ମହାରାଷ୍ଟ୍ର ରାଜନୀତିରେ 'ମହା ଅଧ୍ୟାୟ', ୨୦ ବର୍ଷ ପରେ ଏକାଠି ହେଲେ ଠାକରେ ବ୍ରଦର୍ସ

NEWS7
daitapati-nijog-team-meets-governor-ganeshi-lal-in-bhubaneswar

ନୂଆଦିଲ୍ଲୀ, ୨୪/୧୨: ମହାରାଷ୍ଟ୍ର ରାଜନୀତିର ମହାଅଧ୍ୟାୟ । ଏକାଠି ହେଲେ ଠାକରେ ପରିବାର । ଦୀର୍ଘ ୨୦ ବର୍ଷ ପରେ ମିଶିଲା ମନ । ଏବେ ଏକାଠି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଲେଣି ରାଜ ଏବଂ ଉଦ୍ଧବ ଠାକରେ ।

ଦୀର୍ଘ ଦିନର ଆଲୋଚନା ଏବଂ କଥାବାର୍ତ୍ତା ପରେ ବୁଧବାର ଶିବସେନା ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ବିଏମସି ଏବଂ ପୌର ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି । ଏନେଇ ଉଭୟ ଠାକରେ ବ୍ରଦର୍ସ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଉଦ୍ଧବ କହିଛନ୍ତି ଯେ, ଯଦି ଆଜିର ସମୟରେ କେହି ଭୁଲ କରି ଭାଗଭାଗ ହୁଏ ତାହାଲେ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ । ମହାରାଷ୍ଟ୍ରର ସେବା କରିବା ପାଇଁ ଦୁଇ ଭାଇ ଏକାଠି ହୋଇଛନ୍ତି । ରାଜ୍ୟର ସ୍ୱାର୍ଥ୍ୟ ସମସ୍ତ କଳି ଝଗଡାଠୁ ଉପରେ ବୋଲି ରାଜ୍ ପ୍ରକାଶ କରିଛନ୍ତି ।

ରାଜ୍ କହିଛନ୍ତି ଯେ, ମହାରାଷ୍ଟ୍ରରେ ଏକ କିଡନାପ୍ ଗ୍ୟାଙ୍ଗ୍ ଆକ୍ଟିଭ୍ ରହିଛି । କିଛି ଗ୍ୟାଙ୍ଗ୍ ରାଜନୈତିକ ଦଳର ଶିଶୁଙ୍କୁ ଅପହରଣ କରିନେଉଛନ୍ତି । ଆଗାମୀ ଦିନରେ ମୁମ୍ବାଇର ମେୟର ଜଣେ ମରାଠି ହେବେ । ସେ ୟୁବିଟି-ଏମଏନଏସରୁ ହିଁ ବିଜୟୀ ହେବେ । ଉଭୟ ନେତା ଏକାଠି ହେବା ପୂର୍ବରୁ ପ୍ରଥମେ ବାଲ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଯେଉଁଥିରେ ଉଭୟ ପରିବାରର ଅନ୍ୟ ସଦସ୍ୟ ସାମିଲ ଥିଲେ ।

ସେହିପରି ଉଦ୍ଧବ କହିଛନ୍ତି ଯେ, ମରାଠିମାନେ ସତର୍କ ରହିବା ଦରକାର । କିଛି ଭୁଲ ହେଲେ ସମସ୍ତେ ମାଟିରେ ମିଶିଯିବେ । ତେଣୁ ଭାଗଭାଗ ହୁଅନ୍ତୁ ନାହିଁ । ମରାଠିମାନେ ଅନ୍ୟ କାହାର ମାର୍ଗକୁ ଅନୁସରଣ କରନ୍ତି ନାହିଁ । ଯଦି ଅନ୍ୟ କେହି ତାଙ୍କ ରାସ୍ତାରେ କଣ୍ଟା ହୁଏ ତେବେ ସେମାନେ ଛାଡନ୍ତି ନାହିଁ । ଉଭୟ ଭାଇ ମହାରାଷ୍ଟ୍ର ଏବଂ ମରାଠାଙ୍କ ପାଇଁ ଏକାଠି ହୋଇଛନ୍ତି । ସେମାନଙ୍କ ପୂର୍ବଜ ମହାରାଷ୍ଟ୍ରକୁ ଏକାଠି କରିବା ପାଇଁ ଜୀବନ ଉତ୍ସର୍ଗ କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ଦିନେ ମୁମ୍ବାଇର କାନ୍ଧରେ ଅନ୍ୟ ରାଜ୍ୟର ଲୋକେ ନାଚ କରିବା ଆରମ୍ଭ କରିଥିଲେ । ଯାହାକୁ ବାଲ ଠାକରେ ସହିପାରିନଥିଲେ । ତେଣୁ ଶିବସେନାର ଗଠନ ହୋଇଥିଲା । ଏବେଠୁ କେହି ହେଲେ ମୁମ୍ବାଇକୁ ମହାରାଷ୍ଟ୍ରରୁ ଅଲଗା କରିପାରିବ ନାହିଁ । ଯଦି କେହି ମହାରାଷ୍ଟ୍ରକୁ ଭାଗଭାଗ କରେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଉଦ୍ଧବ କହିଛନ୍ତି ।

ସିଟ୍ ଭାଗବଣ୍ଟା

କୁହାଯାଉଛି ଯେ, ବିଏମସି ନିର୍ବାଚନରେ ସେନା(ୟୁବିଟି) ୧୪୫ରୁ ୧୫୦ ଆସନରେ ଲଢିବ । ସେହିପରି ମହାରାଷ୍ଟ୍ର ନବନିର୍ମାଣ ସେନା ୬୫ରୁ ୭୦ ଆସନରେ ଲଢିପାରେ । ସେହିପରି ଏନସିପି ଖାତାକୁ ୧୦ରୁ ୧୨ ଆସନ ଯାଇପାରେ ।