RERAକୁ ବନ୍ଦ କରିଦେବା ଭଲ, ଏହା କେବଳ ବିଲ୍ଡରଙ୍କୁ ସୁରକ୍ଷା ଦେଉଛି; ଶୁଣାଣି ବେଳେ କ୍ଷୁବ୍ଧ ସୁପ୍ରିମକୋର୍ଟ

NEWS7
controversy-on-navanirmana-krushaka-samitis-bandh-call-on-22nd

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (RERA)ର କାର୍ଯ୍ୟକାରିତା ଉପରେ ଗୁରୁବାର ଶୁଣାଣି ବେଳେ କଠୋର ମନ୍ତବ୍ୟ ଦେଇଥିଲେ । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ରେରା ବର୍ତ୍ତମାନ କେବଳ ଋଣ ଖିଲାପକାରୀ ବିଲ୍ଡରମାନଙ୍କୁ ସୁରକ୍ଷା ଦେବାର ଏକ ମାଧ୍ୟମ ପାଲଟିଛି, ତେଣୁ ଏହାକୁ ବନ୍ଦ କରିବା ଭଲ ହେବ । ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲିଆ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ମତ ରଖିଥିଲେ ।

ଖଣ୍ଡପୀଠ କହିଥିଲେ ଯେ ରେରା ନାମକ ସଂସ୍ଥା କ'ଣ ପାଇଁ ସୃଷ୍ଟି ହୋଇଥିଲା ସବୁ ରାଜ୍ୟ ସରକାର ଏବେ ଗମ୍ଭୀରତାର ସହିତ ବିଚାର କରିବା ଦରକାର । ଏହା ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଥିଲା ନା ବିଲ୍ଡରମାନଙ୍କୁ ସୁବିଧା ଯୋଗାଇବା ପାଇଁ ଥିଲା ? ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, "ଏହି ସଂସ୍ଥା କେବଳ ଋଣ ଖିଲାପାକାରୀ ବିଲ୍ଡରମାନଙ୍କୁ ସୁବିଧା ଯୋଗାଇବା ବ୍ୟତୀତ ଆଉ କିଛି କରୁନାହିଁ । ଏପରି ପରିସ୍ଥିତିରେ, ଏହି ସଂସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଭଲ ହେବ ।"

ହିମାଚଳ ପ୍ରଦେଶର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ କ୍ଷୁବ୍ଧ ହୋଇଥିଲେ । ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ରାଜ୍ୟର ରେରା କାର୍ଯ୍ୟାଳୟକୁ ଶିମଲାରୁ ଧର୍ମଶାଳାକୁ ସ୍ଥାନାନ୍ତର କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିବାର ନିଷ୍ପତ୍ତି ସହିତ ବିବାଦ ଜଡିତ । ଏହି ନିଷ୍ପତ୍ତି ବିରୁଦ୍ଧରେ ଏକ ଆବେଦନ ଦାଖଲ କରାଯାଇଥିଲା ଏବଂ ମାମଲା ହିମାଚଳ ପ୍ରଦେଶ ହାଇକୋର୍ଟରେ ପହଞ୍ଚିଥିଲା ।

ଗତ ବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ହାଇକୋର୍ଟ କହିଥିଲେ ଯେ ସରକାର ବିକଳ୍ପ ସ୍ଥାନ ଚିହ୍ନଟ ନକରି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଦେଶରେ ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ ୧୮ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଅନ୍ୟ ବୋର୍ଡ ଏବଂ କର୍ପୋରେସନକୁ ସ୍ଥାନାନ୍ତର ପ୍ରସ୍ତାବିତ ରେରାର କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବାଧା ଦେବ । ଏହି ଯୁକ୍ତିଗୁଡ଼ିକୁ ଆଧାର କରି ହାଇକୋର୍ଟ ୧୩ ଜୁନ୍ ୨୦୨୫ର ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଥିଲେ ।

ଗୁରୁବାର ସୁପ୍ରିମକୋର୍ଟ ହାଇକୋର୍ଟର ନିଷ୍ପତ୍ତିକୁ ରଦ୍ଦ କରି ରାଜ୍ୟ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ରାଜ୍ୟକୁ ରେରା କାର୍ଯ୍ୟାଳୟକୁ ଶିମଲାରୁ ଧର୍ମଶାଳାକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି । ତେବେ, ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରକ୍ରିୟା ସାଧାରଣ ଜନତା କିମ୍ବା ରେରାର ନିର୍ଦ୍ଦେଶ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ ।