ତୃତୀୟ ପର୍ଯ୍ୟାୟରେ ହେଭିଓ୍ବେଟ୍ ଟକ୍କର; ଗୃହମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ମତଦାନ ଜାରି । ଥାର୍ଡ ଫେଜ୍‌ରେ ରହିଛନ୍ତି ବହୁ ହେଭିଓ୍ବେଟ୍ ପ୍ରାର୍ଥୀ । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ବହୁ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଗୁଜରାଟ ଗାନ୍ଧୀନଗରରୁ ଲଢୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ସେହି ଆସନରୁ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ସୋନାଲ ପଟେଲ। ଏହି ଆସନରୁ ୨୦୧୯ରେ ବିଜୟୀ ହୋଇଥିଲେ ଅମିତ ଶାହ । ୧୯୯୮ରୁ ୨୦୧୯ ଯାଏ ଏଠାରୁ ସାଂସଦ ଥିଲେ ଲାଲକୃଷ୍ଣ ଆଡଭାନୀ । ୧୯୯୬ରେ ଏହି ଆସନରୁ ବିଜୟୀ ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ। ଏବେ ଗାନ୍ଧୀନଗର ଆସନ ଅମିତ୍ ଶାହଙ୍କ ଦଖଲରେ ରହିଛି । ସେହିପରି ନର୍ଥ ଗୋଆରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ। ଗୁଜରାଟ ପୋରବନ୍ଦରରୁ ଲଢୁଛନ୍ତି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ।

ରାଜକୋଟରୁ ଲଢୁଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। କର୍ଣ୍ଣାଟକ ବିଦରରୁ ଲଢୁଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଭଗୱନ୍ତ ଖୁବା। କର୍ଣ୍ଣାଟକ ଧାରବାଡରୁ ଲଢୁଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ମଧ୍ୟପ୍ରଦେଶ ଗୁନାରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ରାଓ ଯାଦବେନ୍ଦ୍ର ସିଂ ଯାଦବ। ସେହିପରି ମହାରାଷ୍ଟ୍ର ରତ୍ନଗିରି- ସିନ୍ଧୁଦୁର୍ଗରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ। କର୍ଣ୍ଣାଟକ ବେଲଗାଁରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର। ବିଜେପିରୁ କଂଗ୍ରେସ, ପୁଣି କଂଗ୍ରେସରୁ ବିଜେପିକୁ ଆସିଛନ୍ତି ସେଟ୍ଟର।

କର୍ଣ୍ଣାଟକ ହାବେରିରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ ବାସବରାଜ। ମଧ୍ୟପ୍ରଦେଶ ରାଜଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ରୋଦମାଲ ନାଗର। ସେହିଭଳି ମଧ୍ୟପ୍ରଦେଶ ବିଦିଶାରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। କର୍ଣ୍ଣାଟକ ଶିବମୋଗାରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପାଙ୍କ ପୁଅ ବି.ୱାଇ. ରାଘବେନ୍ଦ୍ର। ସେହି ଆସନରୁ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବାଙ୍ଗାରପ୍ପାଙ୍କ କନ୍ୟା ଗୀତା ଶିବରାଜକୁମାର। ମହାରାଷ୍ଟ୍ର ବାରମତିରେ ହାଇଭୋଲଟେଜ ଟକ୍କର ଜାରି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବେ ଦାଦା ଅଜିତ୍ ପାୱାରଙ୍କ ପତ୍ନୀ ସୁନେତ୍ରା।

ଉତ୍ତରପ୍ରଦେଶ ମୈନପୁରୀରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଜୟବୀର ସିଂ। ଯାଦବ ପରିବାର ଲାଗି ଗୁରୁତ୍ବପୂର୍ଣ୍ଣ ମୈନପୁରୀ ଆସନ। ୨୦୨୨ରେ ଡିମ୍ପଲ ଏହି ଆସନରୁ ବିଜୟୀ ହୋଇଥିଲେ । ୧୯୯୬, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ ମୁଲାୟମ ସିଂ ଯାଦବ। ଛତିଶଗଡ଼ ଦୁର୍ଗରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁତୁରା ବିଜୟ ବଘେଲ। ଗୁଜରାଟ ନବସାରୀରୁ ଲଢୁଛନ୍ତି ବିଜେପି ରାଜ୍ୟ ସଭାପତି ସିଆର ପାଟିଲ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.