Epstein files: ନନ୍ଦିତା ଦାସଙ୍କ ଠାରୁ ଅନିଲ ଅମ୍ବାନୀ, ଏପଷ୍ଟିନ ଫାଇଲ୍‌ରେ ଅଛି ଏହି ଭାରତୀୟଙ୍କ ନାଁ

NEWS7
corona-awarness-iic-by-song

ନୂଆଦିଲ୍ଲୀ: ଜେଫ୍ରି ଏପଷ୍ଟିନ ଫାଇଲ ଖୋଲିବା ସହିତ ବିଶ୍ୱର ବଡ଼ ବଡ଼ ଚମକୁଥିବା ଚେହେରାରେ ଯେମିତି କାଳି ବୋଳି ହେଇଯାଉଛି। ଯେଉଁମାନେ ଆଦର୍ଶର କଥା କହି ଜନତାଙ୍କ ବିଶ୍ୱାସ ଭାଜନ ହେଉଥିଲେ, ସେମାନଙ୍କ ଅପକର୍ମ ସାମ୍ନାକୁ ଆସିବା ପରେ ଜନତା ଏବେ ଘୃଣାରେ ନାକ ଟେକୁଛି। ତେବେ ଏପଷ୍ଟିନ ଫାଇଲ୍ରେ କିଛି ଏମିତି ଲୋକଙ୍କ ନାଁ ବି ରହିଛି, ଯେଉଁମାନଙ୍କ ବିଷୟରେ ସବିଶେଷ ତଥ୍ୟ ତ ନାହିଁ କିନ୍ତୁ ସେମାନଙ୍କ ନାଁ ଉଲ୍ଲେଖ ରହିଛି। ଯେହେତୁ ଏପଷ୍ଟିନଙ୍କର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ଥିଲା, ତେଣୁ ତାଙ୍କୁ ଭେଟିବାକୁ ଅନ୍ୟ ଲୋକମାନେ ବି ଯାଉଥିଲେ ବୋଲି କୁହାଯାଉଛି। ଅନ୍ୟ କୌଣସି କାମରେ ଯାଇଥିଲେ ବି ସେମାନଙ୍କ ପାଇଁ ଏପଷ୍ଟିନ ଫାଇଲ୍ରେ ଉଲ୍ଲେଖ ରହିଛି। ଏଥିରେ କିଛି ବଲିଉଡ ଚେହେରାଙ୍କ ନାଁ ବି ରହିଛି।

ଆମେରିକାର ନ୍ୟାୟ ବିଭାଗ କୁଖ୍ୟାତ ମାନବଚାଲାଣକାରୀ ଓ ବ୍ୟାଭିଚାରୀ ଜେଫ୍ରି ଏପଷ୍ଟାଇନ ସହିତ ଜଡିତ ପାଞ୍ଚଟି ଭିନ୍ନ ଭିନ୍ନ ମାମଲାରେ ବହୁ ସଂଖ୍ୟକ ଇମେଲ୍, କୋର୍ଟ ଡକ୍ୟୁମେଣ୍ଟ, ପୀଡିତଙ୍କ ସାକ୍ଷ୍ୟ, ଫଟୋ ଏବଂ ଭିଡିଓ ପ୍ରକାଶ କରିଛି। ଏଥିରେ ଭାରତର ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସିଛି। ଏପଷ୍ଟାଇନ୍ ଫାଇଲ୍ସରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୀପକ ଚୋପ୍ରା (ୱେଲନେସ୍ ଗୁରୁ), ମୀରା ନାୟାର (ଫିଲ୍ମ ନିର୍ମାତା), ଅନୁରାଗ କଶ୍ୟପ (ନିର୍ଦ୍ଦେଶକ), ନନ୍ଦିତା ଦାସ (ଅଭିନେତା-ନିର୍ଦ୍ଦେଶକ), ଏବଂ ଅନିଲ ଅମ୍ବାନୀ (ବ୍ୟବସାୟୀ) ପ୍ରମୁଖ ଅଛନ୍ତି।

ଦୀପକ ଚୋପ୍ରା-ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବାଣ୍ଟୁଥିବା ପ୍ରତିଷ୍ଠିତ ଭାରତୀୟ ଚେହେରା ଦୀପକ ଚୋପ୍ରାଙ୍କ ନାଁ ଏପଷ୍ଟିନ ଫାଇଲ୍ରେ ଏକାଧିକ ଥର ଉଲ୍ଲେଖ କରାଯାଇଛି। ଏମିତିକି ୨୦୦୮ ମସିହାରେ ଏପଷ୍ଟିନ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ, ଦୀପକ ତାଙ୍କୁ ଭେଟିଥିବା କଥା କୁହାଯାଇଛି।

ଦୀପକ ଓ ଏପଷ୍ଟିନ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ ମାର୍ଲା ମାପଲ୍ସ ଏବଂ ଜଣେ ନାବାଳକଙ୍କ ଦ୍ୱାରା ଯୌନ ନିର୍ଯାତନା ମାମଲା ବିଷୟରେ ମେସେଜ୍ରେ ଆଲୋଚନା କରିଥିଲେ। ୨୦୧୮ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ଇ-ମେଲ୍ ବାର୍ତ୍ତାଳାପରେ ଲେଖାଯାଇଛି “ସେ କ’ଣ ତୁମ ବିରୁଦ୍ଧରେ ଥିବା ଦେୱାନୀ ମାମଲାକୁ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ?" ଯାହାର ଉତ୍ତରରେ ଏପଷ୍ଟିନ କହିଥିଲେ " ୟୁପ୍(ହଁ)" ଏବଂ ଚୋପ୍ରା ଉତ୍ତର ଦେଇଥିଲେ"ଭଲ।"

ମୀରା ନାୟର-୨୧ ଡିସେମ୍ବର ୨୦୦୯ରେ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର ଏବଂ ଜେଫ୍ରି ଏପଷ୍ଟାଇନ୍ ଦୁହେଁ ଏକ ପାର୍ଟିରେ ଯୋଗ ଦେଇଥିଲେ, ଯେଉଁଥିଲେ ବିଲ୍ କ୍ଲିଣ୍ଟନ୍, ଜେଫ୍ ବେଜୋସ୍ ଏବଂ ଜିନ୍ ପିଗୋନି ବି ସାମିଲ ଥିବା ଅନୁମାନ କରାଯାଉଛି। ଇଣ୍ଡିପେଣ୍ଡେଣ୍ଟ ଫିଲ୍ମମେକର ପ୍ରୋଜେକ୍ଟ ସ୍ପ୍ରିଙ୍ଗ ଗାଲା କାର୍ଯ୍ୟକ୍ରମକୁ ଇପଷ୍ଟନକୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ଯେଉଁଠାରେ ମୀରା ନାୟାର ହୋଷ୍ଟ କମିଟିରେ ଥିଲେ।

ଅନୁରାଗ କଶ୍ୟପ-ଏପଷ୍ଟିନ ଫାଇଲରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁ ବି ରହିଛି।ଜେଫ୍ରି ଏପଷ୍ଟିନ ଏବଂ ଗିଉସେପେ ବେର୍ସାନି, ଜିନୋ ୟୁ ଏବଂ ଅର୍ନେଲା କୋରାଜା ମଧ୍ୟରେ ହୋଇଥିବା କଥୋପକଥନରେ ଅନୁରାଗ କଶ୍ୟପଙ୍କ ନାଁ ଉଠିଥିବା ଏପଷ୍ଟାଇନ ଫାଇଲସରେ ପ୍ରକାଶ ପାଇଛି।

ସେମାନେ ସମସ୍ତେ ସାଂଘାଇରେ ଏକ ବଡ଼ ବୈଠକ ପାଇଁ ଏକାଠି ହେଉଥିବା ଅନୁମାନ କରାଯାଉଛି। ମେଲ୍ ଥ୍ରେଡ୍ରେ କିନ୍ତୁ ଅନୁରାଗ କଶ୍ୟପଙ୍କୁ "ଜଣେ ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ" ବୋଲି ଉଲ୍ଲେଖ କରାଯାଇଥିଭଆ ଜଣାପଡ଼ିଛି।

ନନ୍ଦିତା ଦାସ-ଅଭିନେତ୍ରୀ, ନିର୍ଦ୍ଦେଶ ଓ ପ୍ରଯୋଜିକା ନନ୍ଦିତା ଦାସଙ୍କ ନାଁ ବି ଏପଷ୍ଟିନ ଫାଇଲ୍ରେ ସାମ୍ନାକୁ ଆସିଛି। ଇଂଲଣ୍ଡର ସର୍ବବୃହତ ହ୍ରଦ କୂଳରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏପଷ୍ଟିନଙ୍କୁ କୁମ୍ବ୍ରିଆ ବିଶ୍ୱବିଦ୍ୟାଳୟର ସଷ୍ଟେନବିଲିଟି ବିଭାଗର ପ୍ରଫେସର ଜେମ୍ ବେଣ୍ଡେଲ ନିମନ୍ତ୍ରଣ କରିଥିଲେ। ନନ୍ଦିତା ଦାସଙ୍କୁ ସେଠାରେ ବକ୍ତା ଭାବରେ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲେଖକ ଚାର୍ଲ୍ସ ଆଇଜେନଷ୍ଟାଇନ ଏବଂ ପିଆର ଗୁରୁ ଲିନ୍ ଫ୍ରାଙ୍କସ ବି ଆସିଥିଲେ।

ଅନୀଲ ଅମ୍ବାନୀ- ସମସ୍ତ ଭାରତୀୟଙ୍କ ମଧ୍ୟରେ ଏପଷ୍ଟିନ ଫାଇଲ୍ରେ ଅନିଲ ଅମ୍ବାନୀଙ୍କ ନାଁ ସର୍ବାଧିକ ଥର ରହିଛି । ୨୦୧୯ରେ, ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ ଅମ୍ବାନୀ ଏବଂ ଏପଷ୍ଟାଇନ ସାକ୍ଷାତ କରିବାକୁ ଯୋଜନା କରୁଥିଲେ। ଏପଷ୍ଟିନଙ୍କ ସହିତ ହୋଇଥିବା ଆଲୋଚନାରେ ଅମ୍ବାନୀ କହିଥିଲେ ଯେ ସେ "୨୨ ରୁ ୨୪ ମେ" ନ୍ୟୁୟର୍କରେ ରହିବେ। ଏପଷ୍ଟାଇନ୍ ତାଙ୍କୁ ଷ୍ଟିଭ୍ ବାନନ୍, କ୍ୟାଥି ରୁଏମ୍ଲର କିମ୍ବା ଏହୁଦ୍ ବାରାକଙ୍କୁ ଭେଟିବେ କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅମ୍ବାନୀ କହିଥିଲେ, ପରେ କଥା ହେବା। ତା’ପରେ, ଅମ୍ବାନୀ ଲିଷ୍ଟେଡ୍ ଥିବା ସେୟାରକୁ ସିକ୍ୟୁରିଟି ରଖି ସେହି ବିନିମୟରେ ୭୨୦ ମିଲିଅନ ଡଲାର ବ୍ୟବସ୍ଥା କରିବା ପାଇଁ ଆର୍ଥିକ ସହାୟତା ଲୋଡ଼ିଥିଲେ। ଯେଉଁଥିରେ ଏପଷ୍ଟିନ୍ କହିଥିଲେ ସେ ଯେ ଏହା ତାଙ୍କ କ୍ଷମତା ବାହାରେ, କିନ୍ତୁ ଅମ୍ବାନୀଙ୍କୁ କିଛି ପରାମର୍ଶ ଦେଇଥିଲେ। ତୁମର ସମ୍ପତ୍ତିଗୁଡ଼ିକୁ ସେଲ୍ କମ୍ପାନୀଗୁଡ଼ିକରେ ରଖ ଏବଂ ନିଜକୁ ଦେବାଳିଆ ଘୋଷଣା କର ବୋଲି ଏପଷ୍ଟିନ ପରାମର୍ଶ ଦେଇଥିଲେ। ଏବଂ ସେ ଅମ୍ବାନୀଙ୍କୁ ମୋଦୀ ମେନ ବୋଲି ସମ୍ବୋଧନ କରିଥିଲେ।

୨୦୧୯ ମସିହାରେ, ଯେତେବେଳେ ବିଜେପି ନିର୍ବାଚନ ଜିତିଲା, ଏପଷ୍ଟିନ ପରାମର୍ଶ ଦେଲେ ଯେ ମୋଦି ଷ୍ଟିଭ୍ ବ୍ୟାନନଙ୍କୁ ଭେଟିବା ଉଚିତ, ଅମ୍ବାନୀ ରାଜି ହେଲେ, ଏବଂ ଏପଷ୍ଟିନ ଏକଥା ବ୍ୟାନନଙ୍କୁ ଜଣାଇଥିଲେ। ଏହାପରେ ଆମେରିକା ପ୍ରଶାସନ ସହିତ ମୁକାବିଲା କରିବାରେ ସେ ଭାରତ ସରକାରଙ୍କୁ କିପରି ସାହାଯ୍ୟ କରିବେ ସେ ନେଇ ଅମ୍ବାନୀ ଏପଷ୍ଟିନଙ୍କୁ ପରାମର୍ଶ ମାଗିଥିଲେ।