ସୁରଟ ଆସନରେ ନାମାଙ୍କନ ରଦ୍ଦ ହେବା ଯୋଗୁ ପ୍ରାର୍ଥୀଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ, ନିଲେଶ କୁମ୍ଭାନୀ ୬ ବର୍ଷ ପାଇଁ ନିଲମ୍ବିତ

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬।୪: ଗୁଜରାଟର ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ  ନାମାଙ୍କନ ରଦ୍ଦ ହୋଇଯାଇଥିଲା। ନିଲେଶଙ୍କ ନାମାଙ୍କନ ରଦ୍ଦହେବା ଓ ଅନ୍ୟ ପ୍ରାର୍ଥୀମାନେ ନିର୍ବାଚନରୁ ଓହରିଯିବାରୁ ଏହି ଆସନରେ ବିଜେପିର ମୁକେଶ ଦଲାଲ ନିର୍ବିବାଦରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଏହି ଆସନରେ ନିର୍ବାଚନ ପ୍ରକ୍ରିୟା ରଦ୍ଦ କରିବା ଦାବିରେ କୋର୍ଟକୁ ଯିବ ବୋଲି କହିଥିଲା। ପାର୍ଟି ଏବେ ନିଲେଶ କୁମ୍ଭାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। 

କଂଗ୍ରେସ ନିଲେଶଙ୍କୁ ୬ ବର୍ଷ ପାଇଁ ପାର୍ଟିରୁ ନିଲମ୍ବିତ କରିଛି। କଂଗ୍ରେସ ଶୃଙ୍ଖଳା କମିଟି ଏହି ନିଷ୍ପତି ନେଇଛି। ଶୃଙ୍ଖଳା କମିଟି ସୁରଟ ଆସନରୁ ପ୍ରାର୍ଥୀପତ୍ର ରଦ୍ଦ ହେବା ନିମନ୍ତେ ନିଲେଶ କୁମ୍ଭାନୀଙ୍କୁ ଦାୟି କରିଛି। ଶୃଙ୍ଖଳା କମିଟି ନିଷ୍ପତ୍ତିରେ କହିଛନ୍ତି ଯେ ନାମାଙ୍କନ ରଦ୍ଦ ହେବା ଆପଣଙ୍କ ବେପରୁଆ ଅଥବା ବିଜେପି ସହିତ ସମ୍ପର୍କ କାରଣରୁ ହୋଇପାରେ। ଏହି କାରଣରୁ ସୁରଟ ଜନତାଙ୍କ ଭୋଟ କରିବାର ଅଧିକାର ଛଡାଇ ନିଆଗଲା ବୋଲି କମିଟି କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ସୁରଟ ଆସନରୁ ନୋମିନେସନ ରିଜେକ୍ଟ ହେବା ପରଠାରୁ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀ ଏପର୍ଯ୍ୟନ୍ତ ଗଣମାଧ୍ୟମ ସମ୍ମୁଖକୁ ଆସି ନାହାନ୍ତି। ଏପରିକି କଂଗ୍ରେସ ନେତାମାନଙ୍କର ମଧ୍ୟ ତାଙ୍କ ସହ ସମ୍ପର୍କ ହୋଇପାରୁ ନାହିଁ। କୁମ୍ଭାନୀଙ୍କ ଘର ଆଗରେ କଂଗ୍ରେସ କର୍ମୀ ଓ କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରୁଛନ୍ତି। କଂଗ୍ରେସ ନେତାମାନେ ନିଲେଶଙ୍କ ଉପରେ ବିଜେପି ଇଶାରାରେ କାମ କରିବା, ବିଜେପିଠାରୁ କୋଟିକୋଟି ଟଙ୍କା ନେଇଥିବାର ଅଭିଯୋଗ କରୁଛନ୍ତି। ଏହା ମଧ୍ୟ ଦାବି କରାଯାଉଛି ଯେ ନିଲେଶ କୌଣସି ମୂହୁର୍ତ୍ତରେ ବିଜେପିରେ ଯୋଗଦେଇପାରନ୍ତି। ତେବେ ନିଲେଶଙ୍କ ପତ୍ନୀ ଏପରି ସବୁ ଦାବି ଓ ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଛନ୍ତି। 

ଗଣମାଧ୍ୟମ ସହ ଆଲୋଚନାରେ ନିଲେଶଙ୍କ ପତ୍ନୀ ନିତା କୁମ୍ଭାନୀ ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ ନା ତ ସେ ବିଜେପିଠାରୁ ଟଙ୍କା ନେଇଛନ୍ତି ନା ସେ ବିଜେପିରେ ଯୋଗ ଦେବେ। ନିଲେଶ ତାଙ୍କ ସହ ସମ୍ପର୍କରେ ଥିବାର ଦାବି କରି କହିଛନ୍ତି ଯେ ସେ ଏହା ବିରୋଧରେ ଆଇନଗତ ଲଢେଇ ଲଢିବା ପାଇଁ ତାଙ୍କ ଓକିଲ ସହିତ ଅହମ୍ମଦାବାଦ ଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.