“ଟି-୨୦ ବିଶ୍ୱକପ୍ ୨୦୨୬ ଦେଖିବାକୁ କେହି ଯିବେ ନାହିଁ...”, ଆଇସିସି ଉପରେ ବର୍ଷିଲେ ଅଶ୍ୱିନ

NEWS7
crack-in-luna-river-bandh-in-kendrapara

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ଟି-୨୦ ବିଶ୍ୱକପରୁ ନେଇ ଆଇସିସି ଉପରେ ବର୍ଷିଛନ୍ତି । ଅଶ୍ୱିନଙ୍କ ମତରେ ଆବଶ୍ୟକତା ଠାରୁ ଅଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଟିମ୍‌ଗୁଡ଼ିକ ମଧ୍ୟରେ କ୍ୱାଲିଟି ଗ୍ୟାପ୍ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠାକୁ କମ କରୁଛି ।

ରବିଚନ୍ଦ୍ରନ ଅଶ୍ୱିନ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଏଥର ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ଦର୍ଶକଙ୍କୁ ବାନ୍ଧି ରଖିପାରିବ ନାହିଁ । ଅଶ୍ୱିନ ଏହା ମଧ୍ୟ କହିଛନ୍ତି ଯେ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକ ଏକପାଖିଆ ହୋଇଯାଉଛି, ଯାହା ପ୍ରତିଯୋଗିତାର ଉତ୍ସାହକୁ କମ କରିଦେଉଛି । ତାଙ୍କ ମତରେ ଶୀର୍ଷ ଏବଂ ଦୁର୍ବଳ ଦଳଗୁଡ଼ିକ ମଧ୍ୟରେ ପ୍ରଦର୍ଶନ ଗ୍ୟାପ୍ ଏତେ ଅଧିକ ହୋଇଛି ଯେ ମ୍ୟାଚ୍‌ଗୁଡ଼ିକ ଆଉ ରୋମାଞ୍ଚକର ହେଉ ନାହିଁ ।

ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ଏଥର କେହି ବି ଟି-୨୦ ବିଶ୍ୱକପ୍ ଦେଖିବାକୁ ଯିବେ ନାହିଁ । ଭାରତ ବନାମ ଆମେରିକା ଏବଂ ଭାରତ ବନାମ ନାମ୍ୟାଆ ଭଳି ମ୍ୟାଚ୍ ଲୋକଙ୍କୁ ବିଶ୍ୱକପ୍ ପ୍ରତି ଆକୃଷ୍ଟ କରିବ ନାହିଁ । ପୂର୍ବରୁ ପ୍ରତି ଚାରି ବର୍ଷରେ ଥରେ ବିଶ୍ୱକପ୍ ହେଉଥିଲା, ଯାହା ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଥିଲା । ସେତେବେଳେ, ଭାରତ ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡ କିମ୍ବା ଶ୍ରୀଲଙ୍କା ଭଳି ଶକ୍ତିଶାଳୀ ଦଳ ସହିତ ମୁକାବିଲା କରୁଥିଲା, ଯାହା ଦେଖିବାକୁ ଅଧିକ ମଜାଦାର ଥିଲା ।"

ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ପ୍ରତିବର୍ଷ ଆସିସିର ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ ଯୋଗୁ ବିଶ୍ୱକପ୍ ଭଳି ଇଭେଣ୍ଟଗୁଡ଼ିକୁ ନିଜ ପରିଚୟ ହରାଇବାକୁ ପଡ଼ୁଛି । ଉଲ୍ଲେଖଯୋଗ୍ୟ ଯେ ୨୦୧୦ ପରଠାରୁ ପ୍ରାୟ ପ୍ରତିବର୍ଷ କିଛି ନାଁ କିଛି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । କୋଭିଡ ଯୋଗୁଁ ୨୦୨୧ରେ ୨୦୨୦ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା । ତା'ପରେ ୨୦୨୨ରେ ଟି-୨୦ ବିଶ୍ୱକପ୍, ୨୦୨୩ରେ ଦିନିକିଆ ବିଶ୍ୱକପ୍, ୨୦୨୪ରେ ଟି-୨୦ ବିଶ୍ୱକପ୍ ଏବଂ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହୋଇଥିଲା । ଟି-୨୦ ବିଶ୍ୱକପ୍ ଏବେ ୨୦୨୬ରେ ହେବାକୁ ସ୍ଥିର ହୋଇଛି ।

ଟି-୨୦ ବିଶ୍ୱକପ୍ ୨୦୨୬ ଫେବ୍ରୁଆରୀ ୭ରୁ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ଭାରତ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବ ଏବଂ ଟାଇଟଲର ଦୃଢ଼ ଦାବିଦାରମାନଙ୍କ ମଧ୍ୟରେ ରହିଛି ।