୃଥିବୀ ବିଷୟରେ ଆମ ବୁଝିବା ଦକ୍ଷତା ଏବଂ ପ୍ରଯୁକ୍ତିର ବିକାଶ ପଥରେ ବାଧା ଭଳି । ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରୁଥିବା ଏବଂ ଦେଶକୁ ସୁରକ୍ଷିତ ରଖୁଥିବା ସଂସ୍ଥାର ସାଧନ ଉପରେ ଏପରି ନିଷ୍ପତ୍ତି ଦେଶ ହିତକାରୀ ନୁହେଁ ବୋଲି ଭ୍ୟାନ୍ ହୋଲେନ କହିଛନ୍ତି