ଇରାନରେ ବିଦ୍ରୋହର ନୂଆ ଚିତ୍ର, ଖାମେନେଈଙ୍କ ଫଟୋ ଜଳାଇ ସିଗାରେଟ ଟାଣୁଛନ୍ତି ମହିଳା, #WatchVideo

NEWS7
corona-virus-dangerous-for-high-bp-and-heart-patients

ନୂଆଦିଲ୍ଲୀ ୧୦।୧: ଇରାନ ରାଜରାସ୍ତାରେ ଏବେ ଯେଉଁ ନୂଆ ଛବି ଆସୁଛି ତାହା କେବଳ ଏକ ବିରୋଧ ହୋଇ ରହିନାହିଁ, ଶାସନ ବିରୋଧରେ ଖୋଲା ଆହ୍ୱାନ ପାଲଟିଛି। ଦେଶର ଅନେକ ସହରରେ ଲୋକେ ସଡ଼କକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ପରିସ୍ଥିତି ଅନିୟନ୍ତ୍ରିତ ହୋଇ ପଡିବାରୁ ସରକାର ଇଣ୍ଟରନେଟ୍ କଟକଣା ଜାରି କରିଛନ୍ତି। ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ କିଛି ଛବି ଓ ଭିଡିଓ ଏବେ ଭାଇରାଲ ହେଉଛି।ଏହି ସବୁ ଭାଇରାଲ କ୍ଲିପରେ ମହିଳାଙ୍କୁ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲୀ ଖାମେନେଈ ଙ୍କ ଛବି ପୋଡି ସେଥିରେ ସିଗାରେଟ ନିଆଁ ଧରଉଥିବା ଦେଖା ଯାଉଛି।

ତେବେ ଏହି ଫଟୋ ଓ ଭିଡିଓର ପୁଷ୍ଟି ହୋଇ ନାହିଁ। ହେଲେ ଏଥିରୁ ଯେଉଁ ବାର୍ତ୍ତା ମିଳୁଛି ତାହା ବେଶ୍ ଶକ୍ତିଶାଳୀ ମନେ ହେଉଛି। ଭାଇରାଲ ହେଉଥିବା ଭିଡିଓ ରାଜଧାନୀ ତେହେରାନ ଓ ଅନ୍ୟ ସହରର ବୋଲି କୁହାଯାଉଛି। ଏଥିରେ ମହିଳାମାନେ ଖାମେନେଈଙ୍କ ଫଟୋ ପୋଡୁଛନ୍ତି ଓ ସେଥିରୁ ସିଗାରେଟ ନିଆଁ ଧରାଉଛନ୍ତି। ଆଉ କେତେକ ଭିଡିଓରେ ମହିଳା ହିଜାବ ପୋଡୁଥିବାର ଦେଖା ଯାଉଛି। ଏହି ଦୃଶ୍ୟ ସେହି ଇରାନ ପାଇଁ ଅସାଧାରଣ ମନେ କରାଯାଉଛି ଯେଉଁଠି ମହିଳାଙ୍କ ଉପରେ କଡ଼ା ସାମାଜିକ ଓ ଧାର୍ମିକ କଟକଣା ରହିଛି। ତେବେ ଏହି ସବୁ କ୍ଲିପ୍ ଓ ଫୁଟେଜର ସ୍ୱତନ୍ତ୍ର ପୁଷ୍ଟି ହୋଇ ନାହିଁ। ତଥାପି ସୋସିଆଲ ମିଡିଆରେ ଏହାକୁ ଶାସନ ବିରୋଧରେ ଖୋଲା ବିଦ୍ରୋହ ବୋଲି କୁହାଯାଉଛି।

ଏହି ବିରୋଧ ପଛରେ ଦୁଇଟି ବଡ଼ କାରଣ ରହିଛି। ପ୍ରଥମଟି ହେଉଛି ଇରାନରେ ସର୍ବୋଚ୍ଚ ନେତାଙ୍କ ଫଟୋଚିତ୍ର ପୋଡିବା ଏକ ଗୁରୁତର ଅପରାଧ। ଅନ୍ୟଟି ମହିଳାଙ୍କୁ ଖୋଲାଖୋଲି ସିଗାରେଟ ପିଇବା ସାମାଜିକ ରୂପେ ଦୀର୍ଘ ସମୟରୁ ଏହାକୁ ହତୋତ୍ସାହିତ ଓ ସିମିତ କରାଯାଇ ଆସୁଛି। ମହିଳାମାନେ ଏକାଠି ଏହି ଦୁଇଟି କାମ କରି ନା କେବଳ ସରକାରଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରୁଛନ୍ତି ବରଂ ସେହିସବୁ ସାମାଜିକ ନିୟମକୁ ପଦାଘାତ କରୁଛନ୍ତି ଯାହାକୁ ଦୀର୍ଘ ଦଶନ୍ଧୀ ଧରି ସେମାନଙ୍କ ଉପରେ ଥୋପା ଦିଆଯାଇଛି।

ଏହି ପୁରା ଘଟଣାକ୍ରମ ୨୦୨୨ରେ ଦେଶରେ ମହସା ଅମୀନଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ମନେ ପକାଇ ଦେଉଛି। ମହସାଙ୍କୁ କଥିତ ରୂପେ ହିଜାବ ନିୟମ ଉଲ୍ଲଂଘନ ପାଇଁ ଗିରଫ କରାଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମହିଳାଙ୍କ ମଧ୍ୟରେ ଅସନ୍ତୋଷର ଯେଉଁ ଲହର ଉଠିଥିଲା ତାହା ଏବେ ପୁଣି ଥରେ ଉଗ୍ର ରୂପରେ ସାମ୍ନାକୁ ଆସୁଥିବା ଦେଖାଯାଉଛି। ଇରାନରେ ବିରୋଧ ପ୍ରଦର୍ଶନ ଡିସେମ୍ବର ଶେଷରେ ଆରମ୍ଭ ହୋଇଥିଲା। ଏଥି ପାଇଁ ପ୍ରଥମ କାରଣ ଥିଲା ମୁଦ୍ରାସ୍ପିତି, ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି। ଦେଖୁ ଦେଖୁ ଏହି ବିକ୍ଷୋଭ ଶାସନ ବିରୋଧରେ ଖୋଲା ବିଦ୍ରୋହରେ ପରିଣତ ହୋଇଛି।