ଋଷଠୁ ତେଲ କିଣି ପାରିବ ଭାରତ, ଅନୁମତି ଦେଲା ଆମେରିକା

NEWS7
corona-nela-jiban

ନୂଆଦିଲ୍ଲୀ, ୦୬ /୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ କଡା ଜବାବ ଦେଉଛି । ତେବେ ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡିଛି । ଷ୍ଟ୍ରେଟ୍ ଅଫ୍ ହରମୋଜ୍ ବନ୍ଦ ଥିବାରୁ ବିଭିନ୍ନ ଦେଶକୁ ତୈଳ ପରିବହନ ହୋଇପାରୁ ନାହିଁ । ଏପରିକି ଗଲ୍ଫ ଦେଶରେ ଯୁଦ୍ଧର ମାହୋଲ ଥିବାରୁ ବିଭିନ୍ନ ତୈଳ ରିଫାଇନରୀ ବନ୍ଦ ରହିଛି । ଏହାରି ଭିତରେ ଭାରତକୁ ବଡ ରିହାତି ଦେଇଛି ଆମେରିକା । ଋଷଟୁ ତୈଳ କିଣିବା ପାଇଁ ଆମେରିକା ପ୍ରଶାସନ ଭାରତକୁ କହିଛି ।

ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେଲା ପରେ ଭାରତର ଗଚ୍ଛିତ ତୈଳକୁ ନେଇ ଆଶା ଏବଂ ଆଶଙ୍କା ଦେଖାଦେଇଥିଲା । ଦେଶରେ ମାତ୍ର ୫୬ ଦିନର ଅଶୋଧିତ ଏବଂ ଶୁଦ୍ଧ ତୈଳ ଥିବା ନେଇ ଜଣା ପଡିଥିଲା । ଯାହା ପରେ ଚିନ୍ତା ବଢିଥିଲା । ଯୁଦ୍ଧ ପାଇଁ ପେଟ୍ରୋଲ-ଡିଜେଲ ଆମାଦାନୀ ପ୍ରଭାବିତ ହୋଇଥିଲା । ଏବେ ଭାରତ ଋଷଠୁ ୩୦ ଦିନ ଯାଏଁ ତୈଳ ଆମଦାନୀ କରିପାରିବ । ଫଳରେ ସମୁଦ୍ରରେ ଅଟକିଥିବା ଅନେକ ଋଷ ତୈଳ ଜାହାଜଙ୍କୁ ଆଶ୍ୱସ୍ତି ମିଳିବ ।

କୁହାଯାଉଛି ଯେ, ଆମେରିକା-ଇରାନ ଯୁଦ୍ଧରେ ବୈଶ୍ୱିକ ବଜାରରେ ଚାପ ସୃଷ୍ଟି ହେଉଛି । ଏହି ଚାପ କମ୍ କରିବାକୁ ସମୁଦ୍ରରେ ଅଟକି ଥିବା ଶହ ଶହ ଋଷ ତୈଳ ଜାହାଜ ଭାରତକୁ ତୈଳ ବିକ୍ରି କରିପାରିବେ । ୩୦ ଦିନ ପାଇଁ ଏହି ଆଶ୍ୱସ୍ତି ପ୍ରଦାନ କରାଯାଇଛି । ରୟଟର୍ସ ଅନୁସାରେ. ଆମେରିକାର ଦୁଇ ଜଣ ବରିଷ୍ଠ ଅଧିକାରୀ ଋଷ ଉପରେ ଲାଗିଥିବା କଟକଣାକୁ ସାମୟିକ ସମୟ ପାଇଁ ହଟାଇ ଦେଇଛନ୍ତି । ସମୁଦ୍ରରେ ଫସିଥିବା ଋଷ ତୈଳ ସିପମେଣ୍ଟ୍ ଆଗକୁ ବଢିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେଲା ପରେ ବିଭିନ୍ନ ଦେଶକୁ ଋଷଠୁ ତେଲ ନ କିଣିବାକୁ କହିଥିଲା । ଏହାସହ କଟକଣା ମଧ୍ୟ ଲଗାଇଥିଲା । କିନ୍ତୁ ଭାରତ ଋଷଠୁ ତୈଳ କିଣିବା ଜାରି ରଖିଥିଲା । ତେଲ କାହାଠୁ କିଣା ହେବ ଏହା ଭାରତର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ନୂଆଦିଲ୍ଲୀ ସଙ୍କେତ ଦେଇଥିଲା ।