EVMକୁ ନେଇ ଦାଖଲ ଆବେଦନ ୪୦ ଥର ଖାରଜ କଲେଣି କୋର୍ଟ: ନିର୍ବାଚନ ଅଧିକାରୀ

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬।୪:  ବାଲଟ ପେପରରେ ମତଦାନ ପ୍ରକ୍ରିୟାକୁ ଦେଶରେ ଫେରାଇ ଆଣିବାକୁ ଅନୁରୋଧ କରୁଥିବା ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହେବା ପରେ ନିର୍ବାଚନ ଆୟୋଗଙ୍କ ଅଧିକାରୀମାନେ ରେଖାଙ୍କିତ କରିଛନ୍ତି ଯେ ଅନୁନ୍ୟ ୪୦ ଥର ସାମ୍ବିଧାନିକ କୋର୍ଟମାନେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ)ର ବିଶ୍ୱସନୀୟତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଅଗ୍ରାହ୍ୟ କଲେଣି। ଅଧିକାରୀମାନେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ ସେହି ଟିପ୍ପଣୀକୁ ମଧ୍ୟ ରେଖାଙ୍କିତ କରିଛନ୍ତି ଯେଉଁ ଥିରେ ସେ ଇଭିଏମ ଶତ ପ୍ରତିଶତ ସୁରକ୍ଷିତ ଓ ରାଜନୈତିକ ଦଳମାନେ ମଧ୍ୟ ଜାଣନ୍ତି ମେସିନ ଠିକ୍ ବୋଲି କହିଥିଲେ। 

ଶୀର୍ଷ ନ୍ୟାୟାଳୟ ଶୁକ୍ରବାର ଭିଭିପିଏଟି ସହିତ ଇଭିଏମର ଉପଯୋଗ କରି ଦିଆଯାଉଥିବା ଭୋଟର ଶତ ପ୍ରତିଶତ ସତ୍ୟାପନ ଅନୁରୋଧ କରୁଥିବା ଆବେଦନକୁ ଖାରଜ କରି ପ୍ରଣାଳୀର କୌଣସି ବିଷୟକୁ ‘ଆଖି ବନ୍ଦ କରି ଅବିଶ୍ୱାସ କରିବା’ ଅକାରଣରେ ସନ୍ଦେହ ସୃଷ୍ଟି କରିପାରେ ବୋଲି କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ବିଚାରପତି ଜଷ୍ଟିସ୍ ଦୀପାଙ୍କର ଦତ୍ତଙ୍କ ପୀଠ ମାମଲାରେ ସହମତିର ଦୁଇଟି ନିଷ୍ପତ୍ତି ଦେଇଥିବା ବେଳେ ଏହି ମାମଲା ସମ୍ପର୍କିତ ସବୁ ଆବେଦନ ଖାରଜ କରିଦେଇଛନ୍ତି। ଯେଉଁଥିରେ ବାଲଟପେପର ମତଦାନ ପ୍ରକ୍ରିୟାକୁ ପୁଣି ଆପଣାଇବା ପାଇଁ ଅନୁରୋଧ କରୁଥିବା ଆବେଦନ ମଧ୍ୟ ରହିଛି। 

ପୀଠ କହିଛନ୍ତି ଯେ ‘ଗଣତନ୍ତ୍ର ଅର୍ଥ ସଦଭାବ ଓ ସବୁ ସଂସ୍ଥାଙ୍କ ଭରସା କାୟମ ରଖିବାକୁ ପ୍ରୟାସ କରିବା’। ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଲୋକସଭା ନିର୍ବାଚନ ତାରିଖ ଘୋଷଣା ଲାଗି ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ ପାଖାପାଖି ୪୦ ଥର ସାମ୍ବିଧାନିକ ନ୍ୟାୟାଳୟ ( ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟ) ଇଭିଏମକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଅଗ୍ରାହ୍ୟ କରିଛନ୍ତି। ସେ ନିର୍ବାଚନ ଆୟୋଗଙ୍କ ଏକ ପ୍ରକାଶନର ଉଦାହରଣ ଦେଇ କହିଛନ୍ତି ଯେ ଏଥିରୁ ଜଣାପଡିଛି କେତେକ ଅବସରରେ ଶାସକ ଦଳ ସେହି ସବୁ ନିର୍ବାଚନରେ ହାରିଯାଇଛନ୍ତି ଯେଉଁଠି ଇଭିଏମର ବ୍ୟବହାର ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.