LIVE TV

ଜୀବନକୁ ବାଜିରେ ଲଗାଇ ବାଣ ଫୁଟାଇବାକୁ ଦିଆଗଲା ଅଧିକାର, SCଙ୍କ ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ

NEWS7
corona-virus-tali-thali-janata-curfew-narendra-modi

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସ୍ଵର ଉଠିବାରେ ଲାଗିଛି। ଏହାକୁ ନେଇ ଏବେ ପୂର୍ବତନ ଆଇଏଏସ ଅମିତାଭ କାନ୍ତ ପ୍ରଶ୍ନ ଉଠାଇଛନ୍ତି। ଦିଲ୍ଲୀରେ ବାୟୁର ଗୁଣବତ୍ତା ମାନ ବହୁତ ଖରାପ ଥିବା କହିଛନ୍ତି। କେବଳ କଡ଼ା କାର୍ଯ୍ୟାନୁଷ୍ଠାନରେ ହିଁ ଏହା ଉପରେ ନିୟନ୍ତ୍ରଣ କରାଯାଇ ପାରିବ। ଯଦି ଏମିତି ନ ହୁଏ ତେବେ ଦିଲ୍ଲୀକୁ ସ୍ଵାସ୍ଥ୍ୟ ଓ ପରିବେଶ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଅମିତାଭ କାନ୍ତ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ଜୀବନ ଓ ନିଃଶ୍ଵାସ ଅଧିକାର ଉପରେ ବାଣ ଫୁଟାର ଅଧିକାରକୁ ପ୍ରାଥମିକତା ଦେଇଛନ୍ତି।

ସୁପ୍ରିମକୋର୍ଟ ଚଳିତ ମାସ ଆରମ୍ଭରେ ଦିଲ୍ଲୀରେ ବାଣ ଫୁଟା ଉପରୁ କଟକଣା ହଟାଇ ଦେଇଥିଲେ। ଅଦାଲତ କହିଥିଲେ, ଦିଲ୍ଲୀର ଲୋକେ ସବୁଜ ବାଣ ଫୁଟାଇ ପାରିବେ। କୋର୍ଟ ଏହା ମଧ୍ୟ କହିଥିଲେ ଆମେ ମାମଲାକୁ ସନ୍ତୁଳିତ ଦୃଷ୍ଟିକୋଣରେ ଦେଖୁଛୁ। ଅତୀତର ଘଟଣାବଳୀ ଏବଂ ସଂପ୍ରତି ସ୍ଥିତିକୁ ଦେଖି ଉଚ୍ଚତମ ନ୍ୟାୟାଳୟ ବାଣ ଫୁଟାଇବାକୁ ସୀମିତ ଅନୁମତି ଦେଇଥିଲେ। ଏହା ସହ ପରିବେଶ ସହ ସାଲିସ କରାଯିବ ନାହିଁ ବୋଲି କହିଥିଲେ।

ଅମିତାଭ ନିଜ ପୋଷ୍ଟରେ କହିଛନ୍ତି ଦିଲ୍ଲୀର ବାୟୁ ଗୁଣବତ୍ତା ଶୋଚନୀୟ ସ୍ଥିତିରେ। ୩୮ରୁ ୩୬ ନିରୀକ୍ଷଣ ଷ୍ଟେସନ ରେଡ୍ ଜୋନରେ ପହଞ୍ଚି ସାରିଛି। ପ୍ରମୁଖ ଅଞ୍ଚଳର ଏକ୍ୟୁଆଇ ୪୦୦ରୁ ଉପରେ ରହିଛି। ମାନନୀୟ ସୁପ୍ରିମକୋର୍ଟ ନିଜର ବିବେକରେ ଜିଇଁବା ଓ ନିଃଶ୍ଵାସ ନେବାର ଅଧିକାର ପରିବର୍ତ୍ତେ ବାଣ ଫୁଟା ଅଧିକାରକୁ ପ୍ରାଥମିକତା ଦେଲେ। ଆଉ ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ ରହି ଆସିଛି।

ସୁପ୍ରିମକୋର୍ଟ ଦୁଇ ଦିନ ପର୍ଯ୍ୟନ୍ତ ସକାଳ ୬ଟାରୁ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ। ହେଲେ ଦିଲ୍ଲୀ-ଏନସିଆରରେ ଅନେକ ଅଞ୍ଚଳରେ ମଧ୍ୟ ରାତ୍ରି ପରେ ବି ବାଣ ଫୁଟା ଜାରି ରହିଥିଲା। ସୂଚନାଯୋଗ୍ୟ, ଅମିତାଭ କାନ୍ତ ଭାରତରେ ୨୦୨୩ ଜି ୨୦ ଶିଖର ସମ୍ମିଳନୀର ସେରପା ରହି ସାରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ପୂର୍ବତନ ସିଇଓ ପଦରେ କାର୍ଯ୍ୟ କରିଛନ୍ତି। ​​​​​​​