ମୋଦି ସରକାରଙ୍କ ୧୫ ରୁ ୮ ବଜେଟ୍ କାଳରେ ହ୍ରାସରେ ବନ୍ଦ ହୋଇଛି ବଜାର

NEWS7
corona-case-rises-to-6350-in-odisha

ନୂଆଦିଲ୍ଲୀ ୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏ ପର୍ଯ୍ୟନ୍ତ ମୋଟ ୧୫ଟି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହୋଇଛି। ଏଥିରୁ ୮ ଥର ବଜେଟ ଦିନ ବିଏସଇ ମାନକ ସୂଚକାଙ୍କ ସେନସେକ୍ସ ଋଣାତ୍ମକ ବନ୍ଦ ହୋଇଥିବାର ରେକର୍ଡ ରହିଛି। ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ୨୦୧୪ ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୧୫ଟି ବଜେଟ୍ ଆଣିଛନ୍ତି। ଏଥିରେ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନ ପୂର୍ବର ୨ଟି ଅନ୍ତରୀଣ ବଜେଟ୍ ମଧ୍ୟ ରହିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନା କାଳରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ଅନ ଫରୱାର୍ଡ କଣ୍ଟ୍ରାକ୍ଟ ଡିଲସ୍ (ଏସଟିଟି) ବୃଦ୍ଧି ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଏହି କର ବ୍ୟବସ୍ଥା ଯୋଗୁ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଥିବା ବେଳେ ଏହାର ପରିଣାମ ସ୍ୱରୂପ ମୁଖ୍ୟ ସେୟାର ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ପାଖାପାଖି ୨% ପର୍ଯ୍ୟନ୍ତ ହ୍ରାସ ହୋଇଛି। ମଧ୍ୟାହ୍ନ କାରବାର କାଳରେ ସେନସେକ୍ସ ୨,୩୭୦.୩୬ ଅଙ୍କ ହ୍ରାସ ହୋଇ ୮୦,୦୦୦ ଅଙ୍କ ସ୍ତରରୁ ତଳକୁ ୭୯,୮୯୯.୪୨ ଅଙ୍କରେ ପହଞ୍ଚିଥିଲା। ତେବେ ଚୂଡ଼ାନ୍ତ କାରବାର କାଳରେ ସେନସେକ୍ସ ୧,୫୪୬.୮୪ ଅଙ୍କ ଅର୍ଥାତ ୧.୮୮% ହ୍ରାସ ହୋଇ ୮୦,୭୨୨.୯୪ ଅଙ୍କରେ ବନ୍ଦ ହୋଇଛି।

ସେହିପରି ୫୦ ସେୟରର ନିଫ୍ଟି ସୂଚକାଙ୍କ ୪୯୫.୨୦ ଅର୍ଥାତ ୧.୯୬% ହ୍ରାସ ହୋଇ ୨୪,୮୨୫.୪୫ରେ ବନ୍ଦ ହୋଇଛି। କାରବାର କାଳରେ ଏକ ସମୟରେ ଏହା ୭୪୮.୯ ଅର୍ଥାତ ୨.୯୫% ହ୍ରାସ ହୋଇ ୨୪,୫୭୧.୭୫ ପଏଣ୍ଟକୁ ଆସିଯାଇଥିଲା। ଏଥିରେ ଇତିହାସ ଉପରେ ନଜର ପକାଇଲେ ଗତବର୍ଷ ବଜେଟ୍ ଦିନ ସେନସେକ୍ସ ପ୍ରଦର୍ଶନ ମିଶ୍ରିତ ଥିଲା। ୨୦୨୫ରେ ବଜାର ମାମୁଲି ବୃଦ୍ଧି ସହ ୭୭,୫୦୫.୯୬ ଅଙ୍କରେ ବନ୍ଦ ହୋଇଥିଲା। ହେଲେ ଏହା ପୂର୍ବରୁ ୨୦୨୪ ଅନ୍ତରୀଣ ବଜେଟ୍ ପୂର୍ବରୁ ସେୟାର ବଜାର ୧.୧୪% ହ୍ରାସ ହୋଇ ୭୧,୬୪୫.୩୦ ଅଙ୍କରେ ଥିଲା।

୨୦୨୩ ବଜେଟ୍ ଦିନ ସେୟାର ବଜାର ୦.୨୬% ବଢିଥିବା ବେଳେ ୨୦୨୨ରେ ୧.୪୬% ଓ ୨୦୨୧ରେ ୫% ଅଭିବୃଦ୍ଧି ଦେଖାଯାଇଥିଲା। ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ ରେ ସେନସେକ୍ସ ୦.୫୮% ପର୍ଯ୍ୟନ୍ତ ଉପରକୁ ଉଠିଥିଲା। ତେବେ ଏହା ପୂର୍ବରୁ ଉପସ୍ଥାପିତ ଅନ୍ତରୀଣ ବଜେଟରେ ବଜାର ୦.୯୮% ହ୍ରାସ ହୋଇଥିଲା। ୨୦୧୮ ମସିହା ବଜେଟ୍ ଦିନ ସେନସେକ୍ସ ୦.୧୬% ହ୍ରାସ ହୋଇଥିଲା। ତେବେ ୨୦୧୭ ମସିହା ବଜେଟ୍ ଦିନ ସେନସେକ୍ସ ୧.୭୫% ଉପରକୁ ଉଠିଥିଲା। ତେବେ ଏହି ବର୍ଷ ବଜେଟ୍ ଉପସ୍ଥାପନ ଦିନ ୧ ଫେବୃଆରୀ ଧାର୍ଯ୍ୟ କରିଦିଆଯାଇଥିଲା, ଯାହା ଦ୍ୱାରା ସଂସଦର ଅନୁମୋଦନ ପ୍ରକ୍ରିୟା ୧ ମାର୍ଚ୍ଚ ସୁଦ୍ଧା ପୁରା ହୋଇ ପାରିବ ଓ ବଜେଟ୍ ଆର୍ଥିକ ବର୍ଷ ଆରମ୍ଭ ଦିନରେ କାର୍ଯ୍ୟକାରୀ ହୋଇ ପାରିବ।