ବାରମ୍ୱାର ନାରାବାଜୀ, ବାରମ୍ୱାର ହଟ୍ଟଗୋଳ...ସରିଗଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ

NEWS7
covid-19-test-must-for-up-legislators

ଭୁବନେଶ୍ୱର ୨୫/୦୨: “ଠନ୍‌ ଠନ୍‌...ଲଣ୍ଠନ...କଟ୍‌ନି ଛଟ୍‌ନି... ହାଏ ହାଏ, ଚଳିବ ନାହିଁ...” । ପ୍ରତିଦିନ ପୂର୍ବାହ୍ନରେ ବିଧାନସଭା ଆରମ୍ଭ ସହ ଏମିତି ନାରାବାଜି ଆରମ୍ଭ ହୋଇ ଯାଉଥିଲା । ଗୃହ ମଝିକୁ ଚାଲି ଆସି ପ୍ରତିବାଦ କରୁଥିଲେ ବିରୋଧୀ ଦଳ । ଚାଷୀଙ୍କ ଧାନ ନ ଉଠିବା ଓ ମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ଏମିତି କମ୍ପୁଥିଲା ବିଧାନସଭା ।

ଏଭଳି ହଟ୍ଟଗୋଳ ଭିତରେ ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଏଥିରେ ଦିନଟିଏ ପ୍ରଶ୍ନକାଳ, ଶୂନ୍ୟକାଳ କିମ୍ବା ଅପରାହ୍ନ ଅଧିବେଶନ ସ୍ୱାଭାବିକ ଭାବେ ଚାଲିପାରିଥିଲା । ଗତ ୧୮ ତାରିଖରେ ଥିଲା ପ୍ରଥମ ପ୍ରଶ୍ନକାଳ ଆଲୋଚନା । ସେଇଠୁ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ପ୍ରଥମ ଦିନ ପ୍ରଶ୍ନକାଳ ମାତ୍ର ୩ ମିନିଟ ଚାଲିଲା, ତାହା ବି ହୋହଲ୍ଲା ଭିତରେ । ୧୯ ତାରିଖରେ ୫ ମିନିଟ, ୨୦ ତାରିଖରେ ୬ ମିନିଟ, ୨୧ ତାରିଖରେ ୬ ମିନିଟ, ୨୩ ତାରିଖରେ ୭ ମିନିଟ ଓ ୨୪ ତାରିଖରେ ୮ ମିନିଟ ପ୍ରଶ୍ନକାଳ ଚାଲିଥିଲା ବିରୋଧୀ ଦଳର ହଟ୍ଟଗୋଳ ଭିତରେ ।

ଏଭଳି ଭାବେ ମୋଟ ୬ଦିନରେ ଧାର୍ଯ୍ୟ ୬ ଘଣ୍ଟାର ପ୍ରଶ୍ନକାଳ ଅବଧିରୁ ମାତ୍ର ୩୫ ମିନିଟ ପ୍ରଶ୍ନକାଳ ଆଲୋଚନା ଚାଲିପାରିଥିଲା ନାରାବାଜି ଭିତରେ । ପ୍ରାୟତଃ ବିଧାୟକ ଏହି ଅଧିବେଶନରେ ଏଯାଏଁ ପ୍ରଶ୍ନକାଳ ଆଲୋଚନାରେ ଗୋଟିଏ ବି ପ୍ରଶ୍ନ ପଚାରି ପାରିନାହାନ୍ତି । କେବଳ ପ୍ରଶ୍ନକାଳ ନୁହେଁ, ଶୂନ୍ୟକାଳ, ଅପରାହ୍ନ ଅଧିବେଶନ ବି ସ୍ୱାଭାବିକ ହୋଇ ପାରିନଥିଲା । ଶୂନ୍ୟକାଳ କୌଣସି ଦିନ ପୂରା ସମୟ ଚାଲିପାରିଲାନି । କେବେ ୨ ମିନିଟ, କେବେ ୪ ମିନିଟ.... ।

also read...

ଚିନ୍ତା ବଢାଇଛି ରାଜ୍ୟରେ ହାତୀ ମୃତ୍ୟୁ, ବିଧାନସଭାରେ ମନ୍ତ୍ରୀ ଦେଲେ ସ୍ପଷ୍ଟ ସୂଚନା

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କେବଳ ହିଁ ଗୋଟିଏ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା, ତାହା ବି ମୁଖ୍ୟ ବିରୋଧୀ ଦଳ ବିଜେଡି ବିନା । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କିମ୍ବା ବଜେଟ ଉପରେ ସାଧାରଣ ଆଲୋଚନା ବି ବିନା ବିରୋଧୀ ଦଳରେ ହୋଇଥିଲା ।

ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଆସନ୍ତା ମାର୍ଚ୍ଚ ୯ ତାରିଖରୁ । ସେଦିନ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପିତ ହେବା କାର୍ଯ୍ୟକ୍ରମ ରହିଛି । ୧୦ ମାର୍ଚ୍ଚରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ୩୧ ମାର୍ଚ୍ଚରେ ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପନ କରାଯିବ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ରହିଛି ।