LIVE TV
LIVE TV

ବାହାଘରକୁ ଯାଉଛି କହି ଶିବକୁମାର ଦିଲ୍ଲୀ ପାର, ସିଦ୍ଦାରମୈୟା କହିଲେ- ଡାକରା ଆସିଲେ ଯିବି

NEWS7
congress-took-a-jibe-at-pm-modi-through-this-picture-asked-when-will-you-face-so-many-cameras

ବେଙ୍ଗାଲୁରୁ ୩।୧୨: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ କଂଗ୍ରେସ ପାର୍ଟିରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ବୁଧବାର ମଧ୍ୟାହ୍ନରେ ଦିଲ୍ଲୀ ଗସ୍ତ କରିଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଠାପକା ଆରମ୍ଭ ହୋଇଯାଇଛି। ଶିବକୁମାର କହିଛନ୍ତି ଯେ ସେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ତେବେ ମନେ କରାଯାଉଛି ସେ ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟି ରାଜ୍ୟ ରାଜନୀତି ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା କହିଛନ୍ତି ଯେ, ସେ ସେତେବେଳେ ଦିଲ୍ଲୀ ଯିବେ ଯେତେବେଳେ ତାଙ୍କୁ ଡାକରା ଆସିବ।

ଶିବକୁମାର ବେଙ୍ଗାଲୁରୁରେ କହିଛନ୍ତି ଯେ ସେ ଦିଲ୍ଲୀ ଏକ ବ୍ୟକ୍ତିଗତ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧୪ ତାରିଖରେ ଦିଲ୍ଲୀ ରାମଲିଳା ମୈଦାନରେ ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ‘ଭୋଟ ଚୋରି’ ବିରୋଧରେ ରାଲି ହେବ। ଏଥି ପାଇଁ କର୍ଣ୍ଣାଟକରୁ ଅନୁନ୍ୟ ୩୦୦ ଲୋକ ଦିଲ୍ଲୀ ପହଞ୍ଚିବା ଦରକାର। ଏଣୁ ମୁଁ ସବୁ ଜିଲ୍ଲା ମନ୍ତ୍ରୀମାନଙ୍କୁ ଓ ବିଧାୟକଙ୍କୁ ଏ ବାବଦେ ସୂଚନା ଦେଇଛି ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଦିଲ୍ଲୀ ନେଇ ପହଞ୍ଚିବାକୁ କହିଛି। ଏଥି ପାଇଁ ମୁଁ ସେଠାରେ ବ୍ୟବସ୍ଥା ଦେଖିବାକୁ ଯାଉଛି ଓ କାଲି ସକାଳେ କ୍ୟାବିନେଟ୍ ବୈଠକ ପାଇଁ ବେଙ୍ଗାଲୁରୁ ଫେରି ଆସିବି। ତେବେ ଏହି ସମୟରେ ୨-୩ଟି ଛୋଟ ମିଟିଂ କରିବି ଓ ଫେରିବି ବୋଲି କହିଛନ୍ତି।

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା କେ.ସି.ବେଣୁଗୋପାଲ ମଙ୍ଗଲୁର ଏୟାରପୋର୍ଟ ପହଞ୍ଚିବାରେ ପାର୍ଟିକାର୍ଯ୍ୟକର୍ତ୍ତାମାନେ ଶିବକୁମାର ଓ ସିଦ୍ଦାରମୈୟାଙ୍କ ନାମ ନେଇ ସ୍ଲୋଗାନ ଦେଇଥିଲେ। ଏଥିରୁ କର୍ଣ୍ଣାଟକ ପାର୍ଟିରେ ସବୁ କିଛି ଠିକ୍ ନଥିବା କଥା ବୁଝାପଡୁଛି। ତେବେ ଶିବକୁମାର ଏହାକୁ ଖୁବ ହାଲୁକା ଭାବେ ଗ୍ରହଣ କରିଛନ୍ତି। ଏପଟେ ସିଦ୍ଦାରମୈୟା ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ସେ ଯାଆନ୍ତୁ, ମୁଁ ସେତେବେଳେ ଯିବି ଯେତେବେ ମୋତେ ଡାକରା ଆସିବ।ଏପର୍ଯ୍ୟନ୍ତ ମୋତେ କୌଣସି କଲ ଆସି ନାହିଁ’।

ଗତ ଥର ଶିବକୁମାର ଏୟାରପୋର୍ଟରେ ମଲ୍ଲିକାର୍ଜୁନ ଖଡଗେ ଓ କେ.ସି.ବେଣୁଗୋପାଲଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏଥର ମଧ୍ୟ ତାଙ୍କ ଦିଲ୍ଲୀ ଯାତ୍ରାକୁ ରାଜ୍ୟରେ ରାଜନୈତିକ ଘଟଣା ସହ ଯୋଡି ଦେଖା ଯାଉଛି। କର୍ଣ୍ଣାଟକ କଂଗ୍ରେସ ପାର୍ଟିରେ ‘ପାୱାର ସେୟାରିଂ’ କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ଶିବ କୁମାରଙ୍କ ଅଚାନକ ଯାତ୍ରା ରାଜ୍ୟରେ ଏହି ଚର୍ଚ୍ଚାକୁ ଆଞ୍ଚ ଦେଉଛି।