ଚନ୍ଦକା କମ୍ପାଉଛି ଘାଇଲା ଦନ୍ତା, ନାକେଦମ ହେଲାଣି ବନବିଭାଗ

NEWS7
cricket-australia-issue-schedule-of-team-india-tour-with-bbl

ଭୁବନେଶ୍ୱର ୧୯।୧୨ : ଘାଇଲା ହୋଇ ବୁଲୁଛି ଗୁଳିବିଦ୍ଧ ଦନ୍ତା ହାତୀ ।ଚନ୍ଦକା ଜଙ୍ଗଲରେ ଘାଇଲା ହୋଇ ବୁଲୁଛି ଗୁଳିବିଦ୍ଧ ଦନ୍ତା ହାତୀ । କଷ୍ଟ ସମ୍ଭାଳି ନ ପାରି ଗର୍ଜନ କରୁଛି । ତାଗର୍ଜନରେ ପୂରା ଚନ୍ଦକା ଜଙ୍ଗଲ ଥରହର ହୋଇ ପଡ଼ୁଛି । ଗୋଡ଼ରେ ଅସମ୍ଭାଳ କଷ୍ଟ ହେତୁ ହାତୀଟି ହିଂସ୍ର ହୋଇପଡ଼ିଛି ।ଏପିରିକିହାତୀକୁ ରେସ୍କ୍ୟୁ ପାଇଁ ଯାଇଥିବା ଟିମ୍କୁ ସେ ଆକ୍ରମଣ କରିବାକୁ ଗୋଡ଼ାଇଛି । ଫଳରେ ଚନ୍ଦକା ରେଞ୍ଜ ଫରେଷ୍ଟର ଦୀପକ ନାୟକଙ୍କ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ବନ କର୍ମଚାରୀ ଖଣ୍ଡିଆଖାବରା ହୋଇଛନ୍ତି। ଦନ୍ତାକୁ ଠାବ କରାଯାଇଥିଲେ ମଧ୍ୟ ତାପାଖ କେହି ବି ମାଡ଼ିପାରୁନାହାନ୍ତି।

ତେବେ ସବୁଠାରୁ ବଡ଼କଥା ହେଉଛି,ହାତୀକୁ ଟ୍ରାଙ୍କୁଲାଇଜ୍ କରି ତୁରନ୍ତ ଚିକିତ୍ସା କରା ନଗଲେ ତାଜୀବନ ପ୍ରତି ବିପଦ ରହିଛି। କିନ୍ତୁ ବନବିଭାଗ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିବାରେ କାହିଁକି ବିଳମ୍ବ କରୁଛି,ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଆଠଗଡ଼ ଅଞ୍ଚଳରୁ ବାମ ପଛ ଗୋଡ଼ରେ କ୍ଷତ ଥାଇ ଆସିଥିବା ଦନ୍ତା ହାତୀଟି ଦୁଇଦିନ ଧରି ଚନ୍ଦକା ରେଞ୍ଜ ଭାଲୁଙ୍କା ଅଞ୍ଚଳରେ ଘୂରି ବୁଲୁଛି। କ୍ଷତସ୍ଥାନ ଫୁଲି ଯାଇ ସେଥିରୁ ରକ୍ତସ୍ରାବ ହେଉଛି। ଖବରପାଇ ଚନ୍ଦକା ବନବିଭାଗ ପକ୍ଷରୁ ହାତୀକୁ ଠାବ କରି ଚିକିତ୍ସା କରିବା ପାଇଁ ଦୁଇଦିନ ହେଲା ଉଦ୍ୟମ ଜାରି ରହିଛି । ଏସିଏଫ୍ ସଂଗ୍ରାମ ମହାନ୍ତିଙ୍କ ସମେତ ଚନ୍ଦକା ରେଞ୍ଜ ଦାୟିତ୍ୱରେ ଥିବା ଉତ୍ତମ କୁମାର ସାହୁ ଏବଂ ପ୍ରାୟ ୨୦ କର୍ମଚାରୀ ଦନ୍ତାକୁ ଠାବ କରିବା ପାଇଁ ଯାଇଥିଲେ। ସାଙ୍ଗରେ ଡ୍ରୋନ ନେଇଥିଲେ । ହେଲେ ହାତୀଟି କଣ୍ଟା ବାଉଁଶ ବଣ ଭିତରେ ଥିବାରୁ ତାକୁ ଠାବ କରିବା ସମ୍ଭବ ହୋଇ ନଥିଲା।ଡ୍ରୋନ୍ ଉଡାଇବା ମଧ୍ୟ ସମ୍ଭବ ହୋଇ ନଥିଲା। ମଧ୍ୟାହ୍ନରେ ଭାଲୁଙ୍କା ନିକଟ ଭୁଟୁଭୁଟି ଜଳାଶୟ ନିକଟରେ ଦନ୍ତା ଜଙ୍ଗଲ ଭିତରେ ଛୋଟାଇ ବୁଲୁଥିବା ବେଳେ ନିକଟରେ ଏକ ୫ ଟିକିଆ ପଲଥିବା ଜଣାପଡ଼ିଥିଲା। କଷ୍ଟ ସମ୍ଭାଳି ନପାରି ହାତୀଟି ଗର୍ଜନ କରୁଥିଲା । ତେବେ ରେସ୍କ୍ୟୁ ଟିମ୍ ତାପାଖକୁ ଯିବାରୁ ହିଂସ୍ର ହୋଇ ପଡ଼ିଥିବା ଦନ୍ତା ସେମାନଙ୍କୁ ମାରିବାକୁ ଚିହିଁକି ଆସିଥିଲା। ଫଳରେ ଯିଏ ଜୁଆଡ଼େ ପାରିଲେ ଦୌଡ଼ିଥିଲେ । ଏହି ସମୟରେ ଫରେଷ୍ଟର ଦୀପକ ନାୟକ ଏବଂ ଅନ୍ୟଜଣେ କର୍ମଚାରୀ ପଡ଼ି ଯାଇଥିଲେ। ଦୀପକଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ଖଣ୍ଡିଆଖାବରା ହୋଇଥିଲେ । ବନବିଭାଗ ଟିମ୍ ତୁରନ୍ତ ଦୀପକଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି,ଦନ୍ତା ଗୋଡ଼ର କ୍ଷତ ବହୁ ଦିନର ହୋଇଥିବା ଅନୁମାନ କରାଯାଉଛି । ତାଜୀବନପ୍ରତି ବିପଦ ସୃଷ୍ଟି ହେଲାଣି । ତେଣୁ ତାକୁ ତୁରନ୍ତ ଚିକିତ୍ସା କରିବାର ଆବଶ୍ୟକତା ଥିବା ବେଳେ ବନବିଭାଗ ଟ୍ରିଟ୍ମେଣ୍ଟ୍ ଟିମ୍କୁ ନନେଇ କେଉଁ ପରିସ୍ଥିତିରେ ହାତୀକୁ ଠାବ କରିବାକୁ ଯାଇଥିଲେ,ତାହା ବୁଝା ପଡ଼ୁନାହିଁ । ଏନେଇ ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟଙ୍କୁ ପଚାରିବାରେ ସେ କହିଛନ୍ତି,ହାତୀକୁ ପ୍ରଥମେ ଠାବ କରିବାକୁ ଟିମ୍ ପଠା ଯାଇଥିଲା । ହାତୀଟି ଭାଲୁଙ୍କା ନିକଟରେ ୫ ଟିକିଆ ପଲଙ୍କ ସହିତ କଣ୍ଟା ବାଉଁଶ ଜଙ୍ଗଲ ଭିତରେ ରହିଛି । ଆଜି ତାକୁ ଠାବ କରାଯାଇଛି । ନନ୍ଦନକାନନ ଏବଂ ଓୟୁଏଟି ଡାକ୍ତରୀ ଟିମ୍ଙ୍କ ସହ ଯୋଗାଯୋଗ କରାଯାଇଛି । ଆସନ୍ତାକାଲି ପ୍ରଥମେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ କରାଯିବ। ଟ୍ରାଙ୍କୁଲାଇଜ୍ ହେବାପରେ ତାଗୋଡ଼ କ୍ଷତର ଅନୁଧ୍ୟାନ କରାଯିବ । ଗୁଳିମାଡ଼ ଯୋଗୁଁ କ୍ଷତ ହୋଇଛି କି ଅନ୍ୟ କୌଣସି କାରଣରୁ କ୍ଷତ ସୃଷ୍ଟି ହୋଇଛି,ତାହା ସ୍ପଷ୍ଟ ହେବା ପରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯିବ । ସେପଟେ ଆଜି ଅନ୍ଧାର ହୋଇଯିବାରୁ ରେସ୍କ୍ୟୁ ଟିମ୍ ଜଙ୍ଗଲରୁ ଫେରି ଆସିଛନ୍ତି ।ସକାଳେ ପୁଣି ସେମାନେ ଦନ୍ତାକୁ ଖୋଜିବା କାମରେ ଲାଗିବେ । ଠାବ କରିବା ପରେ ଟ୍ରିଟ୍ମେଣ୍ଟ୍ ଟିମ୍ ଜଙ୍ଗଲ ଭିତରେ ପଶିବେ । ତେବେ ୫ ଟିକିଆ ହାତୀପଲ ସହ ବୁଲୁଥିବା ଏବଂ ହିଂସ୍ରହୋଇ ପଡ଼ିଥିବା ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିବା ବନବିଭାଗ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିଛି ।