Matric Exam : ମାଟ୍ରିକ ପରୀକ୍ଷା ଦେଇଛନ୍ତି କମ୍ ଉଚ୍ଚତା ବିଶିଷ୍ଟ ଛାତ୍ରୀ, ଇସାରାରେ ଦେଲେ ପରୀକ୍ଷା...

NEWS7
crime-branch-stf-team-arrested-mining-mafia-nitu-manshing

କାମାକ୍ଷାନଗର: ମାଆ କୋଳରେ କୁନି ଝିଅଟି। ମାଆଙ୍କ ସହ ଆସିଛନ୍ତି ମାଟ୍ରିକ ପରୀକ୍ଷା ସେଣ୍ଟରକୁ । ସାଙ୍ଗରେ ଅଛନ୍ତି ଭାଇ। ଏଦୃଶ୍ୟ ଦେଖି ଆପଣ କ’ଣ ଭାବୁଛନ୍ତି କହିଲେ। ଏଇଆ ଯେ, ଭାଇ ପରୀକ୍ଷା ଦେବାକୁ ଆସିଛି ଆଉ ସାଙ୍ଗରେ ଆସିଛି ଭଉଣୀ। ଯଦି ଏମିତି ଭାବୁଛନ୍ତି ତାହାଲେ ଭୁଲ୍ ଭାବୁଛନ୍ତି। କାରଣ ଆପଣ ଯାହାକୁ ଛୋଟ ଝିଅ ଭାବୁଛନ୍ତି। ସେ ଛୋଟ ନୁହେଁ, ସେ ଏବେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯୋଗ୍ୟ। ସେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କ ଉଚ୍ଚତା ଛୋଟ। କିନ୍ତୁ ବୁଦ୍ଧି ଓ ବିଦ୍ୟା କମ୍ ନୁହେଁ। ଭଲରେ ବସିବାକୁ ସାମର୍ଥ୍ୟ ତାଙ୍କର ନଥିଲେ ବି, ସେ ମଧ୍ୟ ନିଜ ଭବିଷ୍ୟ ଗଢିବା ଲାଗି ସଂଗ୍ରାମ କରୁଛନ୍ତି। ସେ ମାଟ୍ରିକ ପରୀକ୍ଷା ଦେବେ ଆଉ ପାସ୍ କରିବେ ଏହି ଇଚ୍ଛା ରଖି ଆସିଛନ୍ତି ପରୀକ୍ଷା ସେଣ୍ଟରକୁ ।

ଟିକିଏ ନିରିଖେଇକି ଦେଖିଲେ ଜାଣିପାରିବେ । ଏକ ସ୍ୱତନ୍ତ୍ର ଚୌକିରେ ବସି ଇସାରା ଇସାରାରେ ଉତ୍ତର ଡାକୁଛି ଝିଅଟି, ଆଉ ସେ ସବୁକୁ ପରୀକ୍ଷା ଖାତାରେ ଲେଖୁଛନ୍ତି ଛାତ୍ର ଜଣକ। ଏଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା କାନପୁର ପଞ୍ଚାୟତିରାଜ ହାଇସ୍କୁଲର। ଯେଉଁଠି ମାଟ୍ରିକ ପରୀକ୍ଷା ଦେଉଛନ୍ତି ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ୧୦ମ ଶ୍ରେଣୀର ଛାତ୍ରୀ । ନାଁ ତାଙ୍କର ସୁମିତା ନାୟକ। ସେ ମହୁଲପାଳ ଗ୍ରାମ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ। ତାଙ୍କ ଉଚ୍ଚତା ଦେଢ଼ ଫୁଟ୍ ଭିତରେ। ସୁନିତାଙ୍କ ଘର କାମାକ୍ଷାନଗର ବ୍ଲକ ସାରୁଆଳି ଗାଁରେ। ସେ ଜଣେ ଭିନ୍ନକ୍ଷମ । ସେ ନା କହିପାରନ୍ତି ନା ଶୁଣି ପାରନ୍ତି । ସେ ଯାହା ସଂଙ୍କେତ ଦେଉଛନ୍ତି ତାଙ୍କୁ ପରୀକ୍ଷା ଖାତାରେ ଲେଖୁଛନ୍ତି ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇ । ମାଆ ସଞ୍ଜୁ ନାଏକ ତାଙ୍କୁ ପୂରା ସହଯୋଗ କରୁଛନ୍ତି । ଆଜକୁ ୧୦ ବର୍ଷ ତଳେ ବାପା ବିଷ୍ଣୁ ନାଏକଙ୍କର ମୃତ୍ୟୁ ହୋଇଥିଲା । ବାପା ଛେଉଣ୍ଡ ଏହି ଦିବ୍ୟାଙ୍ଗ ଶିଶୁଟିକୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାଆ।

ଏଥର ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଦେଉଛନ୍ତି ପରୀକ୍ଷା । ସୁମିତାଙ୍କ ପରି ୩ ହଜାର ୯ ଶହ ୯୯ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏଥର ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଛନ୍ତି। ହାତ ଗଣତି ପିଲାଙ୍କୁ ଛାଡିଦେଲେ ଅବଶିଷ୍ଟ ସମସ୍ତେ ଏଥର ପରୀକ୍ଷାରେ ହୋଇଛନ୍ତି ସାମିଲ । ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାନେ ଯେଉଁ ଆଗ୍ରହର ସହିତ ପରୀକ୍ଷା ଦେଉଛନ୍ତି ତାହା ହୁଏତ ସମସ୍ତଙ୍କ ଲାଗି ଏକ ଉଦାହରଣ। କାହିଁକିନା ଚଳିତ ବର୍ଷବି ୧୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେଉ ନାହାଁନ୍ତି ମାଟ୍ରିକ ପରୀକ୍ଷା । ଯାହା ବାବଦରେ ଗଣଶିକ୍ଷା ବିଭାଗର ଉଚ୍ଚ ଅଧିକାରୀମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ବିଜ୍ଞାନକୁ ମିଶାଇଲେ ୪ ଟି ବିଷୟରେ ପରୀକ୍ଷା ସାରିଲାଣି। ଶୁକ୍ରବାର ଇତିହାସ ଓ ଭୂଗୋଳ ପରୀକ୍ଷା । ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ସହିତ ଶେଷ ହେବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା। ଆଜି କୌଣସି ଜାଗାରେ କିଛିବି ବିଶୃଙ୍ଖଳା ହୋଇନଥିବା ବୋର୍ଡ ତରଫରୁ କୁହାଯାଇଛି। କିନ୍ତୁ ଏହା ଭିତରେ ୩ ଟି ପେପର ପାଇଁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବୋର୍ଡ ଦ୍ୱାରା ସ୍ଥିରୀକୃତ ହୋଇଥିବା ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ପରୀକ୍ଷା ଖାତା ପହଞ୍ଚି ସାରିଛି। ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା କାର୍ଯ୍ୟ।

Also Read- ଆୟଠୁ ଅଧିକ ଠୁଳ କରିଥିଲେ ଖଣି ଉପ-ନିର୍ଦ୍ଦେଶକ, ଏବେ ଜେଲ୍‌ ଚାରିକାନ୍ଥରେ କଟିବ ଦିନ